ଆକ୍ରାନ୍ତ ହେଲେଣି ୫୩୮ କୋଭିଡ଼୍ ଯୋଦ୍ଧା
ଆଖି ବୁଜିଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

Advertisment

ରାୟଗଡ଼ା : ଦିନକୁ ଦିନ ରାୟଗଡ଼ାରେ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି। ଗ୍ରାମାଞ୍ଚଳ, ସହରାଞ୍ଚଳ ସ୍ଥିତି ସଙ୍ଗୀନ୍ ହୋଇ ପଡ଼ିଥିବା ବେଳେ କରୋନା ପଞ୍ଝାରୁ ବର୍ତ୍ତି ପାରି ନାହାନ୍ତି ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା। ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜିଲ୍ଲା ଡାଟା ମ୍ୟାନେଜର୍, ସ୍ବାସ୍ଥ୍ୟ ବିଭାଗ ଆକାଉଣ୍ଟାଣ୍ଟ୍, ବିଷମକଟକ ବିଡିଓ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ଆଜି ୧୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କାଶୀପୁର ବ୍ଲକରୁ ସର୍ବାଧିକ ୩୩, ରାୟଗଡ଼ା ସହରରୁ ୨୫, ଗ୍ରାମାଞ୍ଚଳରୁ ୧୩, ବିଷମକଟକରୁ ୧୧, ମୁନିଗୁଡାରୁ ୫, କଲ୍ୟାଣସିଂହପୁରରୁ ୯, ଚନ୍ଦ୍ରପୁରରୁ ୩, ଗୁଡାରିରୁ ୩, ରାମନାଗୁଡାରୁ ଜଣେ, ଗୁଣପୁର ଗ୍ରାମାଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୦ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ୧୧, ରାଜସ୍ୱ ବିଭାଗର ୬, ମହିଳା ଓ ଶିଶୁ ବିକାଶ ବିଭାଗର ୨, ଗୃହ ବିଭାଗର ଜଣେ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି। ଟିଏମସିରୁ ୩୧, ହୋମ୍ କ୍ୱାରାଣ୍ଟିନରେ ଥିବା ୭୩ ଆକ୍ରାନ୍ତ ସଂକ୍ରମିତ ହୋଇଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ପଜିଟିଭ୍ ହୋଇଥିବା ବେଳେ ଆଇଏଲଆଇ ଓ ସାରି ଟେଷ୍ଟ ଦ୍ୱାରା ୮୧ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ କିଛିଙ୍କୁ ଚିକିତ୍ସା ପାଇଁ କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ହୋମ୍ ଆଇସୋଲେସନରେ ରହିଛନ୍ତି।

ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ମେଡ଼ିକାଲ୍ ଟିମ୍ ଦ୍ୱାରା ମେଡ଼ିସିନ୍ କିଟ୍ ଯୋଗାଇ ଦିଆଯାଇଛି। ଗତକାଲି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଜେକେପୁର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସରକାରୀ ଭାବେ ମୃତ୍ୟୁ ନେଇ କୌଣସି ଘୋଷଣା ହୋଇନି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୭୬୯ରେ ପହଞ୍ଚିଛି। ସେଥି ମଧ୍ୟରୁ ୨୯୪୫ ସୁସ୍ଥ ହୋଇଥିବା ବେଳେ ୧୮୦୨ ଚିକିତ୍ସାଧୀନ ଅଛନ୍ତି। ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ରେକର୍ଡ ସଂଖ୍ୟକ ୪୮୭ ସୁସ୍ଥ ହେବା ପରେ ଜିଲ୍ଲାର ସୁସ୍ଥ ହାର ୬୧.୭୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଆଜି ସୁଦ୍ଧା ଜିଲ୍ଲାରେ ୫୩୮ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହେଲେଣି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୧ ସୁସ୍ଥ ହୋଇ କାର୍ଯ୍ୟଧାରାକୁ ଫେରିଥିବା ବେଳେ ୧୭୭ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହେଉଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ। ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ୍ ପ୍ରଶାସନର ବହୁ ଆଗଧାଡ଼ିର ଯୋଦ୍ଧା କରୋନା ସଂକ୍ରମିତ ହୋଇ ଚାଲିଛନ୍ତି। ଯାହା ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ହାତରୁ ଖସିବାରେ ଲାଗିଛି ରାୟଗଡ଼ା। ଦୈନିକ ସଂକ୍ରମଣ ହାରରେ ଗତ ଦୁଇ ଦିନ ଧରି ରାୟଗଡ଼ା ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିବା ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ମୁହାଁ ହୋଇଛି। ଯାହା ଜିଲ୍ଲାବାସୀଙ୍କ ସମେତ କରୋନା ଲଢ଼େଇରେ ନିୟୋଜିତ ଜିଲ୍ଲା ପୁଲିସ୍, ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।