ଲାଭକରୀ ନିଗମରେ ୧୦,୪୫୮ ପଦ ଖାଲି, କ୍ଷତିଗ୍ରସ୍ତ ସଂସ୍ଥାରେ ପଦ ପୂରଣର ଯୋଜନା ନାହିଁ

ଭୁବନେଶ୍ୱର : ଏକ ପକ୍ଷରେ ନିଷେଧାଜ୍ଞା ବଳବତ୍ତର ଥିବାରୁ କ୍ଷତିରେ ଚାଲିଥିବା ସରକାରୀ ନିଗମଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ହେବନାହିଁ। ଅନ୍ୟପକ୍ଷରେ ଲାଭରେ ଚାଲିଥିବା ୩୦ଟି ନିଗମରେ ୧୦ ହଜାର ୪୫୮ଟି ପଦ ଦୀର୍ଘବର୍ଷରୁ ଖାଲିପଡ଼ିଛି। ସେଗୁଡ଼ିକ କେବେ ସୁଦ୍ଧା ପୂରଣ ହେବ, ତାହା ମଧ୍ୟ ଅନିଶ୍ଚିତ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକଦା ସ୍ଥାପିତ ଓଡ଼ିଶା କୃଷି ଶିଳ୍ପ ନିଗମ, ରାଜ୍ୟ ବିହନ ନିଗମ, କାଜୁ ନିଗମ ଓ କୃଷି ପ୍ରୋତ୍ସାହନ ନିବେଶ ନିଗମରେ ଯଥାକ୍ରମେ ୪୨୫, ୯୮, ୫୮ ଓ ୫ଟି ପଦକୁ ମିଶାଇ ମୋଟ ୫୮୬ଟି ପଦ ଖାଲିପଡ଼ିଛି। ଅଣସେଚ ଅଞ୍ଚଳରେ ଚାଷ ଜମିକୁ ପାଣି ଯୋଗାଉଥିବା ଓଡ଼ିଶା ଉଠା ଜଳସେଚନ ନିଗମରେ ୮୩୨ଟି ଓ ମାଛ ଚାଷକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଗଠିତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମରେ କେତେ କର୍ମଚାରୀ ଆବଶ୍ୟକ, ତାହା ଚୂଡ଼ାନ୍ତ ହୋଇନଥିବା ବେଳେ ଖାଲି ପଡ଼ିଥିବା ପଦ ସମ୍ପର୍କରେ ମନ୍ତ୍ରୀ ନିରୁତ୍ତର ରହିଛନ୍ତି। ଅନୁସୂଚିତ ଜନଜାତି ତଥା ବନବାସୀଙ୍କ ଜୀବନ-ଜୀବିକା ଉନ୍ନତିରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ସହାୟତାରେ ଆସୁଥିବା ଓଡ଼ିଶା ବନ ଉନ୍ନୟନ ନିଗମରେ ୪୭୯ ପଦ ଖାଲିଥିବା ବେଳେ ରାଜ୍ୟକୁ ଶସ୍ତା ମୂଲ୍ୟରେ ବିଦ୍ୟୁତ ଯୋଗାଉଥିବା ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୭୭୯ ପଦବି ବହୁଦିନରୁ ଖାଲିପଡ଼ିଛି। ଅଧିକ ବିଡ଼ମ୍ବନା ହେଲା-ରାଜ୍ୟକୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଓଡ଼ିଶା ଖଣି ନିଗମର ଅନେକ ଖଣିରୁ ଖଣିଜ ଉତ୍ତୋଳନ ହେଉ ନ ଥିବାବେଳେ ଏହି ସଂସ୍ଥାରେ ୧୦୨୧ ପଦ ଖାଲିପଡ଼ିଛି। ସେହିପରି ଚାଷୀଙ୍କଠାରୁ ଧାନ କିଣାଠାରୁ ଆରମ୍ଭ କରି ଖାଉଟିମାନଙ୍କୁ ପ୍ରତିମାସରେ ନିୟନ୍ତ୍ରିତ ଦରରେ ରାସନ ସାମଗ୍ରୀ ଯୋଗାଣ କରୁଥିବା ରାଜ୍ୟ ଯୋଗାଣ ନିଗମରେ ୧୭୪୩ ପଦ ଖାଲିପଡ଼ିଛି। ବିଦ୍ୟୁତ୍‌ ସରବରାହ ଭଳି ଅତ୍ୟାବଶ୍ୟକ ସେବାରେ ଥିବା ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମରେ ୨୧୭୦ଟି, ଓଡ଼ିଶା କୋଇଲା ଓ ଶକ୍ତି ନିଗମରେ ଖାଲିଥିବା ୩୮ଟି ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମରେ ଖାଲିଥିବା ୧୪ଟି ପଦ କେବେ ପୂରଣ ହେବ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ରଖିନାହାନ୍ତି।

ରେଳପଥ କିମ୍ବା ଅନ୍ୟାନ୍ୟ ବିକଳ୍ପ ନଥିବା ଅଞ୍ଚଳରେ ଯାତ୍ରୀ ପରିବହନ ସେବାରେ ନିୟୋଜିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ୧୫୧୬ଟି ପଦ ଖାଲିପଡ଼ିଛି। ଶିଳ୍ପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ (ଇପିକଲ୍‌) ଏବଂ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ପାଇଁ ଅଭିପ୍ରେତ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ଭଳି ସ୍ୱଳ୍ପ କର୍ମଚାରୀ ବିଶିଷ୍ଟ ସଂସ୍ଥାରେ ଯଥାକ୍ରମେ ୫୨ ଓ ୩୩ଟି ପଦ ଖାଲିପଡ଼ିଛି। ରାଜ୍ୟକୁ ବିପୁଳ ଅବକାରୀ ରାଜସ୍ୱ ଦେଉଥିବା ପାନୀୟ ନିଗମରେ ୩୫ଟି ପଦ ଖାଲିଥିବାବେଳେ ଓଡ଼ିଶା ରାଜ୍ୟ ଅର୍ଥ ନିଗମରେ ଖାଲି ପଡ଼ିଥିବା ୧୫୮ ପଦ ପୂରଣ ଲାଗି ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିପଣନକୁ ସହଜ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଉଦ୍ଦିଷ୍ଟ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମରେ ୧୪୬, ଓଡ଼ିଶା ନିର୍ମାଣ ନିଗମରେ ୪୨୮, ସେତୁ ନିର୍ମାଣ ନିଗମରେ ୭୦ଟି, ଓଡ଼ିଶା ପଣ୍ୟାଗାର ନିଗମରେ ୨୨୧ଟି , ଓ୍ୱାଟ୍‌କୋରେ ୨୦ଟି ଏବଂ ରାଜ୍ୟ ଔଷଧ ନିଗମରେ ୪୧ଟି ପଦ ଦୀର୍ଘଦିନରୁ ଖାଲିପଡ଼ିଛି।

ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ ଶିଳ୍ପ ଉନ୍ନୟନ ନିଗମ (ଇଡ୍‌କଲ୍‌)ର ସହଯୋଗୀ ସଂସ୍ଥା- ବଡ଼ବିଲସ୍ଥିତ କଳିଙ୍ଗ ଆଇରନ୍‌ ଓ୍ୱାର୍କସ୍‌, ଯାଜପୁର ରୋଡ୍‌ସ୍ଥିତ ଫେରୋକେ୍ରାମ୍‌, ଓଡ଼ିଶା ସଫ୍ଟେଓର୍‌ ଲିଃ ଆଦିରେ ଖାଲି ପଡ଼ିଥିବା ପଦଗୁଡ଼ିକ ପୂରଣ ଲାଗି କୌଣସି ଯୋଜନା ନାହିଁ।

ସମ୍ବନ୍ଧିତ ଖବର