ଭଦ୍ରକ: ଭଦ୍ରକ ପୁଲିସ୍ର ଗାଡି ଚେକିଂ ସମୟରେ ପୁଲିସ ପଞ୍ଝାରେ ପଡିଲେ ବ୍ରାଉନସୁଗାର ବେପାରୀ। ଏଇ ମାଫିଆ ବେପାରୀଙ୍କ ଠାରୁ ୧୦୫ ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ।
ସୂଚନା ଅନୁଯାୟୀ, ତିନିଜଣ ବାଇକ ଆରୋହୀ ବିନା ହେଲମେଣ୍ଟରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା। ତିନିଜଣ ବିନା ହେଲମେଣ୍ଟରେ ଆସୁଥିବା ବାଇକ ଆରୋହୀଙ୍କୁ ପୁଲିସ ଚେକିଂ କରିବା ସମୟରେ ସେମାନଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା। ପରେ ଏନେଇ ପୁଲିସ ଅଧିକ ଖୋଳତାଡ଼ କରିବାରୁ, ସେମାନଙ୍କ ନିକଟରୁ ୦୩୦ଟି ଖାଲି ବ୍ରାଉନସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ୟ ଜବତ କରିଥିଲା। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ପୁଲିସ ତାହାର ପରିଚୟ ଅସ୍ପଷ୍ଟ ରଖିଛି। ଅନ୍ୟ ଦୁଇ ଅଭିଯୁକ୍ତ ସ୍ଥାନୀୟ ବଉଳପୋଖରୀ ଅଞ୍ଚଳର ହୋଇଥିବା ପୁଲିସ ସୂଚନା ଦେଇଛି। ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି। ବ୍ରାଉନସୁଗାର କେଉଁଠୁ ଆସିଲା ଓ ଏହି ବେପାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ କୁମାର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ଭଦ୍ରକ ସହର ଓ ଗାଁ ଗହଳି ଏବେ ବ୍ରାଉନ ସୁଗାର ବେପାରୀଙ୍କ ଚରା ଭୂଇଁ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/IMG-20220803-WA0003.jpg)