ଭିତରକନିକାରେ ୧୦୬ କୁମ୍ଭୀର ବସା ଚିହ୍ନଟ

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୬ଟି ବସାରେ ଅଣ୍ତା ଦେଇଥିବା ଜଣାପଡିଛି। ଭିତରକନିକା ଫରେଷ୍ଟବ୍ଲକ ଓ ଡାଙ୍ଗମାଳ ଫରେଷ୍ଟବ୍ଲକର ଗଂଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା, ଡାଙ୍ଗମାଳ ସ୍କିମ୍ ସମେତ ରାଜନଗର ଓ ମହାକାଳପଡା ରେଞ୍ଜ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲବିଭାଗ ସୁତ୍ରରୁ ଜଣାପଡିଛି।

ଭିତରକନିକା ଇତିହାସରେ ପ୍ରଥମଥର ପାଇଁ ବଉଳାକୁମ୍ଭୀର ଶହେରୁ ଅଧିକ ବସା କରି ଅଣ୍ତା ଦେଇଥିବା ଜଣାପଡିଛି। ପ୍ରତିବର୍ଷ ମେ’ରୁ ଜୁଲାଇ ୩ ମାସ ମଧ୍ୟରେ ମା’ ବଉଳା କୁମ୍ଭୀରମାନେ ବସା କରି ଅଣ୍ତାଦେବା ସହିତ ଅଣ୍ତାରୁ ଛୁଆ ଫୁଟାଇଥାନ୍ତି। ମା’ କୁମ୍ଭୀର ଅନ୍ତସତ୍ବା ହେବା ପରେ ଅଣ୍ତାଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳ ଠୁଁ ଟିକେ ଉଚ୍ଚା ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଦେଢରୁ ଦୁଇ ଫୁଟ ଉଚ୍ଚର ଗଦା କରିଥାନ୍ତି। ଏହି ଗଦା ଉପରେ ଅଣ୍ତାଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ରଖିଥାନ୍ତି। ପ୍ରତ୍ୟେକ ମା’ କୁମ୍ଭୀର ୪୦ ରୁ ୫୦ ଟି ପର୍ଯ୍ୟନ୍ତ ଅଣ୍ତା ଦେଇଥାନ୍ତି। ଅଣ୍ତା ଦେବାର ୭୫ ଦିନ ମଧ୍ୟରେ ଅଣ୍ତାରୁ ଛୁଆ ବାହାରିଥାଏ। କୁମ୍ଭୀର ଅଣ୍ତାଦେବା ପରେ ବସା ଉପରେ , ବସା ପାଖରେ କିମ୍ବା ୫ ରୁ ୧୦ ଫୁଟ ଦୂରରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଚଳିତବର୍ଷ ମଇ ୧ ତାରିଖ ଠାରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ୧୦୬ଟି ବସା ଚିହ୍ନଟ ହୋଇଥିବା ଜଣାପଡିଛି। ଭିତରକନିକାରେ ପ୍ରଥମଥର ପାଇଁ ବଉଳା କୁମ୍ଭୀରମାନେ ଶହେରୁ ଅଧିକ ବସା କରି ଅଣ୍ତା ଦେଇଛନ୍ତି। କନିକା ରେଂଜ ଅଂଚଳରେ ୯୨ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଂଜ ଅଂଚଳରେ ୧୦ଟି, ଗହୀରମଥା ରେଂଜ ଅଂଚଳରେ ୩ଟି ଓ ମହାକାଳପଡା ରେଂଜ ଅଂଚଳରେ ଗୋଟିଏ କୁମ୍ଭୀର ବସା ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର