ଗଛ ଉପୁଡ଼ିଲା, କଚ୍ଚାଘର ମାଟିରେ ମିଶିଲା: ପାରାଦୀପରେ ୧୦୬ କି.ମି ବେଗରେ ପବନ

ରାଜନଗରରେ ବନ୍ଧ ଡେଇଁ ଗାଁରେ ପଶିଲା ଜୁଆର ପାଣି

କେନ୍ଦ୍ରାପଡ଼ା/ରାଜନଗର/ମହାକାଳପଡ଼ା: ବାତ୍ୟା ଅମ୍ଫାନ୍‌ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ାରେ ତାଣ୍ଡବ ରଚିଛି। ରାଜନଗରରେ ବନ୍ଧ ଡେଇଁ ଜୁଆର ପାଣି ଗାଁ ଭିତରକୁ ପଶି ଆସିଥିବାବେଳେ ମହାକାଳପଡ଼ା ଆଦିବାସୀ ବସ୍ତିର ୩୦ଟି ଘରେ ଜୁଆର ପାଣି ପଶିଛି। ବାତ୍ୟାବେଳେ ରାଜନଗରରେ କୋଠାଘରେ ରହୁଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ମହାକାଳପଡ଼ାରେ ମାଛ ଧରିବାକୁ ଯାଇଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟତୀତ ଅନ୍ୟ ବ୍ଲକଗୁଡ଼ିକରେ ବ୍ୟାପକ ଗଛ, ବିଜୁଳି ଖୁଣ୍ଟ, କଚ୍ଚା ଘର ଭାଙ୍ଗିଛି। ଗତକାଲିଠାରୁ ଜିଲ୍ଲାରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାବେଳେ ଆଜି ରାତି ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ।

ଗତକାଲି ଅପରାହ୍ନରୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ରାତି ୮ ଟାରୁ ପ୍ରବଳ ବର୍ଷା ସହିତ ଜୋର୍‌ରେ ପବନ ବହିଥିଲା। ଆଜି ଦିନ ପ୍ରାୟ ୧ଟା ଯାଏ ବର୍ଷା, ପବନ ଲାଗି ରହିଥିଲା। ଜିଲ୍ଲାରେ ମୋଟ୍‌ ୬୬୯ ମିମି ବର୍ଷା ରେକର୍ଡ କରାଯାଇଛି। ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, ରାଜନଗର, ରାଜକନିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ମହାକାଳପଡ଼ାରେ ସର୍ବାଧିକ ୧୧୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜନଗରରେ ୮୧, ଗରଦପୁରରେ ୮୫, ରାଜକନିକାରେ ୭୮, ମାର୍ଶାଘାଇରେ ୮୮, ପଟ୍ଟାମୁଣ୍ଡାଇରେ ୫୩ ଓ ଆଳିରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଏହି ସବୁ ସ୍ଥାନରେ ଶହେରୁ ଅଧିକ କିମି ବେଗରେ ପବନ ବହିଥିବା ସୂଚନା ମିଳିଛି। ପବନ ପ୍ରକୋ‌ପରେ ରାଜନଗର, ମହାକାଳପଡ଼ା ବ୍ଲକ ସମେତ ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ଗରଦପୁର, ଆଳି, ରାଜକନିକା ଅଞ୍ଚଳରେ ବ୍ୟାପକ ଗଛ, ଘର ଭାଙ୍ଗିଛି। ଅପରାହ୍ନରେ ବର୍ଷା, ପବନ କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ୫୩୪ ଟି ବାତ୍ୟା ଆଶ୍ରୟସ୍ଥଳକୁ ମୋଟ୍‌ ୩୯,୮୬୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାତ୍ୟା ବେଳେ ରାଜନଗର ଅଞ୍ଚଳରେ କୋଠା ଘରେ ରହୁଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷକରି ପଟ୍ଟାମୁଣ୍ଡାଇ-ରାଜନଗର, ରାଜନଗର ତାଳଚୁଆ, ରାଜନଗର- ଗୁପ୍ତି, କୁନ୍ଦୁପୁର-ବାବର, ମଦନପୁର-ଗୋପାଳପୁର ମୁଖ୍ୟ ରାସ୍ତାରେ ଶହ ଶହ ଗଛ ଭାଙ୍ଗି ପଡ଼ିଥିଲା। ଚାଳଘର ଉପରେ ଗଛ ପଡ଼ି ଘର ଭାଙ୍ଗିଥିଲା। ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ଶହ ଶହ ଘର ଭାଙ୍ଗି ପଡ଼ିଛି। ବାତ୍ୟା ପୂର୍ବରୁ ଏହି ବ୍ଲକର ୨୯ ପଞ୍ଚାୟତ ୬ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ଛାଡ଼ିବା ପରେ ସନ୍ଧ୍ୟାରେ ବିପନ୍ନମାନେ ଘରକୁ ଫେରିଛନ୍ତି।

ଏହି ବ୍ଲକର ଈଶ୍ବରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ଭିତରକୁ ଜୁଆର ପାଣି ପଶି ଯାଇଥିଲା। ଗାଁ ନିକଟରେ ଯାଇଥିବା ପୁରୁଷୋତ୍ତମପୁର ଲୁଣା ଘେରିବନ୍ଧ ଡେଇଁ ପାଟଶାଳା ନଦୀର ଜୁଆର ପାଣି ୪୦୦ ମିଟର ବନ୍ଧ ଡେଇଁ ଗାଁ ଭିତରକୁ ପଶିଥିଲା। ଗାଁର ପ୍ରତାପ ମଣ୍ଡଳଙ୍କ ଘର ଓ ପରିବାର ଲୋକେ ଜୁଆର ପାଣି ଘେରରେ ଥିଲେ। ଜୁଆର ପାଣି ଚାଷ ଜମି ଓ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗିଥିଲା। ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ବାଲିବସ୍ତା ସେଠାରେ ରଖାଯାଇଥିଲା। ପାଣି ଗାଁ ଭିତରକୁ ପଶିବା ପରେ ଗ୍ରାମବାସୀ ବାଲିବସ୍ତା ବନ୍ଧ ଉପରେ ପକାଇଥିଲେ। ସେହିପରି ବ୍ରାହ୍ମଣୀ ନଦୀର ଜୁଆର ପାରି ଜୁଣଗଡ଼ି ଓ ପଦ୍ମନାଭପୁର ଗାଁ ମଧ୍ୟକୁ ପ୍ରବେଶ କରିଥିଲା। ପଦ୍ମନାଭପୁର ଗାଁର ମହେନ୍ଦ୍ର ଦାସ, ପୁରେନ୍ଦ୍ର ଦାସ, ସୁରେନ୍ଦ୍ର ଦାସ ପ୍ରମୁଖ ୪୦ ପରିବାର ଓ ଜୁଣଗଡ଼ି ଗାଁର ବଳରାମ ରାଉଳ, ଅକ୍ଷୟ ରାଉତ, ମଧୁସୂଦନ ବାରିକ, ସଦାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଘନଶ୍ୟାମ ଦାସ ପ୍ରମୁଖ ୩୦ ପରିବାର ପାଣି ଘେରରେ ଥିଲେ। ଅନ୍ୟପକ୍ଷ‌ରେ ବାଉଁଶଗଡ଼ ଲୁଣାଘେରି ବନ୍ଧ ଡେଇଁ ଜୁଆରପାଣି ମଗରକଳା, ଅଡାସଲଠାରେ ଥିବା ୩ ଶହ ଏକର ଚାଷ ଜମିରେ ମାଡ଼ିଯାଇଛି। କେଲେଡ଼ାଗଡ଼-ଅଳତାଙ୍କ ଲୁଣାଘେରି ବନ୍ଧର ଜଗନ୍ନାଥପୁର ଓ ବସନ୍ତପୁର ନିକଟରେ ଜୁଆର ପାଣି ଭେଡ଼ା ମଧ୍ୟକୁ ପ୍ରବେଶ କରିଛି। ଗୁମୁରା-ବାଳୁଆ-ପାଟିଆ ଲୁଣା ଘରି ବନ୍ଧ ଡେଇଁ ପାଟଶାଳା ନଦୀର ଜୁଆର ପାଣି ଗାଁ ଭିତରକୁ ପଶି ଆସିବାରୁ ଗୁମୁରା ଓ ଶୈଳେନ୍ଦ୍ର ନାରାୟଣପୁରର ୫୦ରୁ ଅଧିକ ପରିବାର ଜୁଆର ପାଣି ଘେରରେ ରହିଛି। ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ଓ ଓଡ୍ରାଫ୍‌ ଟିମ୍ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପେଣ୍ଠ ନିକଟରେ ବଙ୍ଗୋପସାଗରରୁ ଉଚ୍ଚ ଜୁଆର ଆସି ଲୁଣା ଘେରିବନ୍ଧରେ ମାଡ଼ ହୋଇଥିଲା। ଉଚ୍ଚ ଜୁଆର ଜିଓ ଟ୍ୟୁବ୍‌ ବନ୍ଧ ଓ ପଥର ବନ୍ଧରେ ମାଡ଼ ହୋଇ ଭେଡ଼ା ମଧ୍ୟକୁ ପ୍ରବେଶ କରିଥିଲା। ସେହିପରି ସାତଭାୟା ନିକଟରେ ସମୁଦ୍ର ଜୁଆର ପାଣି ପୁରୁଣା ମା ପଞ୍ଚୁବରାହୀ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲା। ମହାକାଳପଡ଼ା ଖରିନାସୀ ପଞ୍ଚାୟତ ୧୨ ନଂ. ଆଦିବାସୀପଡ଼ା ଗ୍ରାମରେ ଗୋବରୀ ନଦୀର ଜୁଆର ପାଣି ପଶିଛି। ଏହି ଗ୍ରାମର ପ୍ରାୟ ୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପକ୍ଷରେ, ମାର୍ଶାଘାଇ ବ୍ଲକରେ କେତେକ ସ୍ଥାନରେ ଆଜବେଷ୍ଟସ ଉଡ଼ି ଯାଇଥିବା ବେଳେ ଆଳି ବ୍ଲକ ପଦନୀପାଳ ସମେତ ବିଭିନ୍ନ ଅଞ୍ଚଳରେ ଡାଳୁଅ ଧାନ ଓ ହଦୁଆ, ମାଣିକପାଟଣା, ଦଶିପୁରରେ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ପଦନିପାଳ ଘାଟର ଘାଟିଆ ସୁରେନ୍ଦ୍ର ମଲିକଙ୍କ ଘାଟଡଙ୍ଗା ନଦୀରେ ଭାସିଯାଇଥିବା ଖବର ମିଳିଛି। ପୁଲିସ ଡିଆଇଜି ଆଶିଷ ସିଂହ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା, ଜିଲ୍ଲାପାଳ ସମର୍ଥ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ଜଗତସିଂହପୁର: ଘଣ୍ଟା ପ୍ରତି ୧୦୬ କିଲୋମିଟର ବେଗରେ ବହିଲା ପବନ। କୂଳରେ ସମୁଦ୍ରର ଉଚ୍ଚ ଲହଡ଼ି ମାଡ଼ ହେଲା। ପ୍ରବଳ ବର୍ଷିଲା। ଗଛ ଭାଙ୍ଗିଲା। ଚାଳ ଓ ଆଜବେଷ୍ଟସ୍ ଛପର ଉଡ଼ିଲା। ଆଜି ସକାଳେ ପାଖାପାଖି ଘଣ୍ଟାଏ କାଳ ପାରାଦୀପରେ ଏଭଳି ତାଣ୍ଡବ ଖେଳାଇଛି ବାତ୍ୟା ଅମ୍ଫାନ। ଅମ୍ଫାନ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଗତସିଂହପୁର ଜିଲ୍ଲାର ବନ୍ଦରନଗରୀ ପାରାଦୀପ। ଗତକାଲି ଅପରାହ୍ନରୁ ପାରାଦୀପରେ ପବନର ବେଗ ବଢିବା ସହିତ ତୁହାକୁତୁହା ବର୍ଷା ଆରମ୍ଭ ହୋଇଥିଲା। ଆଜି ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ ଘଣ୍ଟା ପ୍ରତି ୧୦୬ କିମି ବେଗରେ ପବନ ବହିଥିଲା। ସମୁଦ୍ରର ଗର୍ଜନରେ ପାରାଦୀପ କମ୍ପିବା ସହିତ ଅଂଚଳବାସୀଙ୍କ ମଧ୍ୟରେ ମହାବାତ୍ୟାର ଛନକା ପଶିଥିଲା। ମାତ୍ର ୧୦ଟା ପରେ ଅମ୍ଫାନ ପାରାଦୀପ ଅତିକ୍ରମ କରିବାପରେ ପାରାଦୀପରେ ପବନର ବେଗ କମିଥିଲା। ମାତ୍ର ବର୍ଷା ଲାଗି ରହିଥିଲା।

ଜିଲ୍ଲାରେ ୯୪୮ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପାରାଦୀପରେ ରାଜ୍ୟର ସର୍ବାଧିକ ୨୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଦିନ ୩ଟା ପରଠାରୁ ପରିସ୍ଥିତରେ ସୁଧାର ଆସିଛି। ବାତ୍ୟା ଯୋଗୁଁ ପାରାଦୀପ ପୌରପାଳିକା ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବନ୍ଦର ନଗରୀର ବିଭିନ୍ନ କଲୋନିରେ ବହୁ ପରିମାଣରେ ଗଛ ଭାଙ୍ଗି ପଡ଼ିଛି। ନୂଆବଜାର, ମଧୁବନ ଓ ବୃନ୍ଦାବନ କଲୋନି ସମେତ କୁମ୍ଭୀର ପାର୍କ ଛକ, ମାଉସୀ ମା’ ଛକ, ଲକ୍‌ ପଡ଼ା, ମୁଣ୍ତା ସାହି, ଷଣ୍ଢକୁଦ ପ୍ରଭୃତି ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଜାମ୍ ହୋଇଛି। ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଏହି ଗଛଗୁଡ଼ିକୁ କାଟି ସଫା କରିଛନ୍ତି। ପାରାଦୀପ ରେଲଓ୍ବେ ଷ୍ଟେସନ ଓ ୱାଗନ୍ ମରାମତି ସେଡ୍‌ର ଛାତ ଉଡ଼ିଯାଇଛି। ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ବୋଟ୍‌ ଓଲଟି ପଡ଼ିଛି। ପାରାଦୀପ ପରକୁ ଜିଲ୍ଲାର ଏରସମା ଅଞ୍ଚଳରେ ପବନ ଓ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରାୟ ସବୁ ବ୍ଲକ ଅଞ୍ଚଳରେ ବର୍ଷା ଓ ପବନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଛୋଟବଡ଼ ଗଛ ଉପୁଡିଛି। ବାତ୍ୟା ଓ ବର୍ଷା ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗତକାଲିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଜି ସଂଧ୍ୟାରୁ କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି। ପାରାଦୀପ ବନ୍ଦରାଞ୍ଚଳକୁ କିନ୍ତୁ ବିଦ୍ୟୁତ ଯୋଗାଣ ଜାରି ରହିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ୬ଟି ବ୍ଲକ୍ ଓ ୨ଟି ପୌରପାଳିକାରେ ୧୬,୮୪୦ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ଏରସମାରେ ୫,୫୦୧ ଓ ପାରାଦୀପ ପୌରପାଳିକାରେ ୪,୩୬୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟାର ପ୍ରକୋପ ହ୍ରାସ ପାଇବା ପରେ ବହୁ ଲୋକ ଏବେ ଆଶ୍ରୟସ୍ଥଳ ଛାଡ଼ି ଘରକୁ ଫେରିବା ଆରମ୍ଭ କରିଛନ୍ତି। କିନ୍ତୁ କିଛି ଲୋକଙ୍କର ଛପର ଉଡ଼ି ଯାଇଥିବାରୁ ସେମାନେ ଏବେ ବି ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର