ଭୁବନେଶ୍ବର  ରାଜ୍ୟରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବିକାଶ ଦିଗରେ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦନ କରିଛନ୍ତି। ରୋଗୀ-କୈନ୍ଦ୍ରିକ ସୁବିଧା ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମୟାନୁବନ୍ଧିତ ଭାବେ ଶେଷ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞନ ପୂଜାରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି।

Advertisment

କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିସନ ମାଧ୍ୟମରେ ଏହି ଅର୍ଥ ଦିଆଯାଇଛି। ଏଥିରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ହସ୍ପିଟାଲମାନଙ୍କରେ ଭିତ୍ତଭୂମିର ବିକାଶ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବର ପ୍ରଶାସନିକ ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ସେବା, ଭେଷଜ ଶିକ୍ଷା ଓ ତାଲିମ, ଆୟୁଷ, ଭେଷଜ ନିର୍ଦେଶାଳୟ, ନର୍ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକମାନଙ୍କୁ କୁହାଯାଇଛି। ବିସ୍ତୃତ ପ୍ରକଳ୍ପ ପ୍ରସ୍ତୁତ କଲାବେଳେ ବିନିଯୋଗ ହେଉଥିବା ଅର୍ଥର ରୋଗୀ ସେବା ପାଇଁ ସର୍ବାଧିକ ଉପଯୋଗିତା ଉପରେ ଲକ୍ଷ୍ୟ ଦେବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।

ଅନୁମୋଦିତ କାର୍ଯ୍ୟ ଯୋଜନା ଭିତରେ ମୁଖ୍ୟତଃ ୯ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ସୁବିଧା ସୃଷ୍ଟି, ୬ଟି ନୂଆ ଉପଖଣ୍ଡସ୍ତରୀୟ ହସ୍ପିଟାଲ ନିର୍ମାଣ, ୬୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଘର ନିର୍ମାଣ, ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଷ୍ଟାଫ୍ କ୍ବାର୍ଟର ନିର୍ମାଣ, ତୃଣମୂଳ ସ୍ତରରେ ୪୦ଟି ହେଲଥ ସବ୍-ସେଣ୍ଟର ନିର୍ମାଣ, ୫ଟି ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପାହ୍ୟା ବୃଦ୍ଧି, ୬୯୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟରରେ ରୋଗୀମାନଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି ଓ ଆବାସିକ ଓ ଅଣ-ଆବାସିକ ଆୟୁଷ କେନ୍ଦ୍ରର ବିକାଶ ଆଦି ପ୍ରକଳ୍ପମାନ ରହିଛି। ସୂଚନା ଅନୁସାରେ ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ବାରିପଦା, ନୟାଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ନବରଙ୍ଗପୁରର ଉମରକୋଟ, ମାଲକାନାଗିରିର ମାଥିଲି ଓ ଚିତ୍ରକୋଣ୍ଡା, ନୂଆପଡ଼ାର ଖରିଆର ଓ ଗଞାମ ଜିଲ୍ଲାର ଆସ୍କାଠାରେ ନୂଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯିବ।