ଦିନକରେ ୧୦୭୮ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ନିକଟତର

ଜୁନ୍‌ ତୁଳନାରେ ଜୁଲାଇରେ ସଂଖ୍ୟା ୨ ଗୁଣାରୁ ଅଧିକ, ୫ ମୃତ୍ୟୁ, ମୋଟ ୧୦୮

ଭୁବନେଶ୍ୱର, : ରାଜ୍ୟରେ କରୋନା ଆଜି ପୂର୍ବର ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଦୁଇ ଜିଲ୍ଲାକୁ ବାଦ୍ ଦେଲେ ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ରେ ପହଞ୍ଚି ଯାଇଛି।

ଜୁନ୍ ମାସ ତୁଳନାରେ ଜୁଲାଇରେ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହୋଇଛି। ଜୁନ୍‌ ମାସରେ ୫୦୭୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ଏ ପର୍ଯ୍ୟନ୍ତ ୧୨,୯୦୧ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ରାଜ୍ୟ ସରକାର କରୋନାକୁ ନେଇ ପୂର୍ବରୁ ଯେଉଁ ପ୍ରସ୍ତୁତି ଜାରି ରଖିଥିଲେ, ଜୁଲାଇ ମାସ ଏହାକୁ ସଂପୂର୍ଣ୍ଣ ବିଗାଡ଼ି ଦେଇଛି। ଏହି ସମୟରେ ରାଜ୍ୟରେ କରୋନା ବୃଦ୍ଧି ହାର, ଜାତୀୟ ହାରଠାରୁ ଅଧିକ ରହିଛି। ଜାତୀୟସ୍ତରରେ ଏହା ୩.୨୬ ପ୍ରତିଶତ ଥିବା ବେଳେ ରାଜ୍ୟରେ ୫.୭୪ ପ୍ରତିଶତ ରହିଛି। ସେହିପରି ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆଇ) ଜାତୀୟସ୍ତରରେ ୧୧ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହା ୧୧.୬୨ ପ୍ରତିଶତ ରେକର୍ଡ କରାଯାଇଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୧୫ଟି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ହୋଇ ସାରିଲାଣି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୬ଟି ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ୫ଟି କରୋନା ମୃତ୍ୟୁ ଥିବା ବେଳେ ଅନ୍ୟ ଜଣେ ଅଣ କୋଭିଡ୍‌ରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ଗଞ୍ଜାମରେ ପ୍ରାଣ ହରାଇଥିବା ୩ଜଣ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏଥିରେ ୪୦ବର୍ଷର ମହିଳା ଓ ୬୧ ଓ ୬୦ବର୍ଷ ପୁରୁଷ ରହିଛନ୍ତି। ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଯାଇଛି। ସେହିପରି ଗଜପତି ଜିଲ୍ଲାରେ ୭୨ବର୍ଷର ପୁରୁଷ ମଧୁମେହ ସହିତ ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। କନ୍ଧମାଳ ଜିଲ୍ଲାର ୮୬ବର୍ଷର ପୁରୁଷ ମଧୁମେହ ଓ ସିଓପିଡିରେ ପୀଡ଼ିତ ଥିଲେ। ସମସ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି।

ଏହାବାଦ୍ ଗଞ୍ଜାମ ଜିଲ୍ଲାର ୫୯ବର୍ଷର ପୁରୁଷଙ୍କ ଯକୃତ ସମସ୍ୟା ଥିବା ବେଳେ ମୃତ୍ୟୁ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ବୋଲି ଘୋଷଣା କରାଯାଇଛି। ଜିଲ୍ଲାରେ ୫ଜଣ ଅଣ କୋଭିଡ୍‌ରେ ପ୍ରାଣ ହରାଇଥିବା ବେଳେ ରାଜ୍ୟରେ ଏହି ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।

ଆଜି ଦିନକରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୭୮ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩୭୧ ଜଣ ରହିଛନ୍ତି। ଏଥିରେ ୨୫ଜଣ କୋଭିଡ୍‌ ଯୋଦ୍ଧା ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୧୨୧, ରାୟଗଡ଼ା ୯୬, ମାଲକାନଗିରି ୬୬, କଟକ ୫୭, ଜଗତସିଂହପୁର ୩୫, ସୁନ୍ଦରଗଡ଼ ୨୯, ପୁରୀ ୨୮, ବରଗଡ଼ ୨୬, କେନ୍ଦ୍ରାପଡ଼ା ୨୪, ଯାଜପୁର ଓ ସମ୍ବଲପୁର ୨୦ ଲେଖାଏଁ, କେନ୍ଦୁଝର ୧୬, କୋରାପୁଟ ଓ କୋରାପୁଟ୧୫ ଜଣ ଲେଖାଏଁ, ମୟୂରଭଞ୍ଜ ଓ କନ୍ଧମାଳ ୧୩ ଲେଖାଏଁ, ବାଲେଶ୍ବର ଓ ସୋନପୁରୁ ୧୦ଜଣ ଲେଖାଏଁ, ବଲାଙ୍ଗୀର ୬, ନୟାଗଡ଼ ୫, ବୌଦ୍ଧ ୩, ଢେଙ୍କାନାଳ ୨, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର୍ କରିଛି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୬୨ରେ ପହଞ୍ଚିଛି। ଖୋର୍ଧା ୨୨୧୯, କଟକ ୧୩୮୪, ଯାଜପୁର ୧୦୪୩ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛନ୍ତି। ରାଜ୍ୟର ୨୭ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

ଆଜି ୪୪୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସର୍ବାଧିକ ୮୩ଜଣ ଖୋର୍ଧା ଜିଲ୍ଲାର ଥିବା ବେଳେ ଗଞ୍ଜାମ ୬୮, ବାଲେଶ୍ବର ୪୯, ମାଲକାନଗିରି ୪୦, ଜଗତସିଂହପୁର ୨୩, ଭଦ୍ରକ ୨୧, ମୟୂରଭଞ୍ଜ ୨୦, କୋରାପୁଟ ୧୮, ପୁରୀ ୧୭, ଝାରସୁଗୁଡ଼ା, ନବରଙ୍ଗପର ଓ କେନ୍ଦୁଝର ୧୨ ଲେଖାଏ, କଟକ ୧୧, ବରଗଡ଼ ୧୦, ଯାଜପୁର, ଅନୁଗୁଳରୁ ୯ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୬ଜଣ ଲେଖାଏଁ, ବଲାଙ୍ଗୀର ଓ ସମ୍ବଲପୁରରୁ ୫ଜଣ ଲେଖାଏଁ, ନୟାଗଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୩୭୪୯ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ହାର ପ୍ରାୟ ୬୯ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର