ଚିନ୍ତା ବଢ଼ାଇଲାଣି ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣା : ୮ମାସରେ ୧୭ରୁ ଅଧିକ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ, ଆମ୍ବୁଲାନ୍‌ସ ଦୁର୍ଘଟଣାରେ ଗଡ଼ୁଛି ଲୋକ, କର୍ମଚାରୀ ଓ ରୋଗୀଙ୍କ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ୧୦୮ ଆମ୍ବୁଲାନ୍‌ସର ଦୁର୍ଘଟଣାର ଶିକାର ହେବା ଏବେ ଚିନ୍ତାର ବିଷୟ ପାଲଟିଛି। କେଉଁଠି ଆମ୍ବୁଲାନ୍‌ସ ଓଲଟି ପଡ଼ୁଛି ତ ଆଉ କେଉଁଠି ଅନ୍ୟ ଗାଡ଼ି ସହିତ ପିଟି ହୋଇଯାଉଛି। ଗତ ୮ମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୭ରୁ ଅଧିକ ଦୁର୍ଘଟଣାର ଶିକାର ହୋଇଛି ୧୦୮ ଆମ୍ବୁଲାନ୍‌ସ। କେବଳ ଦୁର୍ଘଟଣା ହୋଇନି ଏଥିରେ ଆମ୍ବୁଲାନ୍‌ସର କର୍ମଚାରୀଙ୍କଠାରୁ ଆରମ୍ଭ କରି ଅନେକ ରୋଗୀ ଓ ଅନ୍ୟମାନେ ପ୍ରାଣ ହରାଇଛନ୍ତି। ଜରୁରୀକାଳୀନ ପରିସ୍ଥିତି ପାଇଁ ୧୦୮ ଆମ୍ବୁଲାନ୍‌ସ ଏକ ପ୍ରମୁଖ ମାଧ୍ୟମ ‌ହୋଇଥିବା ଏହା ଦୁର୍ଘଟଣାର ଶିକାର ହେବା ଆମ୍ବୁଲାନ୍‌ସ ଚଳାଚଳକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୮ମାସ ଭିତରେ ଯେଉଁ ଯେଉଁ ଜିଲ୍ଲାରେ ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହୋଇଛି ତାହାର ତଥ୍ୟ ଆଧାରରେ ଏହି ଚିତ୍ର ସାମ୍ନାକୁ ଆସିଛି। ଗତବର୍ଷ ଡିସେମ୍ବର ମାସରେ ମୟୂରଭଞ୍ଜ ଓ ପୁରୀରେ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହୋଇଥିଲା। ଯାହାଫଳରେ ଏହି ଦୁଇ ଆମ୍ବୁଲାନ୍‌ସ ୧୦୦ରୁ ଅଧିକ ଦିନ ହେବ ଅଚଳ ହୋଇ ପଡ଼ି ରହିଥିଲା। ଏହାର କିଛିଦିନ ପରେ ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ଦୁଇଟି ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହେବା ସହିତ ୩ମାସରୁ ଅଧିକ ସମୟ ଲୋକଙ୍କୁ ସେବା ଯୋଗାଇ ପାରି ନ ଥିଲା। ଗତ ଫେବ୍ରୁଆରି ମାସରେ ମୟୂରଭଞ୍ଜ, ମାର୍ଚରେ ଭଦ୍ରକ, ବ‌ାଲେଶ୍ବର, ପୁରୀ, ସମ୍ବଲପୁର, ଅନୁଗୁଳରେ ଦୁର୍ଘଟଣାର ଶିକାର ହୋଇଥିଲା। ଏପ୍ରିଲ ମାସରେ ସର୍ବାଧିକ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହୋଇଛି। କଳାହାଣ୍ଡି, ଖୋର୍ଧା, ବାଲେଶ୍ବର, କନ୍ଧମାଳ, ଦେବଗଡ଼, ସମ୍ବଲପୁର ଓ ନୟାଗଡ଼ ଜିଲ୍ଲାରେ ଏହି ଦୁର୍ଘଟଣା ନଜରକୁ ଆସିଛି। ଏହା ଭିତରୁ କେତେ ଆମ୍ବୁଲାନ୍‌ସ ୧ମାସରୁ ଅଧିକ ସମୟ ହେବ ଅଫରୋଡ୍‌ ବା ବିନା ଚଳାଚଳରେ ରହିଛି। ତେବେ ମେ’ମାସର ତଥ୍ୟ ମିଳିପାରି ନାହିଁ। କେବଳ ଯେ ଦୁର୍ଘଟଣାର ଶିକାର ହୋଇ ଆମ୍ବୁଲାନ୍‌ସ ଚଳାଚଳ ବନ୍ଦ ରହୁଛି ତା ନୁହେଁ, ଅନେକ ସମୟରେ ଇଞ୍ଜିନ୍ ସମସ୍ୟା, ଆମ୍ବୁଲାନ୍‌ସ ମରାମତି ପାଇଁ ଚଳାଚଳ ବନ୍ଦ ରହୁଥିବାରୁ ଲୋକମାନଙ୍କୁ ଜରୁରୀ ସେବା ମିଳିପାରୁ ନାହିଁ। ଗତ କିଛିମାସ ଭିତରେ ପ୍ରାୟ ୫୦ଟି ଆମ୍ବୁଲାନ୍‌ସ ବିଭିନ୍ନ ସମୟରେ ଅଚଳ ହୋଇଥିବା ନଜରକୁ ଆସିଛି।

ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନ୍‌ସ ଚଳାଚଳ କରୁଛି। କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍‌ସର ନିୟମ ରହିଛି। ରାଜ୍ୟ‌ରେ ଯେତେ ସଂଖ୍ୟକ ୧୦୮ ଆମ୍ବୁଲାନ୍‌ସ ଚଳାଚଳ କରୁଛି ତହିଁରୁ ସର୍ବାଧିକ ଆମ୍ବୁଲାନ୍‌ସ ଗଞ୍ଜାମ ଜିଲ୍ଲାରେ ରହିଥିବା ବେଳେ ଅନେକ ଜିଲ୍ଲାରେ ଯଥେଷ୍ଟ କମ୍ ସଂଖ୍ୟକ ଆମ୍ବୁଲାନ୍‌ସ ରହିଛି। ଏଭଳି ପରିସ୍ଥିତିରେ ‌କମ୍ ଆମ୍ବୁଲାନ୍‌ସ ରହିଥିବା ଜିଲ୍ଲାଗୁଡ଼ିକରେ ଆମ୍ବୁଲାନ୍‌ସ ଚଳାଚଳ ବନ୍ଦ ରହିବା ସ୍ଥାନୀୟ ଲୋକଙ୍କୁ ଜରୁରୀ ସେବା ପ୍ରଦାନରେ ସମସ୍ୟା ଦେଖା ଦେଉଛି। ଆମ୍ବୁଲାନ୍‌ସ କର୍ତୃପକ୍ଷ ମଧ୍ୟ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ କୌଣସି ଜିଲ୍ଲାରେ ଆମ୍ବୁଲାନ୍‌ସ ଚଳାଚଳ ବନ୍ଦ ରହିଲେ ଏହାର ନିକଟବର୍ତୀ ଜିଲ୍ଲାରୁ ଆମ୍ବୁଲାନ୍‌ସକୁ କମ୍ ଆମ୍ବୁଲାନ୍‌ସ ରହିଥିବା ଜିଲ୍ଲାରୁ ଡାଇଭର୍ଟ କରାଯାଉଛି। ଏହାଫଳରେ ଉଭୟ ଦୁଇ ଜିଲ୍ଲାରେ ଏହାର ପ୍ରଭାବ ପଡ଼ୁଛି। ଏହାସହ ଧାର୍ଯ୍ୟ ସମୟ ଭିତରେ ରୋଗୀ କିମ୍ବା ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ନିକଟରେ ଆମ୍ବୁଲାନ୍‌ସ ପହଞ୍ଚିବା ସମ୍ଭବ ହେଉନାହିଁ। ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ପହଞ୍ଚିବା ‌ସ୍ଥାନୀୟ ଲୋକମାନଙ୍କ କ୍ଷେତ୍ରରେ ଏକ ଅଭିଯୋଗ ରହି ଆସିଛି। ୧୦୮ ଆମ୍ବୁଲାନ୍‌ସ ଚଳାଇବା ପାଇଁ କର୍ତୃପକ୍ଷ ଅଭିଜ୍ଞ ଡ୍ରାଇଭରଙ୍କୁ ଚୟନ କରୁଥିବା କହୁଛନ୍ତି। ହେଲେ କେଉଁ ପରିସ୍ଥିତିରେ ଆମ୍ବୁଲାନ୍‌ସ ଦୁର୍ଘଟଣାର ମାତ୍ରା ବଢ଼ି ଚାଲିଛି ତାହାକୁ ଆମ୍ବୁଲାନ୍‌ସ କର୍ତୃପକ୍ଷ ଗୁରୁତ୍ବର ସହ ବିଚାର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ଚଳାଉଥିବା ଜିକିଜା କର୍ତୃପକ୍ଷଙ୍କ କହିବା କଥା, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଗାଇଡଲାଇନ ଅନୁସାରେ ୧୦୮ ଆମ୍ବୁଲାନ୍‌ସକୁ କେବଳ ଟାଟ ଅଥରାଇଜ୍‌ଡ ୱାର୍କସପ୍‌ରେ ମରାମତି ପାଇଁ ନିୟମ ରହିଛି। ତେବେ ଟାଟା ୱାର୍କସପ୍‌ରେ ଗାଡ଼ିର ଯନ୍ତ୍ରପାତି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ସାଧାରଣ ମରାମତି ମଧ୍ୟ ବିଳମ୍ବ ହେଉଛି। ରାଜ୍ୟବ୍ୟାପୀ ଟାଟାର ୧୧ଟି ଅଥରାଇଜ୍‌ଡ ୱାର୍କସପ୍ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ୬ଟି ୱାର୍କସପ୍ ରହିଛି। ମରାମତିରେ ବିଳମ୍ବ ଯୋଗୁଁ ଆମ୍ବୁଲାନ୍‌ସ ଚଳଚାଳରେ ସମସ୍ୟା ଉପୁଜୁଛି। ଏହାସହ ଦୁର୍ଘଟଣାର ଶିକାର ହେଉଥିବା ଆମ୍ବୁଲାନ୍‌ସ ଥାନାରେ ରହୁଥିବା ବେଳେ ସେଠାରୁ ବାହାର କରିବା ପାଇଁ କାଗଜପତ୍ର ଯାଞ୍ଚ ହେଉଛି। ଏଥିଯୋଗୁଁ ମଧ୍ୟ ବିଳମ୍ବ ହେଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜଧାନୀରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର ନିର୍ମାଣ ପାଇଁ କିଛିବର୍ଷ ପୂର୍ବରୁ ଉଦ୍ୟମ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାସତ୍ବେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜଧାନୀରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର ପ୍ରସ୍ତୁତ ହୋଇପାରି ନାହିଁ। ଅନେକ ସମୟରେ ରାଜଧାନୀରେ ଆମ୍ବୁଲାନ୍‌ସ ଲୋକଙ୍କ ଗହଳି ଭିତରେ ଅଟକି ରହୁଥିବା ନଜରକୁ ଆସୁଛି।

ସମ୍ବନ୍ଧିତ ଖବର