ଗଞ୍ଜାମ: ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁ ଜଣଙ୍କର ଜୀବନ ଯାଇଛି । ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । 

Advertisment

କ୍ରିକେଟ ଖେଳୁଥିବା ବେଳେ ପେଟରେ ବଲ୍ ବାଜିଥିଲା । ଗୁରୁତର ଅବସ୍ଥାରେ ଶଙ୍କରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖଲ୍ଲିକୋଟ ମେଡିକାଲରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିବା ପାଇଁ ସେଠିକାର ଡାକ୍ତର କହିଥିଲେ ।

୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧୧ ସମୟରେ ଖଲ୍ଲିକୋଟରୁ ଶଙ୍କରକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଭିମୁଖେ ପରିବାର ସଦସ୍ୟ ବାହାରିଥିଲେ। ଖଲ୍ଲିକୋଟ ମେଡିକାଲରୁ ବାହାରି ଖଲ୍ଲିକୋଟ ଘାଟି ମଝିରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା ।

ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଭୋର୍ ୪ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ଖରାପ ଯୋଗୁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ganjam