ସୋର: ଭରସାଯୋଗ୍ୟ ନୁହେଁ ୧୦୮ ଆମ୍ବୁଲାନ୍ସ ସେବା। ବାଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଜଣେ ରୋଗୀଙ୍କ ଜୀବନ ଚାଲିଯାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଥିବା ଏହି ଘଟଣା ସରକାରୀ ଆମ୍ବୁଲାନ୍ସ ସେବା ନେଇ ଅନେକ ପ୍ରଶ୍ନ ଉଠାଇଛି।
ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମର ନାରାୟଣ ଚଣ୍ଡ (୬୬) ଆଜି ସକାଳେ ବିଲକୁ ଯାଇଥିଲେ। ହେଲେ, ସେ ବହୁସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରୁ ନାରାୟଣ ଗାଁ ନିକଟ ଏକ ନାଳରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଥିବା ନାରାୟଣଙ୍କୁ ୧୦୮ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନା ନିଆଯାଉଥିଲା। ଏତିକିବେଳେ ଘୋଡ଼ାମରା ନିକଟରେ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଫଳରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡକାଯାଇଥିଲା। ପ୍ରାୟ ୪୦ ମିନିଟ୍ ପରେ ନାରାୟଣଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଶବ ଜବତ ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ୧୧୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବା, ସେଥିରେ ଥିବା ରୋଗୀଙ୍କ ମୃତ୍ୟୁ ଘଟିବାକୁ ନେଇ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋରରେ ନିୟୋଜିତ ୧୦୮ ଗାଡ଼ିଗୁଡ଼ିକର ମରାମତି ହେଉ ନଥିବା ଯୋଗୁ, ସେଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି ବୋଲି ଅନେକ ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି। ଏନେଇ ସୋର ୧୦୮ ଆମ୍ବୁଲାନ୍ସର ସୁପର୍ଭାଇଜର୍ ଅଶୋକ କୁମାର ବାରିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କ ପ୍ରତିକ୍ରିୟା ମିଳିପାରିନି।