୧୦୮ ଆମ୍ବୁଲାନ୍ସର ଚାହିଦା କମିନି, ଦୈନିକ ଆସୁଛି ହାରାହାରି ୮୫୦୦ କଲ୍‌

ଭୁବନେଶ୍ବର : କରୋନା ସମୟରେ ବି ୧୦୮ ଆମ୍ବୁଲାନ୍ସ ସେବାର ଚାହିଦା କମିନି। ରାଜ୍ୟରେ ଏବେ ୬୨୪ଟି ୧୦୮ ଆମ୍ବୁଲାନ୍ସ ଚଳପ୍ରଚଳ କରୁଥିବାବେଳେ ଦୈନିକ ୮ ହଜାରରୁ ୮୫୦୦ କଲ୍ ଆସୁଛି। ଯାହାକି ସାଧାରଣ ସମୟରେ ଆସୁଥିବା କଲ୍‌ଠାରୁ ପ୍ରାୟ ଏକ ହଜାର ଅଧିକ। କୋଭିଡ ପରିଚାଳନା ତଥା କୋଭିଡ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ପକ୍ଷରୁ ମାଳମାଳ ପ୍ରାଇଭେଟ୍‌ ଆମ୍ବୁଲାନ୍ସ ରଖାଯାଇଛି। ଏହାସତ୍ତ୍ବେ ୧୦୮ ଆମ୍ବୁଲାନ୍ସର ଆବଶ୍ୟକତା ଆହୁରି ବୃଦ୍ଧି ପାଇଛି।

ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରେ ଥିବା ଘରୋଇ ଆମ୍ବୁଲାନ୍ସକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି। କୋଭିଡ ଆକ୍ରାନ୍ତଙ୍କୁ ପଠାଇବା କାର୍ଯ୍ୟ ସେଥିରେ କରାଯାଉଛି। ଅଣକୋଭିଡଙ୍କ ପାଇଁ ପୂର୍ବ ଭଳି ୧୦୮ ଆମ୍ବୁଲାନ୍ସ ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ କୋଭିଡ ଯୋଗୁଁ ଅଣକୋଭିଡମାନଙ୍କୁ ଡାକ୍ତରଖାନା ଆସିବାକୁ ବାରଣ କରାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବାଧିକ ୧୦୮ ଆମ୍ବୁଲାନ୍ସ ମୟୁରଭଞ୍ଜରେ ୪୧ଟି ରହିଥିବା ବେଳେ ସର୍ବନିମ୍ନ ଦେବଗଡ଼ରେ ୫ଟି ରହିଛି। ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳରେ ୨୦, ବଲାଙ୍ଗୀର ୨୩, ବାଲେଶ୍ବର ୩୯, ବରଗଡ଼ ୨୦, ବୌଦ୍ଧ ୧୦, ଭଦ୍ରକ ୨୪, କଟକ ୨୮, ଢେଙ୍କାନାଳ ୧୮, ଗଜପତି ୮, ଗଞ୍ଜାମ ୪୧, ଜଗତସିଂହପୁର ୧୩, ଯାଜପୁର ୨୩, ଝାରସୁଗୁଡ଼ା ୮, କଳାହାଣ୍ଡି ୨୪, କନ୍ଧମାଳ ୧୫, କେନ୍ଦ୍ରାପଡ଼ା ୧୮, କେନ୍ଦୁଝର ୩୧, ଖୋର୍ଧା ୩୧, କୋରାପୁଟ ୨୩, ମାଲକାନଗିରୀ ୧୨, ନୟାଗଡ଼ ୧୫, ନୁଆପଡ଼ା ୧୧, ପୁରୀ ୨୭, ରାୟଗଡ଼ା ୨୦, ସମ୍ବଲପୁର ୧୯, ସୋନପୁର ୧୦, ସୁନ୍ଦରଗଡ଼ର ୩୦ଟି ଆମ୍ବୁଲାନ୍ସ ରହିଛି। ପ୍ରତ୍ୟେକ ୧୦୮ ଆମ୍ବୁଲାନ୍ସରେ ଷ୍ଟ୍ରେଚର, ଔଷଧ, ଇଂଜେକସନ, ସାଲାଇନ, ଅକ୍ସିଜେନ, ଭେଣ୍ଟିଲେଟର ରହୁଛି।

ସମ୍ବନ୍ଧିତ ଖବର