୧୦୮ ଆମ୍ବୁଲାନ୍ସ ଚକା ପଙ୍କ୍‌ଚର, ଅଧାରାସ୍ତାରେ ଚାଲିଗଲା ରୋଗୀଙ୍କ ଜୀବନ

ରାମଚନ୍ଦ୍ରପୁର : ୧୦୮ ଆମ୍ବୁଲାନ୍ସ‌ରେ ଗୁରୁତର ରୋଗୀକୁ କେନ୍ଦୁଝର ମେଡିକାଲରୁ କଟକ ବଡ଼ ଡାକ୍ତରଖାନା ନିଆଯାଉଥିଲା। କେନ୍ଦୁଝରର ଘସିପୁରା ବ୍ଲକ୍‌ ଅନ୍ତର୍ଗତ ସାଇଁକୁଳ ଫାଣ୍ଡି ଛକ‌ରେ ଆମ୍ବୁଲାନ୍ସର ଆଗଚକା ପଙ୍କ୍‌ଚର୍‌ ହୋଇଗଲା। ବଦଳ ଟାୟାର ନଥିବାରୁ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ସେଠାରେ ଅଟକି ରହିଥିଲା। ଚିକିତ୍ସାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରିମୁଳି ନିକଟ ଦଳିତା ଗ୍ରାମର ଇନ୍ଦ୍ରମଣି ମହାରଣା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କେନ୍ଦୁଝର ମେଡିକାଲରେ ଚିକିତ୍ସା କରାଯାଉଥିଲା। ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ଇନ୍ଦ୍ରମଣିଙ୍କୁ ଅକ୍ସିଜେନ ଲଗାଯାଇ କଟକ ବଡ଼ ମେଡିକାଲ ନିଆଯାଉଥିଲା। ୨୦ ନମ୍ବର ଜାତୀୟ ରାଜପଥ ସାଇଁକୁଳ ଫାଣ୍ତି ଛକରେ ଆମ୍ବୁଲାନ୍ସର ଆଗଚକା ପଙ୍କ୍‌ଚର୍‌ ହୋଇଯାଇଥିଲା। ବଦଳ ଟାୟାର ନଥିବାରୁ ପଙ୍କଚର ମରାମତି କରି ଚକା ଲଗାଇଲା ବେଳକୁ ବହୁତ ଡେରି ହୋଇଯାଇଥିଲା। ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡା. ଆଶୁତୋଷ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାକୁ କେନ୍ଦ୍ର କରି ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଏ ସମ୍ପର୍କରେ‌ କେନ୍ଦୁଝର ଭାରପ୍ରାପ୍ତ ସିଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳ କହିଛନ୍ତି ଯେ, ବାଟରେ ରୋଗୀ ମୃତ୍ୟୁ ଖବର ସେ ପାଇଛନ୍ତି। କିନ୍ତୁ ଆମ୍ବୁଲାନ୍ସ ଚକା ପଙ୍କ୍‌ଚର୍‌ ହେବା କଥା ସେ ଜାଣି ନାହାନ୍ତି। ଆମ୍ବୁଲାନ୍ସ ପରିଚାଳନା ଏକ ଘରୋଇ ସଂସ୍ଥା କରୁଛି। ତଥାପି ସେ ଏ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର