ରକ୍ତ ଦେଇ କିଡ୍‌ନି ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ କର୍ମଚାରୀ

ସମ୍ବଲପୁର : ଜଣେ ମହିଳାଙ୍କୁ ସଠିକ ସମୟରେ ରକ୍ତ ଦେଇ ଏକ ବହୁମୂଲ୍ୟ ଜୀବନ ବଞ୍ଚାଇ ନିଜ ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରାଜେଶ ପ୍ରସାଦ ବାରିକ। କିଡ୍‌ନି ରୋଗରେ ପୀଡ଼ିତ ହୋଇ ବଳଭଦ୍ର କିସାନଙ୍କ ସ୍ତ୍ରୀ ପଦ୍ମିନୀ କିସାନ(୫୦ ବର୍ଷ) କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ମହିଳାଙ୍କ ପାଇଁ ଓ ପଜିଟିଭ୍ ରକ୍ତର ଆବଶ୍ୟକତା ଥିଲା। କିନ୍ତୁ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଏହି ଗ୍ରୁପର ରକ୍ତ ନଥିବାରୁ ବଳଭଦ୍ରଙ୍କୁ ଡା. ଏସ୍‌ପି ଦୋରା ଏହି ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ। ରକ୍ତ ନମିଳିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇଯିବ, ଏକଥା ବଳଭଦ୍ରଙ୍କୁ ଅଧିକ ଚିନ୍ତିତ କରିଥିଲା। ଏତିକି ବେଳେ ଦେବଦୂତ ସାଜିଥିଲେ ରାଜେଶ। ସୌଭାଗ୍ୟ ବଶତଃ ସୋମବାର ପଦ୍ମିନୀଙ୍କୁ ବନ୍ଧବାହାଲ ଗ୍ରାମରୁ କୁଚିଣ୍ଡା ଡାକ୍ତରକାନାକୁ ସ୍ଥାନାନ୍ତର କରିଥିବା ଜଙ୍କିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସଟି ଅନ୍ୟ ଏକ ରୋଗୀ ନେଇ ମଙ୍ଗଳବାର କୁଚିଣ୍ଡା ଡାକ୍ତରକାନାରେ ପହଞ୍ଚିଥିଲା। ଯାହାର ଡ୍ରାଇଭର ଥିଲେ ରାଜେଶ।

ରୋଗୀଙ୍କୁ ଆଡ୍‌ମିଟ କରିବା ସମୟରେ ବଳଭଦ୍ରଙ୍କ ଠାରୁ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ରାଜେଶ। ଏହି ସମୟରେ ପୀଡ଼ିତାଙ୍କ ସ୍ୱାମୀ ରାଜେଶଙ୍କୁ ରକ୍ତ ଆବଶ୍ୟକତା ଥିବା କହିଥିଲେ। ପଦ୍ମିନୀଙ୍କ ବ୍ଲଡଗ୍ରୁପ ସହ ନିଜର ବ୍ଲଡ ଗ୍ରୁପ ସମାନ ବୋଲି ଜାଣିବା ପରେ ରକ୍ତ ଦେବା ପାଇଁ ସେ ଡାକ୍ତରଙ୍କୁ କହିଥିଲେ ଏବଂ ରକ୍ତ ଦେଇଥିଲେ। ପ୍ରତିଦିନ ରୋଗୀଙ୍କୁ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣୁଥିବା ରାଜେଶ ମାନବିକତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପଦ୍ମିନୀଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର