୧୦୮ ଓ ୧୦୨ ଆମ୍ବୁଲାନ୍‌ସ : ରୋଗୀ ସେବାରେ ୧୮ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ୧୦୮ ଆମ୍ବୁଲାନ୍‌ସକୁ ନେଇ ଅନେକ ବାଦବିବାଦ ସତ୍ବେ ରୋଗୀଙ୍କ ସେବାରେ ଏଥିରେ ବୃଦ୍ଧି ଘଟିଛି। ଗତବର୍ଷ ୧୦୮ ଓ ୧୦୨ ଆମ୍ବୁଲାନ୍‌ସରେ ଅନ୍ୟ ବର୍ଷ ତୁଳନାରେ ୧୮ପ୍ରତିଶତ ଅଧିକ ରୋଗୀ ସୁବିଧା ପାଇଛନ୍ତି। ରାଜ୍ୟରେ ଆମ୍ବୁଲାନ୍‌ସ ସେବା ଆରମ୍ଭ ହେବା ପରେ ୨୦୧୮ ମସିହାରେ ସର୍ବାଧିକ ସଂଖ୍ୟକ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରିଛନ୍ତି।

ରାଜ୍ୟରେ ୨୦୧୩/୧୪ ମସିହାରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା। ତେବେ ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ପହଞ୍ଚିବା, ରୋଗୀଙ୍କଠାରୁ ଆମ୍ବୁଲାନ୍‌ସ କର୍ମଚାରୀ ଟଙ୍କା ମାଗିବା ଅଭିଯୋଗ ସହିତ ଅଧା ରାସ୍ତାରେ ରୋଗୀଙ୍କୁ ଛାଡ଼ି ଦେବା ଓ ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହେବା ଭଳି ଘଟଣା ପ୍ରତିବର୍ଷ ନଜରକୁ ଆସିଥିଲା। ଏସବୁ ଘଟଣା ୧୦୮ ଆମ୍ବୁଲାନ୍‌ସକୁ ବିବାଦୀୟ କରି ପକାଇଥିଲା। ଏପରିକି ରୋଗୀଙ୍କୁ ଟଙ୍କା ମାଗିବା ଘଟଣାରେ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଏସବୁ ସତ୍ବେ ଲୋକଙ୍କୁ ସେବା ଯୋଗାଇବାରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ଆଗରେ ରହିଛି। ସୂଚନା ଅନୁସାରେ, ୨୦୧୭ରେ ରାଜ୍ୟରେ ୩ଲକ୍ଷ ୫୮ହଜାର ୬୩୩ଜଣ ରୋଗୀ ଏହି ସେବା ପାଇଥିବା ବେଳେ ଗତବର୍ଷ ଏହା ବୃଦ୍ଧି ପାଇ ୪ଲକ୍ଷ ୨୩ହଜାର ୭୩୬ରେ ପହଞ୍ଚିଛି। ୨୦୧୪ ମସିହାରେ ୪ଲକ୍ଷ ୭ହଜାର ୫୭୫ଜଣ, ୨୦୧୫ରେ ୩ଲକ୍ଷ ୭୬ହଜାର ୩୬୦ ଓ ୨୦୧୬ ରେ ୩ଲକ୍ଷ ୫୬ହଜାର ୧୬ଜଣ ଲୋକ ଏହି ମାଗଣା ଆମ୍ବୁଲାନ୍‌ସର ସୁବିଧା ପାଇଛନ୍ତି। ସେହିପରି ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ୧୦୨ ଆମ୍ବୁଲାନ୍‌ସ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଅଧିକ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି। ଗତବର୍ଷ ୧୦୨ ଆମ୍ବୁଲାନ୍‌ସରେ ୫ଲକ୍ଷ ୨୪ହଜାର ୫୫୮ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛି।

ଅପରପକ୍ଷରେ ରାଜ୍ୟରେ ମାଗଣା ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ଚଳାଉଥିବା ଜିକିଜା ସଂସ୍ଥା କର୍ତୃପକ୍ଷଙ୍କ କହିବା ଅନୁସାରେ, ଅଧିକଂଶ ସମୟରେ ଫେକ୍ କଲ, ଅସଜଡ଼ା ରାସ୍ତା ଓ ମୋବାଇଲ ନେଟୱର୍କ ଅଭାବରୁ ରୋଗୀ ସେବାରେ ସମସ୍ୟା ଉପୁଜୁଛି। ଏସବୁ ସତ୍ବେ ମାଗଣା ଆମ୍ବୁଲାନ୍‌ସ ସେବା ଲୋକଙ୍କୁ ସହାୟତା‌ ଯୋଗାଇବାରେ ସକ୍ଷମ ହୋଇପାରିଛି। ଏହାସହ ଆମ୍ବୁଲାନ୍‌ସ କର୍ମଚାରୀ ନିଜର ସାଧୁତା ପ୍ରତିପାଦନ କରିବରେ ସକ୍ଷମ ହୋଇପାରିଥିବା କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର