ଭୁବନେଶ୍ବର : କୋଭିଡ୍ରେ ଅଭିଭାବକ ଛେଉଣ୍ଡ ହୋଇଥିବା ରାଜ୍ୟର ୧୦୮ ପିଲାଙ୍କୁ ପିଏମ୍ କେୟାର୍ସରେ ସହାୟତା ମିଳିବ। ଏଥି ଅନ୍ତର୍ଗତରେ ୨୩ ବର୍ଷ ପରେ ଏହି ପିଲାଙ୍କ ଆକାଉଣ୍ଟରେ ୧୦ଲକ୍ଷ ଟଙ୍କା ଜମା ହୋଇଯିବ। ଏଥିସହ କେନ୍ଦ୍ର ସରକାରଙ୍କ ସମନ୍ବିତ ଶିଶୁ ଯୋଜନା ଅନ୍ତର୍ଗତରେ ସ୍ପନସରସିପ୍ରେ ମାସକୁ ୪ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏନେଇ ଏକ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି। ବାଲପୋର୍ଟାଲ୍ରେ ଏହି ଶିଶୁଙ୍କ ନାମ ପଂଜୀକୃତ ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୦ ତାରିଖରେ କୋଭିଡ୍ରେ ମୃତକଙ୍କ ସନ୍ତାନଙ୍କ ପାଇଁ ପିଏମ୍ କେୟାର୍ସର ଘୋଷଣା କରାଯାଇଥିଲା। ୨୦୨୦ ମାର୍ଚ ୧୧ ତାରିଖରୁ ୨୦୨୨ ଫେବ୍ରୁଆରି ୨୮ତାରିଖ ମଧ୍ୟରେ କୋଭିଡ୍ ସଂକ୍ରମଣ ଯୋଗୁଁ ଜଣେ କିମ୍ବା ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲା ୧୦ଲକ୍ଷ ଟଙ୍କା ପାଇବେ। ୧୮ବର୍ଷ ହେବା ପରେ ସେମାନଙ୍କୁ ଏହି ଟଙ୍କା ଷ୍ଟାଇପେଣ୍ଡ୍ ଭାବେ ମିଳିବ। ଏହା ତାଙ୍କର ଶିକ୍ଷା ଏବଂ ବ୍ୟକ୍ତିଗତ ଖର୍ଚ୍ଚରେ କାମରେ ଆସିବ। ୨୩ ବର୍ଷ ହେବା ପରେ ବାକି ଟଙ୍କା ସେମାନଙ୍କୁ ମିଳିଯିବ। ଏଥିସହ ସରକାରଙ୍କ ପକ୍ଷରୁ ପିଲାଙ୍କୁ ସେହି ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବାର ବ୍ୟବସ୍ଥା କରିପାରିବେ। ଶିଶୁଟି ଘରୋଇ ସ୍କୁଲରେ ପଢ଼ୁଥିଲେ, ଅଭିଭାବକଙ୍କ ମୃତ୍ୟୁ ପରେ ତାଙ୍କୁ ସ୍କୁଲ ଛାଡ଼ିବାକୁ କୁହା ନଯାଇ ତାଙ୍କ ସ୍କୁଲ ଫି’ ଏବଂ ବହିକ୍ରୟ ଖର୍ଚ୍ଚ ମଧ୍ୟ ପିଏମ୍ କେୟାର୍ସ ଫଣ୍ଡ୍ରୁ ଦିଆଯାଇ ପାରିବ। ୧୧ରୁ ୧୮ ବର୍ଷୀୟ ପିଲା ନବୋଦୟରେ ମଧ୍ୟ ପଢ଼ିପାରିବେ।
ସୂଚନା ଅନୁଯାୟୀ, ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ୨୦୨୧ ମସିହା ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ କୋଭିଡ୍ ଏବଂ ଅଣକୋଭିଡ୍ରେ ଉଭୟ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/pm-care.jpg)