ବ୍ରହ୍ମଗିରି: ବ୍ରହ୍ମଗିରି ବନାଞ୍ଚଳ ପକ୍ଷରୁ କରାଯାଇଥିବା ଅସ୍ଥାୟୀ କଇଁଛ ଅଣ୍ଡା ହାଚେରିରୁ ଛୁଆ ଫୁଟିବା ପରେ ବନ ବିଭାଗ ସେମାନଙ୍କୁ ସମୁଦ୍ରରେ ଛାଡ଼ିଛି। କଇଁଛ ଛୁଆ ସମୁଦ୍ରକୁ ଯିବା ପରେ ଚଳିତ ବର୍ଷ ପାଇଁ ବନ ବିଭାଗ ହାଚେରି ବନ୍ଦ କରିଛି। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବ୍ରହ୍ମଗିରି ବନାଞ୍ଚଳ ଅଧୀନରେ ବାଲିହରଚଣ୍ଡୀ ଓ ଚାପମାଣିମକ ବିଟ୍ ଉପକୂଳରେ ଦୁଇଟି ହାଚେରି କରାଯାଇଥିଲା। ପୁରୀ ମଙ୍ଗଳା ନଈଠାରୁ ବାଲିହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ବନ ବିଭାଗ ୨୪ ଘଣ୍ଟିଆ ପ୍ରହରା ଦେଇଥିଲା।
ଉପକୂଳରୁ ମୋଟ ୧୬ହଜାର ୮ଶହ କଇଁଛ ଅଣ୍ତା ସଂଗ୍ରହ କରିଥିଲା। ଅଲିଭ୍ରିଡ୍ଲେ କଇଁଛ ଅଣ୍ଡା ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ଆଣି ରଖାଯାଇଥିଲା। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୫ ହଜାର ଅଣ୍ଡା ସଂଗୃହୀତ ହୋଇଥିଲା। ସେଥିମଧ୍ୟରୁ ୧୦ହଜାର ୮ଶହ କଇଁଛ ଛୁଆ ଫୁଟି ସମୁଦ୍ରକୁ ଯାଇଛନ୍ତି। ବାକି ୬ ହଜାର ଅଣ୍ଡା ନଷ୍ଟ ହୋଇଥିବା ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁ କହିଛନ୍ତି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ ଅଣ୍ଡା ନଷ୍ଟ ହେବାର ମୁଖ୍ୟ କାରଣ ବୋଲି ବନ ବିଭାଗ କହିଛି। ସମୁଦ୍ରକୁ କଇଁଛ ଛୁଆ ଛଡ଼ାଯିବା ପରେ ବନ ବିଭାଗ ହାଚେରି ସହିତ କଇଁଛ କ୍ୟାମ୍ପ ବନ୍ଦ କରିଛି। ତଥାପି ଉପକୂଳରେ ବନ କର୍ମଚାରୀ ସଜାଗ ଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି।