୧୦ବର୍ଷରେ ସ୍ବାଇନ୍ ଫ୍ଲୁରେ ଗଡ଼ିଲାଣି ୧୦୯ ମୁଣ୍ଡ

ଭୁବନେଶ୍ବର: ଗତ ୧୦ବର୍ଷରେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଯୋଗୁଁ ୧୦୯ଜଣ ବ୍ୟକ୍ତି ପ୍ରାଣ ହରାଇସାରିଲେଣି। ୨୦୧୦ ମସିହାରେ ସ୍ବାଇନ୍ ଫ୍ଲୁ ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜିର ସମୟରେ ଏହାର ଆତଙ୍କ କମିନାହିଁ। ପ୍ରତ୍ୟେକ ବର୍ଷ ଓଡ଼ିଶାରେ ସ୍ବାଇନ୍ ଫ୍ଲୁରେ ଲୋକ ପ୍ରାଣ ହରାଉଛନ୍ତି।

ସୂଚନା ଅନୁସାରେ, ୨୦୧୦ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୮୪୦ଜଣ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ତହିଁରୁ ୧୦୯ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି। ୨୦୧୦ ମସିହାରେ ୯୨ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୯ଜଣ ପ୍ରାଣ ହରାଇଥିଲେ। ୨୦୧୧ ମସିହାରେ ଗୋଟିଏ ହେଲେ ପଜିଟିଭ୍ ନ ଥିବା ବେଳେ ୨୦୧୨ ମସିହାରେ ମାତ୍ର ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ। ସେହିପରି ୨୦୧୩ ଓ ୨୦୧୪ ମସିହାରେ ମଧ୍ୟ ସ୍ବାଇନ୍ ଫ୍ଲୁରେ କେହି ଆକ୍ରାନ୍ତ ହୋଇ ନ ଥିଲେ। ୨୦୧୫ ମସିହାରେ ୭୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ପ୍ରାଣ ହରାଇଥିବା ବେଳେ ୨୦୧୬ ମସିହାରେ ମାତ୍ର ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ। ୨୦୧୭ ମସିହାରେ ସ୍ବାଇନ୍ ଫ୍ଲୁ ଓଡ଼ିଶାରେ ପୁଣିଥରେ ମୁଣ୍ଡ ଟେକିଥିଲା। ଏହିବର୍ଷ ସର୍ବାଧିକ ୪୧୪ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୫୪ଜଣଙ୍କ ମୁଣ୍ଡ ନେଇଥିଲା ସ୍ବାଇନ୍ ଫ୍ଲୁ। ୨୦୧୮ ମସିହାରେ ୩୩ଜଣ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ୭ଜଣ ପ୍ରାଣ ହରାଇଥିଲେ ସ୍ବାଇନ୍ ଫ୍ଲୁରେ। ଗତବର୍ଷ ମଧ୍ୟ ରାଜ୍ୟରେ ସ୍ବାଇନ୍ ଫ୍ଲୁ ବେଶ ସକ୍ରିୟ ରହିଥିଲା। ଏଥିରେ ୨୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ଜଣ ପ୍ରାଣ ହରାଇଥିଲେ। ଚଳିତବର୍ଷ ମଧ୍ୟ ସ୍ବାଇନ୍ ଫ୍ଲୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଗତ ଦୁଇ ମାସ ଭିତରେ ୧୬ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଏଥିରେ ଜଣେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର