ବ୍ରହ୍ମପୁର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନକୁ ସଂଶୋଧନ କରିଛନ୍ତି। ବର୍ତ୍ତମାନ ଏହି ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିପାଇଁ ଏପ୍ରିଲ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ କରାଯାଇଥିଲା। ଏହି ସପ୍ତାହ ପାଳନ ବେଳେ ଉଭୟ ପୁଲିସ ଓ ପରିବହନ ବିଭାଗ ତରଫରୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ୭ଦିନ ମଧ୍ୟରେ ଗଞ୍ଜାମ ପରିବହନ ବିଭାଗ ତରଫରୁ ପ୍ରାୟ ୧୦ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୧୦୯ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ସୁପାରିସ୍ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହାସହିତ ୯ଜଣ ନାବାଳକ ଗାଡ଼ି ଚଳାଇବା ବେଳେ ପରିବହନ ବିଭାଗ ହାତରେ ଧରାପଡ଼ି ତଣ୍ଡ ଗଣିଛନ୍ତି।
ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପରିବହନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଛତ୍ରପୁର ଆର୍ଟିଓ ମାନସ କୁମାର ସାହୁଙ୍କ ନେତୃତ୍ବରେ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭିନ୍ନ ସହରର ପ୍ରବେଶପଥରେ ହେଲମେଟ୍ ସହିତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଦ୍ରୁତଗତିରେ ଗାଡ଼ି ଚାଳନା ପାଇଁ ୨୭୦ଜଣଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଥିବା ବେଳେ ବିନା ହେଲମେଟ୍ ପାଇଁ ୬୦୭ଜଣ, ସିଟବେଲ୍ଟ ନପିନ୍ଧିବାରୁ ୨୦ଜଣ, ମୋବାଇଲ୍ ବ୍ୟବହାର ପାଇଁ ୧୦ଜଣଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଥିଲା। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୨୭ଜଣ ଡ୍ରାଇଭର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ସେହିପରି ଓଭର୍ଲୋଡିଂ, ମାଲବାହୀ ଗାଡ଼ିରେ ଲୋକଙ୍କୁ ନେବା, ଟ୍ରିପଲ୍ ବାଇକ୍ ରାଇଡିଂ ଏଭଳି ମୋଟ ୧୧୩୭ଜଣଙ୍କ ବିରୋଧରେ ଇ-ଚାଲାନ୍ ଜାରି କରାଯାଇଥିବା ଆର୍ଟିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ସହରରେ ସୁଫଳ ମିଳିଛି। ସହରରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇ ବ୍ଲକିଂ ଓ ଚେକିଂ ଜୋର୍ଦାର୍ କରାଯାଇଥିଲା। ଏହି ସପ୍ତାହରେ ସହରରେ ଗୋଟିଏ ବି ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ଘଟିନାହିଁ। ଅନ୍ୟପକ୍ଷେ ଟ୍ରାଫିକ୍ ନିୟମ ଅବମାନନା ଅଭିଯୋଗରେ ଏହି ଗୋଟିଏ ସପ୍ତାହରେ ବ୍ରହ୍ମପୁର ସହରରେ ୬୧ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧୩ଜଣ ମଦ୍ୟପ ଗାଡ଼ି ଚାଳକକୁ ଗିରଫ କରାଯାଇଥିଲା। ମୋଟ ୧୪ଲକ୍ଷ ୩୪ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ତେବେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ କିନ୍ତୁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ସଫଳ ହୋଇପାରିନାହିଁ। ବ୍ୟାପକ ଟ୍ରାଫିକ୍ ସଚେତନତା ଯୋଗୁଁ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇଥିଲା। ବ୍ରହ୍ମପୁର ପୁଲିସ ଜିଲ୍ଲାର ଦିଗପହଣ୍ଡି, ସଦର ଥାନା ଏବଂ ଗୋପାଳପୁର ଥାନା ଅଂଚଳରେ ଗୋଟିଏ ଲେଖାଏଁ ମୋଟ ୩ଜଣଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା।
ବ୍ରହ୍ମପୁର ଟ୍ରାଫିକ୍ ଥାନା ସୂଚନା ମୁତାବକ, ଟ୍ରାଫିକ୍ ନିୟମ ଅବମାନନା ଅଭିଯୋଗରେ ସହରରେ ଚଳିତମାସ ପହିଲାରେ ୮ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ରଦ୍ଦ ହୋଇଥିବା ବେଳେ ଜଣେ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଥିଲେ। ଗୋଟିଏ ଦିନରେ ମୋଟ ୨ଲକ୍ଷ ୫ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା। ସେହିପରି ୨ତାରିଖରେ ୭ଜଣଙ୍କ ଡିଏଲ୍ ରଦ୍ଦ ହୋଇଥିବା ବେଳେ ଜଣେ ମଦ୍ୟପ ଗାଡ଼ିଚାଳକ ଧରାପଡ଼ିଥିବା ଏବଂ ମୋଟ ୧ଲକ୍ଷ ୯୩ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ୩ତାରିଖରେ ୯ଜଣଙ୍କ ଡିଏଲ୍ ରଦ୍ଦ, ୩ଜଣ ମଦ୍ୟପ ଚାଳକ ଧରାପଡ଼ିଥିବା ଓ ୨ଲକ୍ଷ ୧୨ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ୪ତାରିଖରେ ୯ଜଣଙ୍କ ଡିଏଲ୍ ରଦ୍ଦ, ୨ଜଣ ମଦ୍ୟପ ଚାଳକ ଧରାପଡ଼ିବା ଓ ୧ଲକ୍ଷ ୯୫ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ୫ ତାରିଖରେ ୯ଜଣଙ୍କ ଡିଏଲ୍ ରଦ୍ଦ, ଜଣେ ମଦ୍ୟପ ଚାଳକ ଧରାପଡ଼ିବା ଏବଂ ୨ଲକ୍ଷ ୫ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ୬ତାରିଖରେ ୯ଜଣଙ୍କ ଡିଏଲ୍ ରଦ୍ଦ, ୩ଜଣ ମଦ୍ୟପ ଚାଳକ ଧରାପଡ଼ିବା ଏବଂ ୨ଲକ୍ଷ ୮ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ୭ତାରିଖରେ ସର୍ବାଧିକ ୧୦ଜଣଙ୍କ ଡ୍ରାଇଭିଂ ଲଇସେନ୍ସ ରଦ୍ଦ, ୨ଜଣ ମଦ୍ୟପ ଚାଳକ ଧରାପଡ଼ିଥିବା ବେଳେ ୨ଲକ୍ଷ ୧୬ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।