ଭଞ୍ଜନଗରକୁ ଆସି‌ବେ ‌୧.୪୩ ଲକ୍ଷ ଲୋକ ! ଚୁଡାନ୍ତ ପର୍ଯ୍ୟାୟରେ ୧୦୯୧ ସଙ୍ଗରୋଧ କେନ୍ଦ୍ର

ଭଞ୍ଜନଗର : ପ୍ରବାସୀ ଓଡିଆ ଫେରିବେ ‌ବୋଲି ରାଜ୍ୟ ସରକାର ନିଷ୍ପତି ନେବା ଠାରୁ ପ୍ରଶସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ବନ୍ଦୋବସ୍ତ ଜୋରସୋର୍‌ରେ ଆରମ୍ଭ କରିଦେଇଛନ୍ତି। ପ୍ରଶାସନ ରାଜ୍ୟ ବାହାର ଫେରନ୍ତାଙ୍କ ଲାଗି କଠୋର ସର୍ତ୍ତାବଳୀ କାର୍ଯ୍ୟକାରୀ କରିଛି। ପଞ୍ଜୀକରଣ ନ କଲେ ଜିଲ୍ଲାକୁ ଆସିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଲକ୍ ଡାଉନ୍ ପରଠାରୁ ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକ, ଛାତ୍ର ତଥା ଅନ୍ୟାନ୍ୟ କର୍ମଜୀବୀ ଘରକୁ ଫେରିବା ପାଇଁ ପଞ୍ଜିକରଣ ଆରମ୍ଭ କରିଦେଇଛନ୍ତି। ସେମାନ‌େ ଅସିବା ପରେ ସୁରକ୍ଷିତ ଭାବରେ କ୍ବାରେନ୍‌ଟାଇନ ରହିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଆପଣାଯାଇଥିବା ଉପଜିଲ୍ଳାପାଳ ରାଜେନ୍ଦ୍ର କୁମାର ମିଞ୍ଜ ସୁଚନା ପ୍ରଦାନ କରିଛନ୍ତି। କ୍ବାରାଣ୍ଟିନ୍ କେନ୍ଦ୍ର ପରିସୀମା ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ। ଏହାସହ ବାହାର ଫେରନ୍ତା କୌଣସି ସ୍ଥାନୀୟ ଲୋକ ସହ କଥା ହେବେ ନାହିଁ କି ମିଶିବେ ନାହିଁ ବୋଲି ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି। ଯଦି କେହି ଏହି ନିୟମ ଉଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭଞ୍ଜନଗର ଉପଖଣ୍ଡକୁ ପ୍ରାୟ ୧ ଲକ୍ଷ ୪ ହଜାର ୩୯୧ ଜଣ ବାହାର ରାଜ୍ୟରୁ ଆସ‌ିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରାକ୍‌ ଆକଳନ କରାଯାଇଥିବା ବେଳେ ଏମାନଙ୍କ ପାଇଁ ଉପଖଣ୍ଡରେ ୧୦୯୧ଟି ଟିଏମ୍‌ସି ବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଭଞ୍ଜନଗର ଉପଖଣ୍ଡ ଅଧିନ ଭଞ୍ଜନଗର ବ୍ଳକ୍‌ରୁ ୬,୭୨୮,ଆସିକା ବ୍ଳକ୍‌ରୁ ୨୧,୧୦୪, ବେଲଗୁଣ୍ଠା ବ୍ଳକ୍‌ରୁ୬,୯୬୭, ବୁଗୁଡା ବ୍ଳକ୍‌ରୁ ୧୪,୫୭୦, ଧରାକୋଟ ବ୍ଳକ୍‌ର୧୨,୭୨୮, ଜଗନ୍ନାଥପ୍ରସାଦ ବ୍ଳକ୍‌ର ୭,୧୪୦, ଶେରଗଡ ବ୍ଳକ୍‌ର ୧୭,୭୦୪ ଓ ସୋରଡା ବ୍ଳକ୍‌ର ସର୍ବ‌ାଧିକ ୧୩,୫୩୫ ଜଣ ଆସିବାକୁ ଥିବା ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇ ଆକଳନ କରାଯାଇଥିବା ‌ବେଳେ ଭଞ୍ଜନଗର ଏନ୍‌ଏସିକୁ ୮୬୮ ଜଣ, ଆସିକା ଏନ୍‌ଏସିକୁ ୭୫୭, ବେଲଗୁଣ୍ଠା ୪୯୨, ବୁଗୁଡାକୁ ୧,୦୪୮, ସୋରଡା ଏନ୍‌ଏସିକୁ ୭୫୦ ଜଣ ଆସିବାକୁ ଥିବା ପ୍ରଶାସନ ଆକଳନ କରିଛି। ତେବେ ଏହି ବ୍ୟକ୍ତିମାନ‌େ ରାଜ୍ୟର ହଟସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଯୋଗୁ ଏମାନଙ୍କ ସଂଶ୍ପର୍ଷରେ ଆସିଲେ କରୋନା ବ୍ୟାପିବାର ଆଶଙ୍କା କରି ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି। ସରପଞ୍ଚମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏଗୁଡିକୁ ପରିଚାଳନା କରିଯିବାକୁ ଥିବା ବେଳେ ବିଡିଓ, ତହସିଲଦାର ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ଅଧିକାରୀ, କନିଷ୍ଠ ଯନ୍ତ୍ରୀମାନ‌େ ଏହାକୁ ତଦାରଖ କରିବେ। ଏନେଇ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ବିଭିନ୍ନ ଅଞ୍ଚଳର କ୍ବାରେନ୍‌ଟାଇନ୍‌ ସେଣ୍ଟର ବୁଲି ଦେଖିବା ସହ ପ୍ରବାସୀ ଓଡିଆ ମାନେ ଏହି କ୍ବାରେନଟାଇନ୍‌‌ କେନ୍ଦ୍ରରେ ରହିବା ସମୟରେ କିପରି ନିୟମକୁ ଅବମାନନା ନକରିବେ ସେନେଇ ସମସ୍ତ ଅଧିକାରୀ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର