ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମା ମାଡକାମୀ। ବୟସ ୧୫ ବର୍ଷ। ମାଲକାନଗିରି ନିକଟସ୍ଥ ସତୀଗୁଡା ସରକାରୀ ଏସଏସଡି ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରୀ। ମାଲକାନଗିରି ବ୍ଲକର ତଣ୍ଡାପାଲୀ ଗ୍ରାମର ମୁକ୍କା ମାଡକାମୀଙ୍କ ଦ୍ବିତୀୟ କନ୍ୟା ହେଉଛନ୍ତି ସୀମା। ବାପା ମୁକ୍କା ଜଣେ ଚାଷୀ। ମୁକ୍କାଙ୍କର ତିନୋଟି ଝିଅ ରହିଛନ୍ତି। ବଡ ଝିଅ ପୂଜା ଦଶମ ଶ୍ରେଣୀ ପାଠ ପଢି ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡିଦେଲେ।ସୀମାର କିନ୍ତୁ ପାଠ ପଢିବାର ପ୍ରବଳ ଆଗ୍ରହ।ସେ ଆଗକୁ ଆହୁରି ପାଠ ପଢିବାକୁ ଚାହୁଁଛନ୍ତି। ତୃତୀୟ ଝିଅ ଲିଜା ୫ମ ଶ୍ରେଣୀର ଛାତ୍ରୀ।

Advertisment

ପାଠ ପଢବାର ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ।ଯାହା ଗରିବ ଆଦିବାସୀ ଝିଅ ସୀମା ପୂରଣ କରି ଦେଖାଇଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହଣ ସାଜିଛନ୍ତି। ସୀମାର ପିଲାଟି ଦିନରୁ ପାଠ ପଢିବାରୁ ପ୍ରବଳ ଆଗ୍ରହ ଆଜି ତାକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚାଇଛି।ଆଗକୁ ମଧ୍ୟ ନିଜର ପାଠ ପଢା ଜାରି ରଖିବେ ବୋଲି ସୀମା କହନ୍ତି। ତେବେ ସୀମାକୁ କିନ୍ତୁ ପାଠ ପଢିବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ବାପା ମୁକ୍କାଙ୍କର ମାତ୍ର ଏକ ଏକର ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଆର୍ଥିକ ଅନାଟନ ଦେଇ ପରିବାର ଗତି କରୁଛି।

ତେବେ ପିଲାଙ୍କୁ ପାଠ ପଢାଇବା ପାଇଁସେ ଅସମର୍ଥ ବୋଲି କହନ୍ତି।ବଡ ଝିଅ ପୂଜା ଏହି ସମସ୍ୟାର ଶିକାର ହୋଇ ଅଧାରୁ ପାଠ ଛାଡିଲା। ସୀମା ମଧ୍ୟ ଗତବର୍ଷ କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବା ବେଳେ ଅନଲାଇନରେ ପାଠ ପଢା ଆରମ୍ଭ ହୋଇଥିଲା। ନିଜ ପାଖେ ମୋବାଇନ ନଥିବାରୁ ସେ ଗତ ବର୍ଷ ବାଠ ପଢିପାରିନଥିଲେ ବୋଲି କହନ୍ତି। କିନ୍ତୁ ଦଶମରେ ସେ ନିଶ୍ଚିତ ଭାବେ ଅନଲାଇନରେ ପାଠ ପଢିବା ବୋଲି ଯିଦ ଧରିଥିଲେ। ତେଣୁ ସେ ଚଳିତ ବର୍ଷ ଜଂଗଲରେ ବୁଲି ବୁଲି ମହୁଲ ଫୁଲ ଗୋଟାଇ ତାକୁ ସାଇତି ରଖି ବଜାରରେ ବିକ୍ରି କରିଥିଲେ। ପରେ ମହୁଲ ମଞ୍ଜି(ଟୋଲା)କୁ ମଧ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥିଲେ। ଏତିକିରେ ଟଂକା ଯୋଗାଡ ହୋଇପାରିନଥିବାରୁ ବାପା ବାଡିରେ ଲଗାଇଥିବା ପନିପରିବାକୁ ନେଇ ବଜାରରେ ବିକ୍ରି କରିବା ପରେ ସେ ମୋଟ ୮ ହଜାର ଟଂକା ଯୋଗାଡ କରିପାରିଥିଲେ। ଯେଉଁ ଟଂକାରେ ସେ ଗୋଟିଏ ଆଣ୍ଡରାଏଡ ମୋବାଇଲ ଫୋନ କିଣିପାରିଥିଲେ।

ତେବେ ପାଠ ପଢିବା ପାଇଁ ତାଂକ ବିଦ୍ୟାଳୟର ବନାନୀ ମହାପାତ୍ର ସବୁବେଳେ ସୀମାଙ୍କୁ ଉତ୍ସାହିତ କରୁଥିଲେ। ସୀମା ଭଲ ପାଠ ପଢୁଥିବାରୁ ସେ ଯେମିତି ହେଲେ ଅନଲାଇନରେ ପାଠ ପଢୁ ବୋଲି ଚାହୁଁଥିଲେ। ସୀମା ମଧ୍ୟ ନିଜର ଶିକ୍ଷୟତ୍ରୀଙ୍କର ଏହି ଉତ୍ସହପୂର୍ଣ୍ଣ କଥାକୁ ମନେରଖି କଷ୍ଟ ପଡି ମୋବାଇଲଟିଏ କିଣିଥିଲେ। ବାପାଙ୍କୁ ମୋବାଇଲ କିଣିବା ପାଇଁ ଗତବର୍ଷ ବହୁ ଯିଦ କରିଥିଲେ ମଧ୍ୟ ସେ ଅସମର୍ଥ ବୋଲି ହାତ ଟେକି ଦେଇଥିଲେ। ବର୍ତ୍ତମାନ ଦଶମ ବୋର୍ଡ ପରୀକ୍ଷା ହୋଇଥିବାରୁ ଅନଲାଇନରେ ପାଠ ପଢିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ସୀମା କହନ୍ତି। ଏବେ ସେ ମୋବାଇଲରେ ଓସେପା ତରଫରୁ ଗତ ଜୁନ ୨୧ ତାରିଖରୁ ଅନଲାଇନରେ ପାଠ ପଢା ଆରମ୍ଭ ହେବା ପରେ ସୀମା ଘରେ ବସି ସୁନ୍ଦର ଭାବେ ପାଠ ପଢୁଥିବା କହିଥିଲେ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସେ ଅନଲାଇନରେ ପାଠ ପଢି ଖୁସି ଅନୁଭବ କରୁଥିବା କହିଥିଲା। ଆଗକୁ ସ୍କୁଲ କେବେ ଖୋଲିବ ଜଣାନଥିବା ବେଳେ ମୋବାଇଲ ହିଁ ଅଧ୍ୟୟନର ମୁଖ୍ୟ ଜରିଆ ହୋଇଥିବା ସେ କହିଛି। ତେଣୁ ଆଗକୁ ମଧ୍ୟ ପାଠ ପଢିବା ପାଇଁ ସେ ଯେତେ ବାଧାବିଘ୍ନ ହେଲେ ମଧ୍ୟ ତାକୁ ପାର କରି ପାଠ ପଢିବ ବୋଲି କହିଛି। ସୀମାଙ୍କ ଏଭଳି ଉଦ୍ୟମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସାଧାରଣରେ ପ୍ରଶଂସା କରିଛନ୍ତି।