ଭୁଲ ଖବର ଜୀବନ ନେଲା: ମାଟ୍ରିକ ପରୀକ୍ଷାରେ ପାସ କରିଥିଲେ ବି ଫେଲ ହୋଇଥିବା ଖବର ଶୁଣି ଆତ୍ମହତ୍ୟା କଲେ ଛାତ୍ରୀ

ଭଦ୍ରକ: ଭୁଲ ଖବର ଜୀବନ ନେଇଛି । ମାଟ୍ରିକ ପରୀକ୍ଷାରେ ପାସ କରି ମଧ୍ୟ ଫେଲ ହୋଇଥିବା ଖବର ଶୁଣି ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ରୀଙ୍କ ନାମ ରାଣୀସ୍ମିତା ମହାଳିକ । ସେ ଅର୍ଜୁନ ମହାଳିକଙ୍କ ଝିଅ ।

ସୂଚନା ଅନୁସାରେ ସୁଗ ପଂଚାୟତର ହାଟପୋଖରୀ ସାହିର ଅର୍ଜୁନ ମହାଳିକଙ୍କ ଝିଅ ରାଣୀସ୍ମିତା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସେ ସୁଗସ୍ଥିତ ହାଇସ୍କୁଲର ଛାତ୍ରୀ ଥିଲେ । ଆଜି ପୂର୍ବାହ୍ନରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଜଣେ ସାଙ୍ଗ ଫୋନରେ କହିଲା ଯେ, ରାଣୀସ୍ମିତ ପରୀକ୍ଷାରେ ଫେଲ ହୋଇଯାଇଛି । ଏହି ଖବର ଶୁଣିବା ପରେ ରାଣୀସ୍ମିତା ନିଜକୁ ଅପମାନିତ ମନେକରି ଅର୍ଥାତ ପରିବାର ଲୋକଙ୍କ ଭୟରେ ବିଷପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ଅନ୍ୟପକ୍ଷରେ ରାଣୀସ୍ମିତା ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜଣେ ଝିଅର ଭୁଲ ସୂଚନା ପାଇଁ ଆଉ ଜଣେ ଝିଅର ମୃତ୍ୟୁ ହୋଇଛି । ଦଶମ ଶ୍ରେଣୀର ଛାତ୍ରୀଙ୍କୁ ହରାଇ ଅର୍ଜୁନ ମହାଳିକଙ୍କ ପରିବାର ଭାଙ୍ଗିପଡ଼ିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର