ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା ତରବୋଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଛି। ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଦଶମ ଶ୍ରେଣୀର ୨୨ଜଣ ଛାତ୍ରଙ୍କୁ ଦ୍ୱାଦଶ ଶ୍ରେଣୀର ୭ ଜଣ ଛାତ୍ର ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ସ୍କୁଲରେ ଗୁରୁଦିବସ ପାଳନ ହୋଇଥିଲା। ପରମ୍ପରା ଅନୁସାରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀ ଭୂମିକାରେ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ। ଏହି ସମୟରେ କୁଆଡ଼େ ଦଶମ ଶ୍ରେଣୀର ଛାତ୍ରମାନେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ କମେଣ୍ଟ କରିଥିଲେ ବୋଲି ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲରେ କଥା ପଡ଼ିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାତି ପ୍ରାୟ ୧୨ଟା ସମୟରେ ଦ୍ୱାଦଶ ଶ୍ରେଣୀର ୭ ଜଣ ଛାତ୍ର ଠେଙ୍ଗାବାଡ଼ି ଧରି ଦଶମ ଶ୍ରେଣୀ ୱାର୍ଡକୁ ଆସିଥିଲେ। ସେମାନେ ଦଶମ ଶ୍ରେଣୀ ସେକ୍ସନ-ଏ’ ର ୨୨ଜଣ ଛାତ୍ରଙ୍କୁ ହାତ ଟେକି ଛିଡ଼ା ହେବାକୁ କହି ଫିଲ୍ମ ଷ୍ଟାଇଲରେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ନିସ୍ତୁକ ମାଡ଼ ମାରିଥିଲେ। ରାତି ୩ଟା ବେଳେ ଶିକ୍ଷକ ଓ କର୍ମଚାରୀମାନେ ଖବରପାଇ ହଷ୍ଟେଲରେ ପହଞ୍ଚି ଛାତ୍ରମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତରବୋଡ଼ ଏବଂ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ଆଶୁ ଚିକିତ୍ସା ପରେ ସେମାନେ ସ୍କୁଲକୁ ଫେରିଥିଲେ। ରାତି ପାହିଲା ପରେ ଏହି ଘଟଣା ଜିଲ୍ଲା ସାରା ସୋସିଆଲ ମିଡିଆରେ ଘୂରି ବୁଲିଲା। ମାଡ଼ ଖାଇଥିବା ଛାତ୍ରଙ୍କ ଅଭିଭାବକମାନେ ସ୍କୁଲରେ ପହଞ୍ଚିଥିଲେ। ସକାଳ ୮ଟା ବେଳକୁ ସ୍କୁଲ କ୍ୟାମ୍ପସ ଲୋକାରଣ୍ୟ ହୋଇଗଲା। ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, କୋମନା ବିଡିଓ ସୀତାଂଶୁ ଶେଖର ସାମଲ, ଡିସିପିଓ ଅନ୍ତର୍ଯ୍ୟାମୀ ବଳିୟାର ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଟିମ୍ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଅନ୍ୟପଟେ ମାଡ଼ ମାରିଥିବା ଛାତ୍ରମାନଙ୍କୁ ସ୍କୁଲରୁ ସବୁଦିନ ପାଇଁ ବହିଷ୍କାର କରିବା ଦାବିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଧାରଣରେ ବସିଥିଲେ। ବହୁ ସମୟ ପରେ ସ୍କୁଲ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କୁ ତୁରନ୍ତ ସ୍କୁଲରୁ ନିଲମ୍ବନ କରିବା ସହ କ୍ୟାମ୍ପସରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ବିଭାଗୀୟ ଜୋନାଲ ମୁଖ୍ୟଙ୍କୁ ରିପୋର୍ଟ କରାଯିବ। ପରବର୍ତ୍ତୀ ପଦକ୍ଷେପ ଉଚ୍ଚ କର୍ତ୍ତୃପକ୍ଷ ନେବେ ବୋଲି ସ୍କୁଲ ଅଧ୍ୟକ୍ଷ ଡି. ଭି. ରମଣ ସୂଚନା ଦେଇଛନ୍ତି। ତେବେ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାତ୍ର ଜଗୁଆଳି କିମ୍ବା ୱାର୍ଡେନ୍ କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠୁଛି।