ଭୁବନ: ମା’ଙ୍କ ସହିତ ବସ୍ରେ ଅଜାଘରକୁ ଯାଇଥିଲେ ସମ୍ଭବତଃ ସଡ଼କ ଦୁର୍ଘଟଣାରେ ଜୀବନ ଯାଇ ନଥାନ୍ତା। ବାପାଙ୍କ ସହ ଅଜାଙ୍କ ଘରକୁ ବାଇକ୍ରେ ଯିବି ବୋଲି ଜିଦ୍ ଧରିବା ଦଶମ ଶ୍ରେଣୀ ଛାତ୍ରୀ ପାଇଁ କାଳ ହୋଇଛି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଗତ ୨୦ ତାରିଖ ଦିନ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରୀର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଆଜି ପୂର୍ବାହ୍ନରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ସ୍ବାତି ସୁଚରିତା ଜେନା (୧୬)।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଅଭିରାମ ଜେନା ଆଜି ନିକଟରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ନିଜ ଝିଅ ସ୍ବାତି ସୁଚରିତାକୁ ବାଇକ୍ (ଓଡ଼ି୧୯ଇ ୯୬୧୯)ରେ ଶ୍ବଶୁର ଘରକୁ ଯାଉଥିଲେ। ପ୍ରାୟ ସାଢ଼େ ୧୧ଟାରେ ଯମୁନାକୋଟ ଛକ ନିକଟରେ କାମାକ୍ଷାନଗର ପଟୁ ଭୁବନ ଆଡ଼କୁ ଯାଉଥିବା ଦ୍ରୁତଗାମୀ ଟ୍ରକ୍ (ଓଡି୦୯ ଆର୨୫୩୧) ଧକ୍କାଦେଇଥିଲା। ସୂଚନା ପାଇଁ ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ଉଭୟ ବାପା ଓ ଝିଅଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ସୁଚରିତାକୁ ଡାକ୍ତର ରମେଶ ଚନ୍ଦ୍ର ସାହୁ ମୃତ ଘୋଷଣା କରିଥିଲେ। ଅଭିରାମ ସାମାନ୍ୟ ଆହତ ହୋଇଥିବାରୁ ସେ ଚିକିତ୍ସା ପରେ ସୁସ୍ଥ ଅଛନ୍ତି।
/sambad/media/post_attachments/wp-content/uploads/2023/03/df3e9b96-c7f6-4205-a82e-185aa9f6a267.jpg)
ଆଜି ସ୍ବାତିର ମା’ ନିଜ ବାପଘର ଭୁବନ ବ୍ଲକ ଧଳପଡ଼ାକୁ ଅନୁଗୁଳ ଜିଲ୍ଲା ହୁଳୁରୁସିଂହାରୁ ବାହାରିଥିଲେ। ତେଣୁ ଝିଅ ସ୍ବାତି ମଧ୍ୟ ଅଜାଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ସେ ମା’ଙ୍କ ସହିତ ବସ୍ରେ ନଯାଇ ବାପାଙ୍କ ସହିତ ବାଇକ୍ରେ ଯିବା ପାଇଁ ଜିଦ୍ ଧରିଥିଲା। ଏକମାତ୍ର ଝିଅ ହୋଇଥିବାରୁ ଏବଂ ନିକଟରେ ମାଟ୍ରିକ୍ ପରୀକ୍ଷା ଶେଷ ହୋଇଥିବାରୁ ଅଭିରାମ ମଧ୍ୟ ମନା କରିପାରି ନଥିଲେ। ସକାଳୁ ସକାଳୁ ସ୍ବାତିର ମା’ ବସ୍ରେ ବାପଘରକୁ ବାହାରିଯାଇଥିଲେ। ସେ ବାପଘରେ ପହଞ୍ଚି ସ୍ବାମୀ ଓ ଝିଅକୁ ଅପେକ୍ଷା କରିଥିଲେ।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ଉପଯୁକ୍ତ କ୍ଷତିପୂରଣ ସହିତ ଟ୍ରକ ଚାଳକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିଛି ସମୟ ପାଇଁ ରାସ୍ତାର ଉଭୟ ପାର୍ଶ୍ବରୁ ଯାନବାହନଗୁଡ଼ିକ ଭିଡ଼ ଲାଗିଥିଲା। ପୁଲିସର ହସ୍ତକ୍ଷେପ ପରେ ସ୍ବାଭାବିକ ହୋଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରକ୍କୁ ଜବତ କରିଛି। ଟ୍ରକ୍ ଚାଳକ ଲକ୍ଷ୍ମଣ ଦେହୁରୀ(୩୫)କୁ ପୁଲିସ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Swati.jpg)