ବାଲେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେନି ବୋଲି ବିଷ ପିଇ ଜୀବନ ହାରିଲେ ଛାତ୍ର

ଜଳେଶ୍ୱର/ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେନି ବୋଲି ଜଣେ ଦଶମ ଶ୍ରେଣୀ ଛାତ୍ର ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ବସ୍ତା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର ଶଙ୍କର୍ଷଣ ସେଠୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପୁଣ୍ଡରୁଙ୍ଗି ଗାଁର ବାଳକ ବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖିବେ ବୋଲି କେତେ ଆଶା ରଖିଥିଲେ ଏବଂ କଲେଜରେ ପଢ଼ିବେ ବୋଲି ଯୋଜନା କରିଥିଲେ। ଓଡ଼ିଶା ମାଧ୍ୟମିକ ବୋର୍ଡ ପକ୍ଷରୁ ଆଜି ସକାଳୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ରେଜଲ୍ଟ ଦେଖି ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ଫେଲ ହୋଇଯାଇଥିବାରୁ ନିଜେ ଅପମାନିତ ହେବେ ବୋଲି ଶେଷରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହସ୍‌ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ଆଜି ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳର ରାଜରାଜେଶ୍ୱରୀ ଗ୍ରାମର ରବୀନ୍ଦ୍ର ମାଝୀଙ୍କ ପୁଅ ବିଶ୍ୱଜିତ ମାଝୀଙ୍କର ମୃତ୍ୟୁ ହୋଇଛି। କଟକ-ଚାନ୍ଦବାଲି ରାସ୍ତାର ବାରୋ ଛକଠାରେ ଏହି ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ବିଶ୍ୱଜିତ୍‌ ବୋଲେରୋରେ କଟକରୁ ଫେରୁଥିବାବେଳେ ବାରୋ ଛକଠାରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଟ୍ରକକୁ ବୋଲେରୋ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବାବେଳେ ବୋଲେରୋ ଡ୍ରାଇଭର ଫେରାର୍‌ ହୋଇଯାଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର