ଦଶମ ଶ୍ରେଣୀ ସମେଟିଭ୍ ଆସେସ୍‌ମେଣ୍ଟ-୧ ଘୁଞ୍ଚିଲା, ଜାନୁଆରି ୫ରୁ ୮ ଯାଏ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରି‌ଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷା ୨୦୨୨ ଜାନୁଆରି ୫ତାରିଖରୁ ଆରମ୍ଭ ହେବ। ପୂର୍ବରୁ ଦଶମ ଶ୍ରେଣୀ ଏସ୍‌ଏ-୧ ଡିସେମ୍ବର ୨୬ ତାରିଖରୁ କରାଯିବାକୁ ବୋର୍ଡ ପକ୍ଷରୁ ପରୀକ୍ଷାସୂଚୀ ପ୍ରକାଶ ପାଇଥିଲା। କିନ୍ତୁ ଡିସେମ୍ବର ଶେଷ ସପ୍ତାହରେ ବଡ଼ଦିନ ଛୁଟି ରହୁଥିବାରୁ ପରୀକ୍ଷା ପରିଚାଳନାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦ ହୋଇଥିଲା। ଏଥିପାଇଁ ଏସ୍‌ଏ-୧ ପରୀକ୍ଷାକୁ ଡିସେମ୍ବର ୨୬ ପରିବର୍ତ୍ତେ ୨୦୨୨ ଜାନୁଆରି ୫ତାରିଖରୁ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏସ୍‌ଏ-୧ର ନୂତନ କାର୍ଯ୍ୟସୂଚୀ ଅନୁସାରେ, ଜାନୁଆରି ୫ ତାରିଖ ବୁଧବାର ପ୍ରଥମ ସିଟିଂରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ଦ୍ବିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ। ସେହିପରି ଜାନୁଆରି ୬ତାରିଖ ଗୁରୁବାର ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ, ଦ୍ବିତୀୟ ସିଟିଂରେ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୁକବଧିର ପିଲାଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା), ଜାନୁଆରି ୭ତାରିଖ ଶୁକ୍ରବାର ପ୍ରଥମ ସିଟିଂରେ ବିଜ୍ଞାନ, ଦ୍ବିତୀୟ ସିଟିଂରେ ତୃତୀୟ ଭାଷା (ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପାର୍ସି), ୮ ତାରିଖ ଶନିବାର ଟିଏଲ୍‌ଭି ପ୍ରାକ୍ଟିକାଲ ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦଶମ ଶ୍ରେଣୀ ମଧ୍ୟମା (ସଂସ୍କୃତ ଟୋଲ)ଙ୍କ ଏସ୍‌ଏ-୧ ପରୀକ୍ଷା ମଧ୍ୟ ଜାନୁ୍ଆରି ୫ତାରିଖରୁ ଆରମ୍ଭ ହୋଇ ଜାନୁ୍ଆରି ୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର