୧୦ମ ବୋର୍ଡ ପରୀକ୍ଷା: ୧୩୬ କେନ୍ଦ୍ରରେ ୨୮,୭୨୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

ଖୋର୍ଦ୍ଧା: ଶୁକ୍ରବାରଠାରୁ ବୋର୍ଡ ଅଫ୍ ସେକଣ୍ଡାରୀ ଏଜୁକେସନ୍ (ବିଏସ୍ଇ)ର ୧୦ମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି । ଜିଲ୍ଲାରେ ୨୮,୭୨୩ ରେଗୁଲାର୍ ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ।

ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ସମୟସାରଣୀରେ ପରୀକ୍ଷା ସକାଳ ୧୦ଟା ମଧ୍ୟରେ ଶେଷ ହେବ ଓ ଅପରାହ୍ଣ ପରୀକ୍ଷା ରହିବ ନାହିଁ । ଜିଲ୍ଲାରେ ୧୩୬ ପରୀକ୍ଷା କେନ୍ଦ୍ର ହୋଇଛି । ଏହାମଧ୍ୟରୁ ୧୨ଟି ନୋଡାଲ୍ ସେଂଟର ରହିଛି, ଅର୍ଥାତ୍ ଏହି କେନ୍ଦ୍ରରୁ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବ । ଚଳିତ ବର୍ଷ ମୋଟ ୨୮, ୭୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ରେଗୁଲାର ପରୀକ୍ଷାର୍ଥୀ ୨୮,୬୦୧ଜଣ । ପରୀକ୍ଷା କେନ୍ଦ୍ରଗୁଡ଼ିକର ଅନୁଧ୍ୟାନ କରିବାକୁ ବୋର୍ଡ ପକ୍ଷରୁ କେନ୍ଦ୍ରୀୟ ସ୍କ୍ୱାଡ୍ ଗଠନ ହୋଇଥିବା ବେଳେ ଜିଲ୍ଲା ପକ୍ଷରୁ ୩ଟି ସ୍କ୍ୱାଡ୍ ଗଠନ ହୋଇଛି । ଏଥିରେ ଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଅଛନ୍ତି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାକେନ୍ଦ୍ରରେ ଥଣ୍ଡାପାନୀୟ ଆଦିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀ ତରାଇ ସୂଚନା ଦେବା ସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଶୁଭାଶିଷ ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର