ବାରିପଦା : ମୋବାଇଲ ବା ଇୟରଫୋନ୍ କାନରେ ଦେଇ ଗାଡ଼ି ନ ଚଲାଇବା କିମ୍ବା ଯାତାୟତ ନ କରିବା ପାଇଁ ବାରମ୍ବାର ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। ମାତ୍ର ଏହାକୁ ମାନୁନାହାନ୍ତି ଯୁବପିଢ଼ି। ତେବେ ଏହାକୁ ଅଣଦେଖା କରିବା ଯେ କେତେ ଭୟଙ୍କର ହୋଇପାରେ ତାହାର ଏକ ଦୁଃଖଦ ଉଦାହରଣ ଦେଖିବାକୁ ମିଳିଛି ବାରିପଦାରେ। ମୋବାଇଲ୍ରେ ଇୟରଫୋନ୍ ଦେଇ କଥା ହୋଇ ଟ୍ରେନ୍ ଲାଇନ୍ ପାରି ହେବା କାଳ ସାଜିଛି। ଟ୍ରେନ୍ରେ କଟି ପ୍ରାଣ ହରାଇଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ସାଗର।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟାରେ ସ୍ଥାନୀୟ ଏମ୍କେସି ହାଇସ୍କୁଲ୍ର ଛାତ୍ର ତଥା ୱାର୍ଡ ନ˚-୧୭ର ରବୀନ୍ଦ୍ର ବେହେରାଙ୍କ ପୁଅ ସାଗର ପାଠ ପଢ଼ିବାକୁ ଯାଉଥିଲେ। ମାତ୍ର ସ୍ଥାନୀୟ ଗୋଶାଳା ନିକଟରେ ଟ୍ରେନ୍ ଲାଇନ ପାର ହେବା ବେଳେ ବାଙ୍ଗିରିପୋଷୀ-ବାଲେଶ୍ବର ଡିଏମ୍ୟୁରେ କଟି ପ୍ରାଣ ହରାଇଛନ୍ତି। କାନରେ ଇୟରଫୋନ୍ ଦେଇ କଥା ହେଉଥିବାରୁ ତାଙ୍କୁ ଟ୍ରେନ୍ର ହର୍ଣ୍ଣ ଶୁଭିନଥିବା ପ୍ରତ୍ୟକ୍ଷର୍ଶୀମାନେ କହିଛନ୍ତି। ଜିଆର୍ପି ଥାନାରେ କେସ୍ ନ˚ ୧୦୬/୧୮ରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହି ଅଘଟଣ ପରେ ଟ୍ରେନ୍ ଲାଇନ ପାରହେବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ରେଳ ବିଭାଗ।