ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ାରେ ଜୁଆ ଆଡ଼ା ଚଢ଼ଉ ବେଳେ ପୁଲିସକୁ ଜୁଆଡ଼ିଙ୍କ ପଥର, ଠେଙ୍ଗାମାଡ଼, ୧୧ ଗିରଫ

୮ହଜାର ୭୭୦ଟଙ୍କା, ୭ଟି ମୋବାଇଲ ଓ ୫ଟି ଠେଙ୍ଗା, ପଥର ଜବତ

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ାରେ ଜୁଆ ଆଡ଼ା ଚଢ଼ଉ ବେଳେ ପୁଲିସ ଉପରେ ଜୁଆଡ଼ି ଅତର୍କିତ ଆକ୍ରମଣ କରିଛନ୍ତି। ଗିରଫଦାରି ଏଡ଼ାଇବାକୁ ଜୁଆଡ଼ି ମାନେ ପୁଲିସ ବାହିନୀ ଉପରକୁ ପ୍ରଥମେ ପଥର ମାଡ଼ କରିଥିଲେ। ଠେଙ୍ଗାବାଡ଼ିରେ ପୁଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିଲେ। ପୁଲିସ-ଜୁଆଡ଼ି ଖଣ୍ଡଯୁଦ୍ଧରେ ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଅଧିକ ଫୋର୍ସ ମଗାଇ ଘଟଣା ସ୍ଥଳକୁ ଚାରିପଟୁ ଘେରାବନ୍ଦୀ କରି ଶେଷରେ ୧୧ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ାରେ ଗତରାତି ବିଳମ୍ବିତ ପ୍ରହରରେ ଘଟିଛି ଏ ଘଟଣା। ଜୁଆଡ଼ିଙ୍କ ଆକ୍ରମଣରେ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। କେସ୍ ନମ୍ବର ୨୬୧/୧୯ରେ ୧୧ଜଣ ଜୁଆଡ଼ିଙ୍କୁ ଗିରଫ କରି ପୁଲିସ ଉପରକୁ ଆକ୍ରମଣ ସହ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ନେଇ ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ସୂଚନା ଦେଇଛନ୍ତି।

ସଦର ଥାନା ଅନ୍ତର୍ଗତ ଲୋଚାପଡ଼ାରେ ଏକ ଜୁଆ ଆଡ଼ା ଚାଲିଥିବା ପୁଲିସ ଖବର ପାଇଥିଲା। ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଜୁଆଡ଼ି ମାନେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ଘଟଣାସ୍ଥଳକୁ ଘେରି ଯାଇଥିଲା। ଏହାପରେ ଜୁଆଡ଼ିମାନେ ଗିରଫଦାରି ଭୟରେ ପୁଲିସ ଉପରକୁ ପଥର ମାଡ଼ ଆରମ୍ଭ କରି ଦେଇଥିଲେ। ଠେଙ୍ଗା, ବାଡ଼ି ଧରି ଗୋଡ଼ାଇ ଆକ୍ରମଣ କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ୍‌ ଦିଆ ଯାଇଥିଲା। ପଥର ମାଡ଼ରେ ପୁଲିସ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି। କିଛି ଜୁଆଡ଼ି ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ପୁଲିସ ୧୧ଜଣଙ୍କୁ ମାଡ଼ି ବସି ଧରିଥିଲା। ଘଟଣାସ୍ଥଳରୁ ମୋଟ ୮ହଜାର ୭୭୦ଟଙ୍କା, ୭ଟି ମୋବାଇଲ ଓ ୫ଟି ଠେଙ୍ଗା, ପଥର ଜବତ ହୋଇଛି। ଦଶହରା, କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ସହର ଓ ଗ୍ରାମାଞ୍ଚଳରେ ଜୋରଦାର ଜୁଆଖେଳ ଆରମ୍ଭ ହେଲାଣି।

ସମ୍ବନ୍ଧିତ ଖବର