ଗୁପ୍ତଧନ ସନ୍ଧାନରେ ପୂଜାର୍ଚ୍ଚନା,୧୧ ଅଟକ

ବିଷମକଟକ : ଗୁପ୍ତଧନ ସନ୍ଧାନରେ ରାତି ଅନ୍ଧାରରେ କରୁଥିଲେ ପୂଜାର୍ଚ୍ଚନା। ଗୁଣିଆ କହିଥିବା ଦିଗରେ ଖୋଳାଖୋଳି ବି କରିଥିଲେ। କିନ୍ତୁ ଗୁପ୍ତଧନ ବଦଳରେ ମିଳିଲା ନିସ୍ତୁକ ମାଡ଼। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ୍‌ରେ ଏମିତି ଘଟଣା ଘଟିଛି। ଗୁପ୍ତଧନ ସନ୍ଧାନ କରୁଥିବା ୧୧ଜଣଙ୍କୁ ଗତକାଲି ରାତିରୁ ଗ୍ରାମବାସୀ ଗୋଟିଏ କୋଠାରୀରେ ବନ୍ଦ କରି ରଖିଛନ୍ତି। ଆଜି ବିଷମକଟକ ପୁଲିସ ପହଞ୍ଚି ବୁଝାସୁଝା କରିବା ସତ୍ତ୍ବେ ଛାଡ଼ିନାହାନ୍ତି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ୩ ଜଣ, ବିଶ୍ବନାଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ, ବିଷମକଟକ ଥାନା ଅଞ୍ଚଳର ୪ ଜଣ କିଛି ଦିନ ହେଲା ଗୁପ୍ତଧନ ସନ୍ଧାନରେ ରହିଥିଲେ। ଆମାବାସ୍ୟା ରାତିରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଗୁପ୍ତଧନ କେଉଁଠି ରହିଛି ତାହା ଜାଣିହେବ ବୋଲି ଜଣେ ଗୁଣିଆ ପରାମର୍ଶ ଦେଇଥିଲେ। ଗତକାଲି ବିଷମକଟକ ବ୍ଲକ ଡୁକୁମ ପଞ୍ଚାୟତର ଡେଡ଼ିପଡ଼ା ଗାଁ କାଣିମାଣି ଠାକୁରାଣୀ ଝାଙ୍କିରି ମା ପୀଠରେ ଏମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏପରିକି ମନ୍ଦିର ନିକଟରେ ଥିବା ଶିମିଳି ଗଛ ତଳେ ଖୋଳିବା ଆରମ୍ଭ କରିଥିଲେ। ତେବେ ଗାଁ ବାହାରର ଏହି ଲୋକଙ୍କ ସନ୍ଦିଗ୍ଧ ଗତିବିଧିକୁ ନେଇ ଗ୍ରାମବାସୀ ସମସ୍ତଙ୍କୁ ଧରି ମାର୍‌ପିଟ୍‌ କରି ଗାଁର ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମନ୍ଦିର ନିକଟରୁ କାର୍‌ (ଓଆର୦୨ ଏଡବ୍ଲୁ ୧୫୫୫) ସହ ତିନୋଟି ବାଇକ ଜବତ କରିଥିଲେ। ଗାଁରେ ବୈଠକ କରି ଏମାନଙ୍କ ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀ କହିଛନ୍ତି।

ଗତକାଲି ରାତି ୮ଟାରୁ ୧୧ଜଣ ବ୍ୟକ୍ତି ଗ୍ରାମବାସୀଙ୍କ ଦ୍ବାରା ଅଟକ ଥିବା ଖବର ଆଜି ସକାଳେ ବିଷମକଟକ ପୁଲିସ ପାଇଥିଲା। ଅପ୍ରୀତିକର ପରିସ୍ଥିିତିକୁ ଏଡ଼ାଇବା ପାଇଁ ଗୋଟିଏ ଟିମ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। କିନ୍ତୁ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବାରୁ ଖାଲି ହାତରେ ଫେରିବାକୁ ପୁଲିସ ବାଧ୍ୟ ହୋଇଥିଲା। ଖବର ଲେଖାଯିବା ସୁଦ୍ଧା ଗ୍ରାମବାସୀ ସମସ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଗ୍ରାମବାସୀ ଅଟକ ରଖି ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଧରାପଡ଼ିଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର