ନକ୍ସଲ ସଙ୍ଗଠନର ୧୧ ବଙ୍କର ଧ୍ବସ୍ତ: ଆଇଇଡି ବୋମା, ଡିଟୋନେଟର ସହ ବିପୁଳ ମାରଣାସ୍ତ୍ର ଜବତ

ନେତୃତ୍ବ ନେଉଥିଲେ ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେସ୍ରା

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରୋକିବାକୁ ଗତ କିଛି ଦିନ ଧରି ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ଅପରେସନ୍‌ରେ ସାମିଲ ଥିଲେ କୋବ୍ରା ୨୦୯ ବାଟାଲିୟନ୍‌, ୨୦୩ ବାଟାଲିୟନ୍‌, ଝାଡ଼ଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ୬୦ ବାଟାଲିୟନ୍‌, ୧୯୭ ବାଟାଲିୟନ୍‌, ୧୩୪ ବାଟାଲିୟନ୍‌, ୧୯୩ ବାଟାଲିୟନ୍‌ ଓ ୨୬ ବାଟାଲିୟନ୍‌। ଗତ ୮ରୁ ୧୧ ତାରିଖ ୪ ଦିନ ମଧ୍ୟରେ ଯବାନ ଓ ସ୍ଥାନୀୟ ପୁଲିସକୁ ବଡ଼ ସଫଳତା ମିଳିଛି। ଯବାନମାନେ ୧୧ରୁ ଅଧିକ ବଙ୍କର ସହ କିଛି ଶିବିର ଧ୍ବଂସ କରିଛନ୍ତି। କିଛି ସ୍ଥାନରୁ ନକ୍ସଲମାନେ ଛତ୍ରଭଙ୍ଗ ‌ଦେଇ ଫେରାର ହୋଇଯାଇଛନ୍ତି।
ଘଟଣାସ୍ଥଳରୁ ଯବାନମାନେ ବିପୁଳ ପରିମାଣରେ ମାରଣାସ୍ତ୍ର, ନକ୍ସଲ ପୋଷ୍ଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ୧୫୧ଟି ଡିଟୋନେଟର୍‌, ୧୭ରୁ ଅଧିକ ଆଇଇଡି ବୋମା, ମୋର୍ଟାର ବୋମା ସହ ବିପୁଳ ପରିମାଣରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର। ଏଥିସହ ନକ୍ସଲ ପୋଷ୍ଟର, ନକ୍ସଲ ପୋଷାକ, ପ୍ରିଣ୍ଟର, ସାଇକଲ, ଡ୍ରିଲ ମେସିନ୍‌, ସୋଲାର ପ୍ଲେଟ, ବ୍ୟାଟେରି, ବିଦ୍ୟୁତ୍‌ ତାର, ଜେନେରେ‌ଟର୍‌, ଡାଟା କେବୁଲ, ଚାର୍ଜର ସମେତ ରାସନ ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଗତ ୮ରେ ଟୋଣ୍ଟୋ ଥାନା ଅନ୍ତର୍ଗତ ରେଙ୍ଗଡ଼ାହାତୁ, ଲୁଇୟା ଓ ହୁସିପି ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ୯ରେ ରେରଡ଼ା‌କୋଚା ଜଙ୍ଗଲ ନିକଟ ପାହାଡ଼ ଓ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ବେଳେ ଯବାନଙ୍କୁ ବଡ଼ ସଫଳତା ମିଳିଥିଲା।

ଜଙ୍ଗଲରୁ ଯବାନମାନେ ବିପୁଳ ଗୋଳାବାରୁଦ ଏବଂ ନକ୍ସଲମାନେ ବ୍ୟବହାର କରୁଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ। ଗତ ୧୦ ତାରିଖରେ ମୋଟ ୧୧ଟି ନକ୍ସଲ ବଙ୍କର ଧ୍ବଂସ କରିଥିଲେ। ବଙ୍କରରୁ ବିପୁଳ ପରିମାଣର ଗୋଳାବାରୁଦ, ଦୈନିକ ବ୍ୟବହାର କରୁଥିବା ସାମଗ୍ରୀ ମିଳିଥିଲା। ଏଥିସହ ଘଟଣାସ୍ଥଳରୁ ମୋଟ ୧୭ ଆଇଇଡି ବୋମା ଜବତ କରିଥିଲେ। ଆଜି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ହୁସିପି ଓ ତିଳାୟବେଡ଼ା ମଧ୍ୟସ୍ଥ ପାହାଡ ଓ ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଗୁଳି ବିନିମୟ ହୋଇଥିଲା ବୋଲି ପଶ୍ଚିମ ସିଂହଭୁମ ପୁଲିସ୍ ଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର