୧୧ କୋଟିର ବ୍ରାଉନ୍‌ସୁଗାର ଜବତ ମାମଲା: ଜାମିନରେ ମୁକୁଳିଲେ, ପୁଣି ବାନ୍ଧିଲା ପୁଲିସ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ପୁଲିସ ୭ ମାସ ପୂର୍ବରୁ ବାଲେଶ୍ବର ସହର ଉପକଣ୍ଠ ଫୁଲାଡ଼ି ଛକରୁ ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରିବା ସହ ସେଥିରେ ସାମିଲ ଥିବା ସେକ୍‌ ରାଜୁ, ସେକ୍‌ ହୁସେନ୍‌, ରିଣ୍ଟୁ ତରେଇ, ସେକ୍‌ ସମିର ଓ ସେକ୍‌ ସଫିକ୍‌କୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟରୁ ଜାମିନ ଅର୍ଡର ମିଳିଥିବା ବେଳେ ଆଜି ଜିଲ୍ଲା କାରାଗାରରୁ ବାହାରୁ ବାହାରୁ ସହଦେବଖୁଣ୍ଟା ପୁଲିସ ସେମାନଙ୍କ ବିରୋଧରେ ଥିବା ଆଉ ଏକ ବ୍ରାଉନ୍‌ସୁଗାର କାରବାର ମାମଲାରେ ଗିରଫ କରି ଆଉଥରେ ଜେଲ୍‌ ହାଜତରେ ଭର୍ତ୍ତି କରିଥିବା ଚର୍ଚ୍ଚାର ବିଷୟ ହୋଇଛି।

୨୦୨୨ ଅକ୍ଟୋବର ୨୭ ତାରିଖରେ ବାଲେଶ୍ବର ସହର ଉପକଣ୍ଠ ଫୁଲାଡ଼ି ଛକର ଏକ ନିଛାଟିଆ ସ୍ଥାନରେ ସମ୍ପୃକ୍ତ ୫ ନିଶାବେପାରୀ ମଧ୍ୟପ୍ରଦେଶରୁ ଜଣେ କୁଖ୍ୟାତ ନିଶା ବେପାରୀ ଆୟୁବ ଖାନ୍‌ଙ୍କୁ ଡକାଇ ସେ ଆଣିଥିବା ୧୦ କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ବାବଦରେ ମୂଲଚାଲ କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଏ ସମ୍ପର୍କରେ ବା‌ଲେଶ୍ବର ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ତତ୍କାଳୀନ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏଥିଲାଗି ସହରର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଡକାଇ ଏହି ବଡ଼ଧରଣର ନିଶା କାରବାର ସହ ମାଫିଆ ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହାପରେ ସେମାନଙ୍କୁ ଉକ୍ତ ସ୍ଥାନରୁ ଗିରଫ କରାଯିବା ସହ ୧୦ କେଜିରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର ପ୍ୟାକେଟ୍‌କୁ ଜବତ କରାଯାଇଥିଲା। ପୂର୍ବରୁ ରାଜ୍ୟରେ ଏତେ ପରିମାଣର ବ୍ରାଉନ୍‌ସୁଗାର କେବେ ଜବତ ହୋଇ ନଥିବା ବେଳେ ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚୁରା ବେଳେ ଦୀର୍ଘବର୍ଷ ଧରି ବାଲେଶ୍ବର ଜିଲ୍ଲାରୁ ସାରା ରାଜ୍ୟକୁ ଏହି ଗ୍ୟାଙ୍ଗ୍‌ ନିଶା ଚାଲାଣ କରୁଥିଲେ ବୋଲି ମାନିଥିବା ଜଣାଯାଇଥିଲା।

ମୁଖ୍ୟ ଅଭିଯୁକ୍ତ ଆୟୁବ ଖାନ୍‌ର ଘର ମଧ୍ୟପ୍ରଦେ‌ଶରେ ହୋଇଥିବା ବେଳେ ଗିରଫ ସେକ୍‌ ହୁସେନ୍‌, ସେକ୍‌ ସଫିକ୍‌ ଓରଫ୍‌ ଲାଦେନ୍‌, ସେକ୍‌ ରାଜୁ, ବଡ଼ୁ ଓରଫ୍‌ ସେକ୍‌ ସମୀର ଓ ରିଣ୍ଟୁ ତରେଇଙ୍କ ଘର ଅରଡ଼ବଜାର ଅଞ୍ଚଳରେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏଥିସହ ବ୍ରାଉନ୍‌ସୁଗାର ଏବଂ ଅନ୍ୟାନ୍ୟ ନିଶା କାରବାରରେ ସେମାନଙ୍କ ନାଁ’ରେ ଏବେ ବି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ତେବେ ଦୀର୍ଘ ୭ ମାସ ଧରି ଜେଲ୍‌ରେ ରହିବା ଭିତରେ ସେମାନେ ଆଜି ହାଇକୋର୍ଟଙ୍କ ଜାମିନ୍‌ ବଳରେ ଜେଲ୍‌ରୁ ବାହାରିଥିଲେ। ହେଲେ ଜେଲ୍‌ ମୁଖ୍ୟ ଫାଟକରୁ କିଛି ବାଟ ଆସିଥିବା ବେଳେ ସହଦେବଖୁଣ୍ଟା ଥାନା ପୁଲିସ ଅନ୍ୟ ଏକ ବ୍ରାଉନ୍‌ସୁଗାର ମାମଲାରେ ‌ସେମାନଙ୍କୁ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି। ଅରଡ଼ ବଜାରର କୁଖ୍ୟାତ ନିଶା ମାଫିଆ ସେକ୍‌ ରାଜାର ପୁତୁରା ତଥା ଭାଉଜ ସନୱର ବିବିର ପୁଅ ସେକ୍‌ ସୁନୀଲର ବୟାନ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କର ନିଶା କାରବାର ସମ୍ବନ୍ଧରେ ମିଳିଥିବା ପ୍ରମାଣ ଆଧାରରେ ସମ୍ପୃକ୍ତ ୫ ନିଶା ବେପାରୀଙ୍କୁ ପୁଲିସ ଆଉ ଥରେ ଗିରଫ କରିଥିବା ସୂଚନା ମିଳିଛି। ଉଲ୍ଲେଖଥାଉକି, ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ ଜଣ; ଆୟୁବ ଖାନ୍‌ ଓ ନାଉଲାଖା ପୂର୍ବରୁ ଜାମିନ ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର