ଭୁବନେଶ୍ୱର: ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ‘ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ସୋମବାର ସନ୍ଧ୍ୟାରେ ୨୦୨୪’ ଉଦଯାପିତ ହୋଇଯାଇଛି। ଜାନୁଆରି ୨୬ରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ମେଳାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ବେଳେ ୫ କୋଟିରୁ ଅଧିକ ଟଙ୍କାର ଜନଜାତି ସାମଗ୍ରୀ କାରବାର ହୋଇଥିଲା। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ।
“ଓଡ଼ିଶାର ଜନଜାତିଙ୍କ ବିକାଶ ଓ ସେମାନଙ୍କ ଭାଷା ସଂସ୍କୃତିର ସଂରକ୍ଷଣ ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀର ଚାହିଦା ଆଜି ଦେଶ ବାହାରକୁ ବ୍ୟାପ୍ତ ହୋଇଛି। ଆଦିବାସୀ ମେଳା ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରିରେ ଏକ ବଡ଼ ପ୍ଲାଟଫର୍ମ ହୋଇପାରିଛି”, କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ଏବଂ ଅନୁସୂଚିତ ଜନଜାତି ବିକାଶ ସମବାୟ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଡକ୍ଟର ପୋମା ଟୁଡୁ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2024/02/WhatsApp-Image-2024-02-05-at-20.36.22_279e7fe3-e1707147339416.jpg)
ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ତାହିରା ଖାତୁନ୍, ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ପୃଥ୍ୱୀରାଜ ସାହୁ ଏବଂ ଅନ୍ୱେଷା ଓ ଆକାଂକ୍ଷା ଯୋଜନାର ଉପଦେଷ୍ଟା ଏଲିନା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ପ୍ରତିଯୋଗିତାରେ ୬ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ଏବଂ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ୩୨ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
୨୦୨୩ ମାଟ୍ରିକ ବୋର୍ଡ ପରୀକ୍ଷାରେ ସଫଳତା ପାଇଥିବା ୧୦୪ ଜଣ ଛାତ୍ରଛାତ୍ରୀ ଏବଂ ଅନ୍ୟ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାର ୧୪ ଜଣ କୃତୀ ଛାତ୍ରଛାତ୍ରୀ ଏଥିରେ ପୁରସ୍କୃତ ହୋଇଥିଲେ। ସେହିପରି ଭଲ ପ୍ରଦର୍ଶନ କରିଥିବା ୫୦ଟି ଏସଏସଡି ହାଇସ୍କୁଲକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କୃଷି ଏବଂ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ପାଇଥିବା ୯ ଜଣ ଆଦିବାସୀ ଚାଷୀଙ୍କୁ ଉଦଯାପନୀ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଆଦିବାସୀ ମେଳାରେ ପ୍ରଦର୍ଶିତ ହୋଇଥିବା ଜନଜାତି କୁଡ଼ିଆଗୁଡ଼ିକ ମଧ୍ୟରୁ ୪ଟିକୁ ପୁରସ୍କାର ଦିଆଯିବା ସହ ଶ୍ରେଷ୍ଠ ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ କିସ୍ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଦିବାସୀ ନୃତ୍ୟ ଏବଂ ଜନଜାତି କଳାକାରଙ୍କ ଦ୍ୱାରା ବହୁଭାଷୀ ନାଟକ ପରିବେଷଣ କରାଯାଇଥିଲା।
/sambad/media/post_attachments/wp-content/uploads/2024/02/WhatsApp-Image-2024-02-05-at-20.53.16_a86fd821-e1707147396413.jpg)
ଆଦିବାସୀ ଜନଜୀବନ, ସେମାନଙ୍କର କଳା, ସଂସ୍କୃତି, ପରମ୍ପରା, ଚଳଣି, ହସ୍ତକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହ ଲଘୁ ବନଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଏକ ପ୍ଲାଟଫର୍ମ ହେଉଛି ଆଦିବାସୀ ମେଳା। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ତଥା ଭୁବନେଶ୍ୱର ସ୍ଥିତ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଏହି ରାଜ୍ୟସ୍ତରୀୟ ମେଳା ଆୟୋଜିତ ହେଉଛି। ଚଳିତ ବର୍ଷ ମେଳାର ଆକର୍ଷଣ ଥିଲା ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ଓ କଳାବସ୍ତୁ। ମେଳାରେ ଜମିଥିଲା ଆଦିବାସୀ ନୃତ୍ୟ ଓ ସଙ୍ଗୀତର ଆସର। ତା’ ସାଙ୍ଗକୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।
ସେହିପରି ମେଳାରେ ଆଦିବାସୀଙ୍କ ଉତ୍ପାଦିତ ତଥା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ, ଘରକରଣା ସାମଗ୍ରୀ ଓ କୃଷିଜାତ ଦ୍ରବ୍ୟ, ଜନଜାତି କଳା ଓ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ହେଉଥିଲା। କଟକ-ଭୁବନେଶ୍ୱର ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ମେଳାକୁ ଆସିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀର ସଦସ୍ୟ ସଚିବ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ସହକାରୀ ନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/WhatsApp-Image-2024-02-05-at-20.36.25_25f7493b.jpg)