ନୂଆପଡ଼ା/ଅନୁଗୁଳ: ଦ୍ରୁତଗତିରେ କାର ଚଳାଇବା ମହଙ୍ଗା ପଡ଼ିଛି। ୨ ଜଣ କାର୍ ଚାଳକ ବେପାରୁଆ ଭାବେ ଗାଡ଼ି ଚଳାଇବା କାରଣରୁ ୧୧ ଜଣଙ୍କର ଅକାଳରେ ମୃତ୍ୟୁ ଘଟିଛି। ଆଜି ସକାଳୁ ଅନୁଗୁଳ ଜିଲ୍ଲାର ଖମାର ଅଞ୍ଚଳରେ ଏକ କାର ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଅନ୍ୟ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ପ୍ରାଣ ଚାଲିଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ନୂଆପଡ଼ା-ବରଗଡ଼ (ବିଜୁ ଏକ୍ସପ୍ରେସ୍ ୱେ)ର ଜୋଙ୍କ ଥାନା ଅନ୍ତର୍ଗତ ମହାମାୟା କଲେଜ ସୁନସୁନିଆ ନିକଟରେ ଦ୍ରୁତଗାମୀ କାର (ସିଜି ୦୬ଜିଏଫ ୨୭୫୩) ଆଜି ଅପରାହ୍ନ ପ୍ରାୟ ୩ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ରେ ଜଣେ ମହିଳା ଓ ଶିଶୁଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ। ଏମାନେ ସମସ୍ତେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ଛତିଶଗଡ଼ର ମହାସମୁନ୍ଦ ଆଡ଼କୁ ଯାଉଥିଲେ। ତେବେ କାର୍ର ଚାଳକ ସୁନସୁନିଆ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ମୃତଦେହ ଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ବାଦଦରେ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ।
ସେହିପରି ଅନୁଗୁଳ ଜିଲ୍ଲାର ଖମାର ଥାନା ଅନ୍ତର୍ଗତ କଣ୍ଟିଆପସି ୧୪୯ ନଂ ଜାତୀୟ ରାଜପଥରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଦ୍ରୁତଗାମୀ ଟ୍ରକ ସହ ହୁଣ୍ଡାଇ କାରର ଧକ୍କା ଘଟିଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସମସ୍ତ ମୃତକମାନେ ଖମାର ଥାନା ଅନ୍ତର୍ଗତ ଇଂଜିଡି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗୌର ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାପୁନ ସାହୁ, ରାନୁ ପ୍ରଧାନ ଓ ପିନୁ ସାହୁ। ଘଟଣା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।