ଘନ କୁହୁଡ଼ି ୧୧ ଜୀବନ ଗଲା

ଚାନ୍ଦୋଳରେ ୪ ମୃତ, ୪ ଆହତ, ଚୌଦ୍ବାରରେ ବସ୍‌ ଓଲଟି ୨ ମୃତ, ୨୦ ଆହତ, ଜଗତସିଂହପୁରରେ ୩ ଜଣଙ୍କ ମୃତ୍ୟୁ

ରାଜନଗର/ଚାନ୍ଦୋଳ/ଚୌଦ୍ବାର/ଜଗତସିଂହପୁର : କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଆଜି ଏକାଧିକ ଦୁର୍ଘଟଣା ଘଟି ୧୧ ଜଣଙ୍କ ପ୍ରାଣ ଯାଇଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦେଖା ନଯିବା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥର କାକତିଆ ନିକଟରେ ଟ୍ରକ-ବୋଲେରୋ ମଧୢରେ ମୁହାଁମୁହିଁ ଧକ୍କା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଘଟଣାରେ କେନ୍ଦ୍ରାପଡାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୩ ଜଣ ଏବଂ କଟକ ଜିଲ୍ଲାର ଚୌଦ୍ବାର ନିକଟରେ ୨ ଜଣଙ୍କ ଜୀବନ ଯାଇଛି। ଏହି ସବୁ ଘଟଣାରେ ୨୫ରୁ ଅଧିକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବାଲିକଣା ଗାଁର ସୁବାସ ରାଉତ ଓ ତାଙ୍କ ଭାଇ ସୁଶାନ୍ତ ରାଉତଙ୍କ ପରିବାର ମୁମ୍ବାଇରେ ହୋଟେଲ ବ୍ୟବସାୟ କରୁଥିବା ବେଳେ ପରିବାର ସହିତ ଦୁଇ ଭାଇ ସେଠାରେ ରୁହନ୍ତି। ବାପାଙ୍କ ମୃତ୍ୟୁ ଯୋଗୁଁ ଦୁଇଭାଇ ପରିବାର ସହ ଗାଁକୁ ଆସିଥିଲେ। ପିଲାମାନେ ପୂର୍ବରୁ ମୁମ୍ବାଇ ଚାଲିଯାଇଥିଲେ। ଆଜି କଟକ ରେଳ ଷ୍ଟେସନରୁ ଟ୍ରେନ ଯୋଗେ ମୁମ୍ବାଇ ଯିବା ପାଇଁ ଦୁଇ ଭାଇ ଓ ସେମାନଙ୍କ ପତ୍ନୀ ଟିକଟ କରିଥିଲେ। ଏକ ବୋଲେରୋ (ଓଡି୨୯ବି-୫୩୮୮) ରେ ଆଜି ଭୋର ୩ଟାରୁ ସମସ୍ତେ ଗାଁରୁ ବାହାରିଥିଲେ। ବୋଲେରୋରେ ସୁବାସ, ପତ୍ନୀ ଭଗବତୀ, ସୁଶାନ୍ତ ଓ ପତ୍ନୀ ଟୁନିଙ୍କ ସମେତ ଭଣଜା ରାଜପୁର ଗାଁର ମହେଶ୍ବର ରାଉତଙ୍କ ପୁଅ ବିଭୂତି(୨୫) ଗାଁରୁ ବାହାରିଥିଲେ। ବିଭୂତି ମାମୁଁମାଇଁଙ୍କୁ ଷ୍ଟେସନରେ ଛାଡି ଫେରିଥାେନ୍ତ। ଯିବା ବେଳେ ଚନ୍ଦନନଗର ଛକ ନିକଟରେ ଗାଡ଼ି ଖରାପ ଯୋଗୁଁ ଅପେକ୍ଷା କରିଥିବା କଣ୍ତିଆ ଗାଁର ଅମର କୁମାର ବଳ, ପ୍ରତାପ ମହାକୁଳ ଓ କମଳାକାନ୍ତ ବେହେରା ଲିଫ୍ଟ ମାଗି ସେମାନଙ୍କ ସହ କଟକ ଆସିଥିଲେ। ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖାଯାଉ ନ ଥିଲା। ସେପଟେ ଟ୍ରେନ ସମୟ ହୋଇଯାଇଥିବାରୁ ଗାଡ଼ିକୁ ଦ୍ରୁତ ଗତିରେ ଯିବାକୁ ପଡୁଥିଲା। ଚାନ୍ଦୋଳ ଫାଣ୍ତି ଅନ୍ତର୍ଗତ କାକତିଆ ନିକଟରେ ଏକ ମାଲ ବୋଝେଇ ଟ୍ରକ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋର ସମ୍ମୁଖ ଭାବ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଭୋର ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଚାନ୍ଦୋଳ ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ଭଗବତୀ, ଚାଳକ ଭଗବାନପୁର ଗାଁର ସୁବ୍ରତ ବେହେରା(୨୨), ବିଭୂତିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୁଶାନ୍ତ, ସୁବାସ, ଟୁନି, ଅମର, ପ୍ରତାପ ଓ କମଳାକାନ୍ତଙ୍କୁ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅମରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାପାଙ୍କ ଦଶାହକର୍ମ ପାଇଁ ଗାଁକୁ ଆସିଥିବା ପୁଅବୋହୂ ମୁମ୍ବାଇ ଫେରିବା ବେଳେ ଜଣେ ବୋହୂର ମୃତ୍ୟୁ ଘଟିବା ଓ ଅନ୍ୟ ଜଣେ ବୋହୂ ଓ ଦୁଇ ପୁଅ ଗୁରୁତର ଆହତ ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।
ସେହିଭଳି ରାଜନଗର-ଗୁପ୍ତି ମୁଖ୍ୟରାସ୍ତାର ରାଜନଗର ତାରିଣୀମନ୍ଦିର ନିକଟରେ ବାଇକକୁ କୋଣାର୍କ ଗଣନାଟ୍ୟର ଟ୍ରକ(ଓଆର୦୧ବି୪୩୯୫)ଧକ୍କା ଦେବା ଫଳରେ ମହେଶ୍ବର ରାଉତ(୬୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ˚ପର୍କୀୟ ହାତିନା ଗାଁର ଅଟଳ ବିହାରୀ ରାଉତ (୨୫) ଆହତ ହୋଇଛନ୍ତି। ସେହିପରି ରାଜନଗର-ତାଳଚୁଆ ରାସ୍ତାର ହାତିଆଗଡି ନିକଟରେ ମଟରସାଇକଲ ଧକ୍କାରେ ହାତିଆଗଡି ଗାଁର ମେଘୁ ଦାସ (୭୦)ଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଏରଡଙ୍ଗା ଛକ ନିକଟରେ ଆଜି ସକାଳ ୬ଟା ସମୟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ତିର୍ତ୍ତୋଲ ଥାନା କ୍ରିଷ୍ଣାନ୍ଦପୁର ଅଞ୍ଚଳର ଯୁକ୍ତ ଦୁଇରେ ପଢ଼ୁଥିବା ଆରିଫ୍ ଅହମ୍ମଦ(୧୭) ତାଙ୍କ ମା ସଫନ ବିବି ଓ ସାନ ଭାଇ ଆକିବଙ୍କୁ ସ୍କୁଟିରେ ବସାଇ ଜଗତସିଂହପୁର ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଆଦୌ ଦିଶୁନଥିଲା। ସ୍କୁଟି ଖାଲରେ ପଡ଼ି ରାସ୍ତା କଡ଼ରେ ଥିବା ଏକ ବଡ଼ ଗଛରେ ପିଟି ହେବା ଫଳରେ ଆରିଫଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଆହତ ହୋଇଥିଲେ। ସେହିପରି ତୈଳ ବିଶୋଧନାଗାରରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଛେରାକଣି ଗାଁର ଅଞ୍ଜନ କୁମାର ଦାସ ଓ ତିଖିରୀ ଗାଁର ତପନ ସାହୁ ବାଇକ୍(ଓଡି ୨୯ଡି୮୭୯୩)ରେ ପେଟ୍ରୋଲ ଭର୍ତ୍ତିି କରି ଟାଙ୍କିରୁ ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ୧୪ ଚକିଆ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଞ୍ଜନ ଓ ତପନଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ମୃତଦେହକୁ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକ ଧାରଣା ଦେଇଥିଲେ।

ଅନ୍ୟ ଏକ ଘଟଣାରେ ଚୌଦ୍ୱାରର କଜଳକଣା ନିକଟରେ ‘ନୀଳକଣ୍ଠ’ ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ ବଳରାମ ପ୍ରସାଦ ଅଞ୍ଚଳର ଦୁ‌େର୍ଯ୍ୟାଧନ ମହାନ୍ତି ବୋଲି ଜଣାପଡିଛି। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ। ବସ୍‌ଟି କଟକରୁ ଅନୁଗୁଳ ଯିବା ବେଳେ କଜଳକଣା ନିକଟରେ ଓଲଟି ପଡ଼ିଥିଲା। ବସଟିକୁ ସମ୍ମୁଖଭାଗରୁୁ ଆସିଥିବା ଏକ ଡମ୍ପର ସାଇଡ୍‌ ମାରିବା ଫଳରେ ବାଲି ଗଦା ଉପରେ ବସଟି ଓଲଟି ପଡିଥିବା କୁହାଯାଉଛି। ଘଟଣାସ୍ଥଳରେ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ଏସିପି ତ୍ରିନାଥ ମିଶ୍ର, ଚୌଦ୍ବାର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ପ୍ରମୁଖ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର