କେନ୍ଦୁଝର: ରାଜ୍ୟ ସରକାର ଆଦିବାସୀଙ୍କ କଥା ଭୁଲି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଜନ୍ତାରୀ ଜୁଆଙ୍ଗସାହିରେ ମାସକ ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ପରେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରି ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ରାଜ୍ୟ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳରେ ଆସି ଶ୍ରୀ ପଟ୍ଟନାୟକ ଜୁଆଙ୍ଗସାହିରେ ସ୍ଥିତି ଅନୁଧ୍ୟାନ କରିବା ସହ ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୧ ଜୁଆଙ୍ଗଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇବା ପରେ ବି ସରକାରଙ୍କ କୌଣସି ମନ୍ତ୍ରୀ ତ ଦୂରର କଥା କୌଣସି ଲୋକପ୍ରତିନିଧିଙ୍କ ପାଦ ଜୁଆଙ୍ଗ ସାହିରେ ପଡ଼ିଲା ନାହିଁ। ୨୪ ବର୍ଷ ହେଲା ନିରଙ୍କୁଶ ଶାସନ କରୁଥିବା ରାଜ୍ୟ ସରକାରଙ୍କ ଅହଙ୍କାର ବଢ଼ିଯାଇଛି। ଗାଁରେ କେବଳ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ଔଷଧ ଦେଇ ଚାଲିଯାଇଛନ୍ତି। ହେଲେ କେଉଁ ପରସ୍ଥିତିରେ ୧୧ଜଣଙ୍କ ମୃତ୍ୟୁ ହେଲା ତାହାର ଅନୁଧ୍ୟାନ କରାଗଲା ନାହିଁ। ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପର ଟାଙ୍କିରୁ ବାହାରୁଥିବା ପାଣିରେ ପୋକ ଆସୁଥିବା ଲୋକେ ଅଭିଯୋଗ କରିଥିଲେ। ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ଗାଁ ଲୋକେ ସେହି ପାଣିଟାଙ୍କିକୁ ସଫା କଲେ। ଆଜି କଂଗ୍ରେସ ଟିମ୍‌ ଗାଁକୁ ଆସିବା ଖବର ପାଇ କିଛି ସରକାରୀ କର୍ମଚାରୀ ଯାଇ ପାଣିଟାଙ୍କି ତଳେ ବ୍ଲିଚିଂ ପାଉଡର୍‌ ପକାଇଥିଲେ। ଜୁଆଙ୍ଗଙ୍କ ଉନ୍ନତି ପାଇଁ କଂଗ୍ରେସ ସରକାର ଜୁଆଙ୍ଗ ଉନ୍ନୟନ ସଂସ୍ଥା ଆରମ୍ଭ କରି ସ୍ବତନ୍ତ୍ର ବଜେଟ୍‌ ବ୍ୟବସ୍ଥା କରିଥିଲେ। ଆଜି ମଧ୍ୟ ଜୁଆଙ୍ଗଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବହୁ ସ୍ବେଚ୍ଛାସେବୀ ସଂଗଠନ ସେମାନଙ୍କ ପାଇଁ କାମ କରୁଛନ୍ତି। ହେଲେ ଜୁଆଙ୍ଗମାନଙ୍କର ବିକାଶ ହେଉ ନାହିଁ। ଏବେ ମଧ୍ୟ ଅନେକ ଲୋକେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଏବଂ ପିଇବା ପାଇଁ ଭଲ ପାଣି ଟୋପାଏ ପାଉନାହାନ୍ତି। ହଜାର ହଜାର କୋଟି ଟଙ୍କା ଡିଏମ୍‌ଏଫ୍‌ରୁ କେଉଁଠି ଖର୍ଚ୍ଚ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଥିଲେ ଯେ ଗତ ସପ୍ତାହରେ ଏହି ଗ୍ରାମର ସମ୍ବାରୀ ଜୁଆଙ୍ଗ (୬୦) ଅସୁସ୍ଥ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତା‌ଙ୍କର କିଡ୍‌ନି ସମସ୍ୟା ଥିବା ଡାକ୍ତର କହି‌ଥିଲେ। ପୁଅ ବିଜୁ ତାଙ୍କୁ ନେଇ ଘରକୁ ଚାଲିଆସିଲେ। ସମ୍ବାରୀ ବର୍ତ୍ତମାନ ଘର ବାରଣ୍ଡାରେ ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଉ ନାହିଁ। ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟକାର୍ଡ ଥି‌ଲେ ବି ତାହା କାମରେ ଆସୁନି। କଂଗ୍ରେସ ସରକାର ସମୟରେ ଚାଷୀଙ୍କ ଉନ୍ନତି ପାଇଁ ଏଠାରେ ଏକ ଡ୍ୟାମ୍‌ ନିର୍ମାଣ ହୋଇଥିଲା। ତାହା ବର୍ତ୍ତମାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷ ପାଇଁ ପାଣି ମିଳୁନି। ଲୋକେ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗ୍ରାମର ସୀତା ଜୁଆଙ୍ଗ, କୁଶଲ ଜୁଆଙ୍ଗ, ମଞ୍ଜୁ ଜୁଆଙ୍ଗ, ବୁଧୁଲି ଜୁଆଙ୍ଗ, ରମଣି ଜୁଆଙ୍ଗ, ରାଧି ଜୁଆଙ୍ଗ, କମଳା ନାଏକ, ନାଣ୍ଡି ମୁଣ୍ଡାଙ୍କ ପରି ଅନେକ ବିଧବା ଭତ୍ତା ପାଉନାହାନ୍ତି। ଗୋଟିଏ ମାସରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲେ ବି ସେମାନଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ସହାୟତା ଦିଆଯାଇନି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ମୃତକଙ୍କ ପରିବାରକୁ ଭେଟିଥିଲେ। ସମସ୍ତ ମୃତକଙ୍କ ପରିବାରକୁ ପୂର୍ବତନ ପିସିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଥଇଲେ। ସେଠାରୁ ଫେରିବା ପରେ ଅପରାହ୍‌ଣରେ ଏହି ଟିମ୍‌ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ସମ୍ପାଦକ ସଂଗ୍ରାମ ଦାସ, ସମ୍ପାଦକ ଅଜିତ କୁମାର ଜେନା, ସଭ୍ୟ ଭୁବନ ବିହାରୀ ସାହୁ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଉପସଭାପତି ବିନୋଦ ବିହାରୀ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରବୀଣା ଦଣ୍ଡପାଟ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ତେଲକୋଇ ବିଧାନସଭା କ୍ଷେତ୍ର ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, କଂଗ୍ରେସ ନେତା ଦିଲୀପ ସାହୁ, ଗୌରହରି ନାୟକ, ସୁଢ଼ଳ କୁମାର ସେଠୀ, ରତ୍ନାକର ଜେନା, ଦେବେନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଥିଲେ।