ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୧ ମୃତ

କଳିଙ୍ଗା ଘାଟି‌ର କାଳରାତ୍ରି, ବସ୍ ଓଲଟି ୬ ବଙ୍ଗୀୟ ପର୍ଯ୍ୟଟକ ମୃତ; ପ୍ରଧାନମନ୍ତ୍ରୀ, ନବୀନ, ମମତାଙ୍କ ‌ଶୋକ

ଭଞ୍ଜନଗର : ଡେଥ୍ ଜୋନ୍ ରୂପେ କୁଖ୍ୟାତି ଅର୍ଜନ କରିଥିବା କଳିଙ୍ଗା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଛାତିଥରା ବସ୍ ଦୁର୍ଘଟଣା ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର-କନ୍ଧମାଳ ସୀମାନ୍ତ ତଥା ଭଞ୍ଜନଗର ଥାନା ଅଧୀନ ଦୁର୍ଗାପ୍ରସାଦ ନିକଟ ଘାଟିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ୍ ବସ୍ (ଡବ୍ଲୁବି-୧୯ଜି-୦୯୮୯) ଓଲଟି ପଡ଼ିବାରୁ ୬ ଜଣ ବଙ୍ଗୀୟ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେହିପରି ଶିଶୁଙ୍କ ସମେତ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ୧୪ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତକ ମାନେ ହେଲେ- ଟୁରିଷ୍ଟ ବସ୍‌ରେ ଥିବା ରୋଷେୟା ତଥା ପଶ୍ଚିମବଙ୍ଗ ରାଜ୍ୟ ହୁଗୁଳି ଗ୍ରାମର ସ୍ବପନ ଗୁଚ୍ଛାଏତ୍ (୪୪), ସୁଲତାନପୁର ଗ୍ରାମର ବର୍ଣ୍ଣାଳି ମାନ୍ନା (୩୪), ସୁପ୍ରିୟା ଦେନ୍ର‌େ (୩୩), ସଞ୍ଜିତ୍ ପାତ୍ର(୩୪), ରିମା ଦେନ୍ରେ (୨୨) ଏବଂ ତାଙ୍କ ମାଆ ମୌସୁମୀ ଦେନ୍ରେ (୪୦)।

ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ଉଦୟନାରାୟଣପୁର ଥାନା ଅଧୀନ ସୁଲତାନପୁର ଗ୍ରାମରୁ ଏହି ବସ୍‌ଟି ସୋମବାର ଦିନ ୭୫ ଜଣ ପର୍ଯ୍ୟଟକଙ୍କୁ ନେଇ ଓଡ଼ିଶା ବାହାରିଥିଲା। ଗତକାଲି ସେମାନେ ଦିନବେଳା କନ୍ଧମାଳର ଦାରିଙ୍ଗବାଡ଼ି ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଥିଲେ। ଦାରିଙ୍ଗବାଡ଼ିରେ ରୋଷେଇ କରିବା ପରେ ସମସ୍ତ ରନ୍ଧାଖାଦ୍ୟ ବସ୍‌ରେ ଲୋଡ଼୍ କରି ଅପରାହ୍‌ଣରେ ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। କଳିଙ୍ଗା ଘାଟି ପୂର୍ବରୁ ରାତି ୧୧ଟାରେ ସମସ୍ତେ ଗୋଟିଏ ଜାଗାରେ ଅଟକି ଖାଇସାରିବା ପରେ ବସ୍‌ ଭିତରେ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୨ଟା ବେଳେ ବସ୍‌ଟି ଘାଟି ଓହ୍ଲାଇବା ପରେ ଶେଷ ବୁଲାଣି ନିକଟରେ ବ୍ରେକ୍ ଫେଲ୍ ହେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଡାହାଣ ପଟେ ଥିବା ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ସମସ୍ତେ ଶୋଇଥିବାରୁ ହଠାତ୍‌ ଦୁର୍ଘଟଣାରୁ ବର୍ତ୍ତି ପାରିନଥିଲେ। ଅନେକ ଯାତ୍ରୀ ବସ୍‌ ତଳେ ଚାପି ହୋଇ ରହିଯାଇଥିବା କିଛି ଛିଟିକି ପଡ଼ିଥିଲେ। ଆହତଙ୍କ ଚିତ୍କାରରେ ଅଞ୍ଚଳ ଫାଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ବିଦ୍ୟୁତ୍ ତାର ପଡ଼ିଯାଇଥିବାରୁ ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରିବାକୁ ଭୟ କରିଥିଲେ। କିନ୍ତୁ ବିଦ୍ୟୁତ୍ ସଂଯୋଗ କଟିଯାଇଥିବା ଜାଣିବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଏହାପରେ ଭଞ୍ଜନଗର ଓ ଘୁ.ଉଦୟଗିରି ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏସି କୋଚ୍ ହୋଇଥିବାରୁ ଫସି ରହିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଘଟଣାସ୍ଥଳରୁ ହିଁ ୫ ଜଣଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହୋଇଥିଲା। ଭଞ୍ଜନଗର ଡାକ୍ତରଖାନାରେ ସମସ୍ତ ଶବ ବ୍ୟବଚ୍ଛେଦ ପରେ ଦୁଇଟି ସ୍ବତନ୍ତ୍ର ଆମ୍ବୁଲାନ୍ସ୍‌ରେ ସୁଲତାନପୁର ପଠାଯାଇଛି। ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଥିବାରୁ ମୁଁ ବେଶ୍ ଦୁଃଖିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ଦୁର୍ଘଟଣାରେ ପର୍ଯ୍ୟଟକଙ୍କ ପ୍ରାଣହାନି ଖବର ବିଷୟରେ ଜାଣି ଦୁଃଖିତ ବୋଲି ଦର୍ଶାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍ କରି ଶୋକ ପ୍ରକଟ କରିଥିବା ସହ ଆତହଙ୍କ ଚିକିତ୍ସା ପାଇଁ ପଶ୍ଚିମବଙ୍ଗ ସରକାର ତୁରନ୍ତ ଗଞ୍ଜାମ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଦର୍ଶାଇଛନ୍ତି।

ଟ୍ରକ୍ ଧକ୍କା, ୨ ବାଇକ ଆରୋହୀ ମୃତ

ଇବ୍‌ଥର୍ମାଲ : ଝାରସଗୁଡ଼ା ଜିଲ୍ଲା ବନ୍ଧବାହାଲ-ବେଲପାହାଡ଼ ରାସ୍ତା ଶୁକ ପଟ୍ଟନାୟକ ଛକ ନିକଟ ଲେବଲକ୍ରସିଂ ପାଖରେ ଏକ ଟ୍ରକ୍ ବାଇକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦିନ ୪ଟା ବେଳେ ରାମପୁର ପତ୍ରାପାଲିରୁ ଶ୍ରୀକାନ୍ତ ଲୁହାର (୪୫) ତାଙ୍କ ଝିଆରୀ ପଦ୍ମତୋଳା ନାଗ(୨୪)ଙ୍କୁ ନେଇ ଟିଆର୍‌ଏଲ୍ ଡାକ୍ତରଖାନା ଯାଉଥିଲେ। ଝିଆରୀ ବଞ୍ଜାରୀ ପଞ୍ଚାୟତ ଜୟବୁଡ଼ିଆ ଗ୍ରାମରେ ବିବାହ କରିଛନ୍ତି। ସେ ତାଙ୍କ ମଉସା ଶ୍ରୀକାନ୍ତଙ୍କ ଘରକୁ ଆସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ବାଇକ ଚାଳକ ପ୍ରେମସାଗର ସାଙ୍କ ବାଇକ୍‌ରେ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍ ପାର୍କିଂ ପଟେ ଦ୍ରୁତବେଗରେ ଯାଉଥିବା ଅବସ୍ଥାରେ ବାଇକୁ ଧକ୍କା ଦେଇଥିଲା। ପଦ୍ମତୋଳା ଓ ଶ୍ରୀକାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପ୍ରେମସାଗରଙ୍କୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଇକ୍‌ ଉପରେ ଚଢ଼ିଗଲା ହାଇଵା, ୩ ମୃତ

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ପ୍ରାୟ ୩ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଲେ ସମ୍ବଲପୁର ଜିଲ୍ଲା ଧମାର ସତ୍ୟ ସାହୁ, ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳରେ ରହୁଥିବା ଦଲଜିତ ସିଂହ (ଲାଡି) ଓ ଖଇରମାଳର ଗୌତମ ସାହୁ (୩୮)।

ଯୁଯୁମୁରା ଥାନା ନୂଆବରଙ୍ଗାମାଳ ପଞ୍ଚାୟତ ଖଇରମାଳ ଗ୍ରାମର ଗୌତମ ସାହୁ ଓ ଅନ୍ୟ ୨ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ଏକ କ୍ରସରରେ କାମ କରନ୍ତି। ବୁଧବାର ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ବାଇକ୍‌ରେ ସମ୍ବଲପୁର ପାର୍ଶ୍ୱରୁ ଯୁଯୁମୁରା ଯାଉଥିଲେ। ଭବାନୀପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ହାଇଵା ସେମାନଙ୍କୁ ପଛପଟରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଧକ୍କା ଦେବା ପରେ ହାଇୱାଟି ରାସ୍ତା ତଳକୁ ଖସି ଯାଇଥିଲା। ଦୁର୍ଘଟଣାରେ ହାଇଵା ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯୁଯୁମୁରା ଥାନା ଆଇଆଇସି ରାଜକୁମାର ବିଶ୍ବାଳ ପୁଲିସ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ମୃତହେଦଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେହିପରି ଗୁରୁତର ହାଇୱା ଚାଳକଙ୍କୁ ଆମ୍ବୁଲାନ୍‌ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।

ତେବେ ଅପରାହ୍‌ଣ ୫ଟାରୁ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ସମ୍ବଲପୁର ଓ କଟକ ପାର୍ଶ୍ବରୁ ଯାତାୟାତ ଠପ୍‌ ରହିଥିଲା। ପରିବାର ଲୋକଙ୍କର କହିବା ଅନୁଯାୟୀ ହାଇୱାର ମାଲିକଙ୍କୁ ଘଟଣାସ୍ଥଳକୁ ଡାକିବା ଏବଂ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୫୦ ମିନିଟ୍‌ ଧରି ଯାତାୟାତ ଠଫ୍‌ ହୋଇଯାଇଥିଲା। ଥାନା ଅଧିକାରୀ ଶ୍ରୀ ବିଶ୍ବାଳ, ସ୍ଥାନୀୟ ସରପଞ୍ଚ ନିରଂଜନ ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ନାୟକ ପ୍ରମୁଖ ପହଞ୍ଚି ରାସ୍ତାରୋକ କରିଥିବା ମୃତକଙ୍କ ସଂପର୍କୀୟଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ୫ଟା ୫୦ରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର