ଧରାକୋଟ: ‘ବାଂଲାଦେଶରେ ହିନ୍ଦୁମାନେ ସଂପୂର୍ଣ୍ଣ ଅସୁରକ୍ଷିତ। ବିଦ୍ରୋହୀଙ୍କ ହିଂସାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ଘରଦ୍ବାର ଖାଲି କରି ଚାଲିଯିବାକୁ ଧମକ ଦିଆଯାଉଛି। କେତେବେଳେ ମନ୍ଦିର ଭଙ୍ଗାଯାଉଛି ତ ଆଉ ‌କେତେଳେ ହିନ୍ଦୁ ରହୁଥିବା ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରାଯାଉଛି। ଫଳରେ ପ୍ରତିଟି ହିନ୍ଦୁ ସେଠାରେ ଏବେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି।’ ବାଂଲାଦେଶରୁ ଫେରିବା ପରେ ଗଞ୍ଜାମ ଜିଲ୍ଲା ଧରା‌କୋଟ ବଡ଼ଦାଣ୍ଡ ସାହିର ବାସିନ୍ଦା ସାଇଦୁର୍ଲଭ ମିଶ୍ର (୩୩) ଏହି ଛାତିଥରା ଅନୁଭୂତି ବଖାଣିଛନ୍ତି। ଦେବରାଜ ମିଶ୍ର ଓ ପ୍ରଭାସି ମିଶ୍ରଙ୍କ ପୁଅ ଦୁର୍ଲଭ ଗତ ମେ’ରେ ବାଂଲାଦେଶର ପାୱାର୍ ଟ୍ରାନ୍ସମିସନ୍ ଲାଇନ୍ କମ୍ପାନିରେ ଷ୍ଟୋର୍ କିପର୍ ଭାବେ ଯୋଗ ଦେଇଥିଲେ। ବାଂଲାଦେଶରୁ ଫେରିବା ପରେ ଦୁର୍ଲଭ କହିଛନ୍ତି, ରାଜଧାନୀ ଢାକାଠୁ ୧୨୭ କିଲୋମିଟର ଦୂର ସିରାଜଗଞ୍ଜରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ କମ୍ପାନିର ଅନ୍ୟ କର୍ମଚାରୀମାନଙ୍କ ସହ ସେ ରହୁଥିଲେ। ଉକ୍ତ ଆପାର୍ଟମେଣ୍ଟ୍‌ରେ କେବଳ ଭାରତୀୟ ହିନ୍ଦୁ ରହୁଥିଲେ। ଗତ ୪ ତାରିଖରେ ଘରର ମାଲିକ ହିଂସା ବିଷୟରେ ଖବର ଦେଇଥିଲେ। ବିରୋଧୀମାନେ ହିନ୍ଦୁଙ୍କୁ ଏଠାରୁ ତୁରନ୍ତ ପଳାଇବାକୁ କହିଛନ୍ତି। ନଚେତ୍ ବୋମାମାଡ଼ କରି ଘରକୁ ଉଡ଼ାଇଦିଆଯିବ ବୋଲି ଚେତାବନୀ ଦେଇଥିବା ମାଲିକଜଣକ କହିବା ସହ ସମସ୍ତଙ୍କୁ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବାକୁ କହିଥିଲେ।

Advertisment

କମ୍ପାନି ଓ ଭାରତୀୟ ଦୂତାବାସ ପକ୍ଷରୁ କେହି ମଧ୍ୟ ପଦାକୁ ନବାହାରିବାକୁ ବାର୍ତ୍ତା ପହଞ୍ଚିଥିଲା। ଏହାପରେ ସମସ୍ତେ ଭୟଭୀତ ହୋଇ ଝରକା ଓ କବାଟ ବନ୍ଦ କରି ରହିଥିଲେ। ୫ ତାରିଖରେ ସିରାଜଗଞ୍ଜ ଥାନାରେ କାର୍ଯ୍ୟରତ ୨୨ ଜଣ କର୍ମଚାରୀଙ୍କୁ ବିଦ୍ରୋହୀମାନେ ଜିଅନ୍ତା ଜାଳି ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୧ ଜଣ ହିନ୍ଦୁ କର୍ମଚାରୀ ଥିଲେ। ଏହି ଘଟଣା ମନରେ ଆହୁରି ଭୟ ସଞ୍ଚାର କରିଥିଲା। ଏପରିକି ଇସ୍କନ୍ ମନ୍ଦିର ଭଙ୍ଗାରୁଜା ସହ କାଳୀମନ୍ଦିର ପୂଜାରୀଙ୍କୁ ହତ୍ୟା କରାଯାଇଥିଲା।

ଫଳରେ ନିଜ ସୁରକ୍ଷା ପାଇଁ ସମସ୍ତ କର୍ମଚାରୀ କମ୍ପାନି ସହ ଯୋଗାଯୋଗ କରିଥିଲେ। ୮ ତାରିଖ ବିଳମ୍ବିତ ରାତି ୨ଟାରେ ୨୬ ଜଣ କର୍ମଚାରୀ କମ୍ପାନିର ଗାଡ଼ିରେ ସିରାଜଗଞ୍ଜ ଇଲାକା ଛାଡ଼ି ଦର୍ଶନା ସୀମାନ୍ତରେ ପହଞ୍ଚିଥିଲେ। ସେଠାରେ ବାଂଲାଦେଶ ସେନା ସିପାହୀମାନେ ତିନି ଘଣ୍ଟା ଛିଡ଼ା କରି ନିର୍ଯାତନା ଦେଇଥିଲେ। ଏହାପରେ କମାଣ୍ଡାଣ୍ଟ୍ ଆସି ପାସପୋର୍ଟ ଯାଞ୍ଚ କରିବା ପରେ ସମସ୍ତେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ସେଠାରେ ଭାରତୀୟ ସେନା କମାଣ୍ଡର୍‌ ସମସ୍ତଙ୍କ ସହ ଆଲୋଚନା କରିଥିଲେ। ଦର୍ଶନା ନିକଟ ରେଳଷ୍ଟେସନ୍‌ରୁ ଟ୍ରେନ୍ ‌ଯୋଗେ ସମସ୍ତେ ୯ ତାରିଖରେ କୋଲକାତାରେ ପହଞ୍ଚିଥିଲେ। ୧୦ ତାରିଖ ସକାଳେ ଦୁର୍ଲଭ ବ୍ରହ୍ମପୁର ଆସି ସେଠାରୁ ଧରାକୋଟରେ ନିଜ ଘରେ ସୁରକ୍ଷିତ ଭାବେ ପହଞ୍ଚିବା ପରେ ପରିବାରବର୍ଗ ଆଶ୍ବସ୍ତ ‌ହୋଇଛନ୍ତି। ଏଥିପାଇଁ ମୁଁ ଭଗବାନଙ୍କ ପାଖରେ କୃତଜ୍ଞ ବୋଲି ଦୁର୍ଲଭ କହିଛନ୍ତି।