୧୧ଟି ସହରାରାଞ୍ଚଳରେ ପ୍ରତିଷ୍ଠା ହେବ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌, ଖର୍ଚ୍ଚ ହେବ ୬୪୦.୬୫ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଂଚଳରେ ଗୃହଭିତର (ଇନ୍‌ଡୋର୍‌) ଷ୍ଟାଡିୟମ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମର ନିର୍ଦ୍ଦେଶକ ପରିଷଦ ବୈଠକରେ ଏହି ମଂଜୁରି ଦିଆଯାଇଛି।

ସୂଚନାଯୋଗ୍ୟ, ଖଣିଜ ଅଂଚଳ ଅନ୍ତର୍ଗତ ୧୧ଟି ସହରାଂଚଳରେ ବହୁମୁଖୀ-ଗୃହଭିତର ଷ୍ଟାଡିୟମ୍‌ ନିର୍ମାଣ ନିମନ୍ତେ ୯ଟି ପୌର ନିଗମ ଓ ୨ଟି ବିଜ୍ଞାପିତ ଅଂଚଳ ପରିଷଦ ରହିଛି। ପୌର ନିଗମ ଗୁଡ଼ିକ ହେଲା ବେଲ୍‌ପାହାଡ଼, ବ୍ରଜରାଜନଗର, ଆନନ୍ଦପୁର, ବଡ଼ବିଲ, ଯୋଡ଼ା, ବିରମିତ୍ରପୁର, ରାଜଗାଙ୍ଗପୁର, ରାଉରକେଲା ଏବଂ ବ୍ୟାସନଗର। ସେହିପରି ଉଦଳା ଓ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦକୁ ମଧ୍ୟ ଉକ୍ତ ପ୍ରକଳ୍ପରେ ସାମିଲ କରାଯାଇଛି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ନିଜମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକର ଆବଶ୍ୟକତା, ଆବଶ୍ୟକୀୟ ପାଣ୍ଠି ଏବଂ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ ପାଇଁ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଶିଡ଼ାନୁଭୂତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ, ଯେହେତୁ ନୂଆ ପ୍ରକଳ୍ପରେ ସ୍ମାର୍ଟ-ଶ୍ରେଣୀ ଗୃହ, ଇ-ପାଠାଗାର, ଆଇସିଟି ପରୀକ୍ଷାଗାର ଆଦି ବ୍ୟବସ୍ଥା କରାଯିବ, ତେଣୁ ଶିକ୍ଷକମାନେ ଆମର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଯତ୍ନବାନ ହେବା ଦରକାର। ଏହା ହେଲେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଯୋଗିତା କରିପାରିବେ। ଏହି ପ୍ରକଳ୍ପ ମାଧ୍ୟମରେ ଭଲ ଖେଳ ପଡ଼ିଆ, ବିଦ୍ୟାଳୟରେ ଏକ ଆନନ୍ଦମୟ ପରିପାର୍ଶ୍ୱ, ଶୈକ୍ଷିକ ପରିବେଶ ଆଦି ବିକଶିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ ଜଣାଇଥିଲେ ଯେ, ଏହି ପ୍ରକଳ୍ପରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଂଜ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ୮୮୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ। ଏଥି ପାଇଁ ସମୁଦାୟ ୫୩୩.୪୦ କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳକୁ ମଂଜୁରି କରାଯାଇଥିଲା।

ସମ୍ବନ୍ଧିତ ଖବର