ବାମରା: ସୀମାବର୍ତ୍ତି ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ ସଲଙ୍ଗାବୁଡ଼ ଗ୍ରାମରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବିଲୁଆ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୧୧ ଗ୍ରାମବାସୀ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗତକାଲି ରାତି ପ୍ରାୟ ୯ଟା ବେଳେ ସଲଙ୍ଗାବୁଡ଼ ଗାଁକୁ ଏକ ବିଲୁଆ ପଶି ଆସିଥିଲା।

Advertisment

ବିଲୁଆଟି ଶୋଇଥିବା ଓ ବସିଥିବା ଗ୍ରାମବାସୀଙ୍କୁ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଥିଲା। ଗ୍ରାମର ଗୁରୁବାରୀ ପୃଷେଠ (୬୫)ଙ୍କ ଆଖି, ନାକ ଓ ମୁହଁକୁ କାମୁଡ଼ି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସେହିପରି ଅନ୍ୟ ୩ ଜଣଙ୍କୁ ମଧ୍ୟ ରାତିରେ ଆକ୍ରମଣ କରି ଅହତ କରିଥିଲା। ଖବର ପାଇ ସୁନ୍ଦରଗଡ଼ ଏସିଏଫ୍‌ ମୋହନ ହେମ୍ରମ, ରେଞ୍ଜର ଅରୁଣ ବେହେରା, ସାଲେପାଲି ଫରେଷ୍ଟର ସୁବାସିନୀ ତନ୍ତି, ବାରଗାଡ଼ ଫରେଷ୍ଟର ଏସ୍. ବୁଡ଼ା, ଫରେଷ୍ଟ ଗାର୍ଡ ଜୁଲି ପଟେଲ ଓ କର୍ମଚାରୀମାନେ ଗାଁ’ରେ ପହଞ୍ଚି ରାତି ତମାମ ଖୋଜାଖୋଜି କରିଥିଲେ ହେଁ ବିଲଆର ସନ୍ଧାନ ପାଇ ନଥିଲେ। ମାତ୍ର ବିଲୁଆଟି ପୁନର୍ବାର ଭୋର୍‌ ପ୍ରାୟ ୩ଟାରୁ ୫ଟା ମଧ୍ୟରେ ଆଉ ୭/୮ ଜଣଙ୍କୁ ଆକ୍ରମଣ କରି ଆହତ କରିଥିଲା। ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ସକାଳ ସାଢ଼େ ୯ଟା ବେଳେ ବନ ବିଭାଗ ନିକଟସ୍ଥ ମାନମୁଣ୍ଡା ପତରା ଜଙ୍ଗଲରୁ ବିଲୁଆର ମୃତ ଦେହ ଉଦ୍ଧାର କରିଥିଲା। ସୁନ୍ଦରଗଡ଼ରେ ତା’ର ବ୍ୟବଚ୍ଛେଦ କରାଯାଇ ଶବ ପୋତି ଦିଆଯାଇଥିବା ଜଣାପଡ଼ିଛି।