ଟ୍ରକ୍‌- ବଲେରୋ ମୁହାଁମୁହିଁ ଧକ୍କା, ୧୧ ଆହତ, ୪ ଗୁରୁତର ବୁର୍ଲା ସ୍ଥାନାନ୍ତର

ସୋନପୁର : ଶୁକ୍ରବାର ଭୋର ୫ଟା ସମୟରେ ସୋନପୁର ବଲାଙ୍ଗୀର ଜାତୀୟ ରାଜପଥ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ୍‌ ଏବଂ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବଲେରୋରେ ଥିବା ୧୧ ଜଣ ଯାତ୍ରୀ ଆହତ ହୋଇଥିଲେ। ତନ୍ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଏକ ବଲେରୋ (ଓଡି-୦୫-ଏଇ-୯୦୯୯) ପାଟଣାଗଡ଼ରୁ ବରାଯାତ୍ରୀ ଯାଇ ଉଲୁଣ୍ଡା ଥାନା ହରିଣାପାଲି ଗ୍ରାମକୁ ଫେରୁଥିଲା। ସୋନପୁର ବଲାଙ୍ଗୀର ଜାତୀୟ ରାଜପଥ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ (ଓଆର- ୧୭-ଡି-୩୮୩୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବଲେରୋରେ ଥିବା ୧୧ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତମାନେ ହେଲେ ହରିଣାପାଲିର ପ୍ରାଣବନ୍ଧୁ ଅମାତ(୨୨), ରୋନକ ଭୋଇ(୧୩), ଟୁକୁନୁ ପାତ୍ର(୨୦), ରଞ୍ଜନ ଘିବଲା୨୪), କୁନୁ ଜଗତ(୧୮), ଦଶରଥ କଅଁର(୨୦), ଅମିତ କର୍ଣ୍ଣ(୨୬), ସୁନିଲ ପରୁଆ(୩୨), ସାନଅଙ୍କରିଆ ଗ୍ରାମର ବେଣୁଧର ବଢେଇ(୧୮), ଦେବାନନ୍ଦ କଅଁର(୨୨) ଏବଂ ମରିଚପୁର ଗ୍ରାମର ମାନଭଞ୍ଜନ ମହାକୁଡ଼। ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଥିବା ପ୍ରାଣବନ୍ଧୁ, ରୋନକ, ଟୁକୁନୁ ଓ ରଞ୍ଜନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସୋନପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର