ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତରେ ନେଟୱାର୍କ ସୁବିଧା ନାହିଁ। ଏହି ପଞ୍ଚାୟତ ଓ ଆଖପାଖରେ ୩ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ନେଟୱାର୍କ ସୁବିଧା ନଥିବାରୁ ମୋବାଇଲ ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଫୋନ କରିବାକୁ ହେଲେ ୧୧ କିଲୋମିଟର ଦୂର ପଡ଼ୋଶୀ ପଞ୍ଚାୟତ ଗୋଦାପୁର ଯିବାକୁ ପଡୁଛି। ହଠାତ୍ କାହାରି ସ୍ୱାସ୍ଥ୍ୟବସ୍ଥା ଖରାପ ହେଉ ଅବା ଜରୁରୀ କାମ କିମ୍ବା ଗାଁରେ କିଛି ଅଘଟଣ ହେଲେ ୧୧ କିଲୋମିଟର ଯାଇ ଫୋନ କରିବାକୁ ପଡୁଛି। ନେଟ୍ୱର୍କ ନଥିବା ଯୋଗୁଁ ପିଲା ଅନ୍ଲାଇନ କ୍ଲାସ ସହ ବିଭିନ୍ନ ଆବଶ୍ୟକ ଅନ୍ଲାଇନ କାର୍ଯ୍ୟ କରିପାରୁ ନାହାନ୍ତି।
ଅନ୍ଲାଇନ ଯୋଗେ କାମ କରିବାକୁ ହେଲେ ଗୋଦାପୁର କିମ୍ବା ବ୍ରାହ୍ମଣୀଗାଁ ଯିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଗାଁରେ ନେଟୱାର୍କ ସେବା ନିମନ୍ତେ ବର୍ଷେ ହେଲା ଏକ ବଡ଼ ଗାତ ଖୋଳା ଯାଇଥିବା ବେଳେ ଉକ୍ତ ଗାତରେ ଛେଳି, ଗାଈ, କୁକୁର ଓ ଘୁଷୁରି ପଡ଼ି ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ନେଟ୍ୱର୍କ ସେବା ପାଇଁ ବହୁତ ଥର ଆନ୍ଦୋଳନ କରିବା ସହ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ୍। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗାଁରେ ଯଥାଶୀଘ୍ର ନେଟ୍ୱର୍କ ସ୍ଥାପନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।