ସ‌ାରା ରାଜ୍ୟରେ ନିଅଣ୍ଟିଆ ବର୍ଷା: ୧୧ ଲକ୍ଷ ୧୯ ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ଧାନ ସହିତ ତୈଳବୀଜ, ଡାଲିଜାତୀୟ ଫସଲ ବି କ୍ଷତିଗ୍ରସ୍ତ, ପ୍ରାକ୍‌ ରବି ଯୋଜନାରେ ରିହାତିରେ ମିଳିବ ବିହନ

ଭୁବନେଶ୍ବର: ଖରିଫ ଋତୁରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କମ୍‌ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ ୧୧ ଲକ୍ଷ ୧୯ ହଜାର ୮୨୨ ହେକ୍ଟର ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। କେବଳ ଧାନ ନୁହେଁ; ଡାଲିଜାତୀୟ, ତୈଳବୀଜ ଓ ମସଲା ଆଦି ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ବର୍ଷା ହେଲେ ବି ଏହି କ୍ଷତି ଭରଣା ହେବା ସମ୍ଭାବନା କମ୍ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚଳିତ ବର୍ଷ ସମୁଦାୟ ୬୧ ଲକ୍ଷ ୯୬ ହଜାର ୨୨୦ ହେକ୍ଟର ଚାଷଜମିରେ ବିଭିନ୍ନ ଚାଷ ପାଇଁ ଯୋଜନା କରାଯାଇଥିଲା। ମାତ୍ର ଜୁଲାଇରେ ୨୮.୮ ପ୍ରତିଶତ ଏବଂ ଅଗଷ୍ଟ‌ରେ ୫୦.୨ ପ୍ରତିଶତ କମ୍‌ ବୃଷ୍ଟିପାତ ଯୋଗୁଁ କେବଳ ୫୦ ଲକ୍ଷ ୭୬ ହଜାର ହେକ୍ଟରରେ ଚାଷ ସମ୍ଭବ ହୋଇଛି। ଏହି ଅବଧି ମଧ୍ୟରେ ଗତବର୍ଷ ୫୫ ଲକ୍ଷ ୫୧ ହଜାର ୮୦୫ ହେକ୍ଟର ଜମିରେ ଚାଷ ହୋଇଥିବାବେଳେ ୨୦୧୯ ମସିହାରେ ୪୬ ଲକ୍ଷ ୯୮ ହଜାର ହେକ୍ଟରରେ, ୨୦୧୮ ମସିହାରେ ୫୦ ଲକ୍ଷ ୧୧ ହଜାର ହେକ୍ଟରରେ, ୨୦୧୭ ମସିହାରେ ୫୧ ଲକ୍ଷ ୯୭ ହଜାର ହେକ୍ଟରରେ ଚାଷ ହୋଇଥିଲା।

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ ଧାନଚାଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏ ବର୍ଷ ୩୫ ଲକ୍ଷ ହେକ୍ଟର ଚାଷ ଜମିରେ ଧାନଚାଷ କରାଯିବାର ଯୋଜନା ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ୩୧ ଲକ୍ଷ ୨୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇ ପାରିଛି। ସେଥିରୁ ୧୪ଟି ଜିଲ୍ଲାର ୩୦ ବ୍ଲକ୍‌ର ସ୍ଥିତି ଏଭଳି ଯେ ୧ ଲକ୍ଷ ହେକ୍ଟର ଚାଷଜମି ପଡ଼ିଆ ପଡ଼ିଛି। ଧାନକୁ ଛାଡ଼ିଦେଲେ ରାଜ୍ୟରେ ଅନ୍ୟ ଫସଲର ଅବସ୍ଥା ମଧ୍ୟ ଠିକ୍‌ ନାହିଁ। ୮ ଲକ୍ଷ ୩୫ ହଜାର ହେକ୍ଟରରେ ହେବାକୁ ଥିବା ଅନ୍ୟ ଫସଲ ମଧ୍ୟରୁ ୩ ଲକ୍ଷ ୭୬ ହଜାର ହେକ୍ଟରରେ ଡାଲି ଜାତୀୟ, ୨ ଲକ୍ଷ ୩୮ ହଜାର ହେକ୍ଟରରେ ତୈଳବୀଜ, ୧ ଲକ୍ଷ ୧୦ ହଜାର ହେକ୍ଟରରେ ମସଲା, ୧ ଲକ୍ଷ ହେକ୍ଟରରେ ଅନ୍ୟାନ୍ୟ ଫସଲ ପ୍ରଭାବିତ ହୋଇଛି। ତେବେ କମ୍ ବୃଷ୍ଟିପାତ ପରିବା ଜାତୀୟ ଫସଲ ପାଇଁ ଲାଭଦାୟକ ଦେଇଛି। ୫ ଲକ୍ଷ ୮୭ ହଜାର ହେକ୍ଟର ଜମିରେ ପରିବା ଚାଷ ହେବାର ଯୋଜନା ଥିବାବେଳେ ଚଳିତ ବର୍ଷ ୬ ଲକ୍ଷ ୩୮ ହଜାର ଜମିରେ ପରିବା ଫଳିଛି।

ଅନ୍ୟପକ୍ଷରେ, ବିହନ ନିଗମ ପରିଚାଳନା ନିର୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି, ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାକ୍‌ ରବି ଫସଲ ପାଇଁ ଯୋଜନା କରାଯାଇଛି। ଏଥିରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ରାୟ ୧ ଲକ୍ଷ ଚାଷୀଙ୍କୁ ୧ ଲକ୍ଷ କ୍ବିଣ୍ଟାଲର ତୈଳବୀଜ ଏବଂ ଡାଲିଜାତୀୟ ବିହନ ରିହାତିରେ ଦିଆଯିବ। କେଉଁ ଜିଲ୍ଲାକୁ କେଉଁ ବିହନ ଆବଶ୍ୟକ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ ସବୁ ଜିଲ୍ଲାର କୃଷି ମୁଖ୍ୟ ଅଧିକାରୀଙ୍କୁ କୁହାଯାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ପରିବା ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏଥିରେ ମିଠା ମକା, କ୍ୟାପ୍‌ସିକମ, ଛତୁ ଆଦି ଚାଷ କରାଯାଇ ପାରିବ। ପ୍ରତିବର୍ଷ ରବି ଋତୁ‌ରେ ବିହନ ନିଗମ ପ୍ରାୟ ୫୦ରୁ ୭୦ କ୍ବିଣ୍ଟାଲ ବିହନ ଦେଇଥାଏ। ଚାଷୀମାନଙ୍କ ଅନୁସାରେ କେବଳ ରିହାତି ବିହନ ନୁହେଁ; ପ୍ରାକ୍‌ ରବିରେ ପାଣିର ଅଭାବ ନହେବା ପାଇଁ ପମ୍ପ୍‌ ସେଟ୍‌ ପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର