ସମ୍ବଲପୁର: ସମ୍ବଲପୁରରେ ପୁଣି ସକ୍ରିୟ ହେଲେଣି ଲୁଟେରା ଗ୍ୟାଙ୍ଗ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଗତକାଲି ଅଇଁଠାପାଲି ‌‌ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦିନ ଦ୍ବିପହରରେ ପୁଣି ସମ୍ବଲପୁର ସହରର ଅନ୍ୟତମ ବ୍ୟସ୍ତବହୁଳ ଅଂଚଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାରୁ ଜଣେ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେବା ଘଟଣାରେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ପ୍ରାପ୍ତ ସୂଚନାନୁସାରେ, ଧନୁପାଲି ଥାନା ମୋତିଝରଣର ମହମ୍ମଦ ଜିସାନ୍‌ଙ୍କର ଡିଏଚ୍‌ଏଚ୍‌ ସମ୍ମୁଖରେ ଏକ ‘ଏସି’ ମରାମତି ଦୋକାନ ରହିଛି। ମଙ୍ଗଳବାର ଦିନ ୧ଟା ସମୟରେ ସେ ଦୋକାନକୁ ବାଇକ୍‌ରେ ଆସିଥିଲେ। ଦୋକାନ ଆଗରେ ବାଇକ୍ ରଖି ସେ ଦୋକାନ ତାଲା ଖୋଲିବାକୁ ଯାଉଥିଲେ। ଠିକ୍ ଏତିକି ବେଳେ ତାଙ୍କ ବାଇକ୍‌ ଲେଦର୍‌ ଡିକିରେ ଏକ ବ୍ୟାଗ୍‌ରେ ଥିବା ଟଙ୍କାକୁ ୨ ଜଣ ଦୁର୍ବୃତ୍ତ ଲୁଟି ନେଇ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଜଣେ ଦୁର୍ବୃତ୍ତ ଗାଡ଼ି ଷ୍ଟାର୍ଟ କରି ରଖିଥିବା ବେଳେ ଅନ୍ୟ ଜଣକ ଆଖି ପିଛୁଳାକେ ଟଙ୍କା ଲୁଟି ନେଇଥିଲା। ଜିସାନ୍‌ ଏହା ଦେଖି ଚିତ୍କାର କରିଥିଲେ। ସେ ଲୁଟେରାମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ‌ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ କେତେକ ଯୁବକ ଜିସାନଙ୍କ ଚିତ୍କାର ଶୁଣି ଲୁଟେରାମାନଙ୍କୁ ଧରିବା ପାଇଁ ମୁଦିପଡ଼ା ପାଣି ଟାଙ୍କି ପର୍ଯ୍ୟନ୍ତ ଗୋଡ଼େଇ ଥିଲେ। ମାତ୍ର, ତୀବ୍ର ଗତିରେ  ଯାଉଥିବା ଳୁଟେରାମାନଙ୍କୁ ଧରିବାକୁ ବିଫଳ ‌ହୋଇଥିଲେ। ଜିସାନ୍‌ଙ୍କ କହିବା ଅନୁଯାୟୀ, ତାଙ୍କ ଡିକିରେ ୧୧ ଲକ୍ଷ ଟଙ୍କା ଥିଲା।

ସେ ମଙ୍ଗଳବାର ୨ଟି ବ୍ୟାଙ୍କରୁ ଟଙ୍କା ଉଠାଇଥିବା ବେଳେ ତାଙ୍କ ପାଖରେ କିଛି ଟଙ୍କା ପୂର୍ବରୁ ଥିଲା। ଏ ନେଇ ସେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସଦର ଏସ୍‌ଡିପିଓ ପ୍ରଦୀପ ସାହୁଙ୍କ ସମେତ ଟାଉନ୍‌ ଥାନାଧିକାରୀ ପ୍ରକାଶ କର୍ଣ୍ଣ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରି ଫୁଟେଜ୍‌ ଆଧାରରେ ଖୋଳତାଡ଼ ଜାରି ରହିଥିବା କହିଛନ୍ତି। ଲୁଟ୍‌ କରିଥିବା ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା ମଧ୍ୟ ଚାଲିଥିବା ଜଣାପଡ଼ିଛି। ତେବେ ଜିସାନ୍‌ ବ୍ୟାଙ୍କରୁ ଟଙ୍କା ଉଠାଇବା ପରଠୁ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରୁଥିବା ସେ ସନ୍ଦେହ କରୁଥିବା କହିଛନ୍ତି। ଯେଉଁ କାରଣରୁ ସୁଯୋଗ ପାଇ ଆଖି ପିଛୁଳାକେ ଟଙ୍କା ବ୍ୟାଗ୍‌ ଧରି ଦୁର୍ବୃତ୍ତମାନେ ଫେରାର୍‌ ହେବାରେ ସଫଳ ହୋଇଥିଲେ ବୋଲି ଚର୍ଚ୍ଚା ହେଉଛି। ଲୁଟ୍‌ କରି ଫେରାର ହେବାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜାନୁଆରି ମାସରେ ଗେଂଗୁଟିପାଲି ଶିବ ମନ୍ଦିରରୁ ନିକଟରୁ  ଜଣେ ଆଇନଜୀବୀଙ୍କଠାରୁ ସମାନ ଢଙ୍ଗରେ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ସେ ବ୍ୟାଙ୍କଠାରୁ ଟଙ୍କା ଉଠାଇ ଆସୁଥିବା ବେଳେ ତାଙ୍କୁ ପିଛା କରୁଥିବା ଅଭିଯୁକ୍ତମାନଙ୍କୁ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିଲେ। ଅବଶ୍ୟ ପୁଲିସ, ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କୁ ଧରିବାକୁ ସଫଳ ହୋଇଥିଲା। ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ଲୁଟେରାମାନେ ପୁଣି ସକ୍ରିୟ ହୋଇ ଉଠିଥିବା କଥା ଗତକାଲି ଅଇଁଠାପାଲି ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟ୍‌ ଏବଂ ଆଜି ଘଟଣାରୁ ସ୍ପଷ୍ଟ ହୋଇଛି। ଆଗରୁ ପୁଲିସ ବ୍ୟାଙ୍କ ପରିସରର ପୁଲିସ କର୍ମଚାରୀଙ୍କୁ ‌ନିୟୋଜିତ କରୁଥିଲା। ପୁଲିସ କର୍ମଚାରୀମାନେ ସନ୍ଦିଗ୍‌ଧ ବ୍ୟକ୍ତିଙ୍କ ଉପରେ ନଜର ରଖୁଥିଲେ। ଫଳରେ ସହରରେ ଏଭଳି ଟଙ୍କା ଲୁଟ୍‌ ଘଟଣା କମି ଯାଇଥିବା ବେଳେ ପୁଲିସର ନିଷ୍କ୍ରିୟତା‌ ଯୋଗୁ ଏବେ ପୁଣି ସେଭଳି ଘଟଣା ଆରମ୍ଭ ହୋଇଯାଇଛି।