ରାଉରକେଲା/କୋଇଡ଼ା/ଲହୁଣିପଡ଼ା/ରାଜାମୁଣ୍ଡା: ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା। ଘରେ ପହଞ୍ଚିବାକୁ ମାତ୍ର କେଇ ମିନିଟ୍ ବାକିଥିଲା। ହେଲେ ଘାଟି ଚଢ଼ିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। ପରିବାର ସହ ହସ୍ପିଟାଲରୁ ଚିକିତ୍ସିତ ହୋଇ ଓ ଅନ୍ୟ କାମ ସାରି ଘରେ ପହଞ୍ଚିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଲିଭିଯାଇଛି ୬ ଜଣଙ୍କର ଜୀବନଦୀପ। ଏଥିରେ ୧୭ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ବସ୍ କଣ୍ଡକ୍ଟର ଓ ୪ ମହିଳା ଯାତ୍ରୀ। ଘାଟିରୁ ଓହ୍ଲାଉଥିବା ଲୁହାପଥର ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଯାତ୍ରୀବାହୀ ବସ୍ ‘ଲିଙ୍ଗରାଜ୍’। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଦୁଇଟି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ଟ୍ରକ୍ ଭିତରେ ବସ୍ର ସମ୍ମୁଖ ଭାଗ ପଶି ଚେପା ହୋଇ ଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ କେ.ବଲାଙ୍ଗା ଥାନା ନିକଟ ଛକରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କିଏ ବାପା ଓ ମା’ଙ୍କୁ ହରାଇଛନ୍ତି ତ ଅନ୍ୟ କିଏ ଭଉଣୀ ଓ ଭାଇକୁ ହରାଇଛି।
ଭୁଲ ରାସ୍ତାରେ ଯିବା କାଳ ହେଲା
୧୭ ଗୁରୁତର ଆର୍ଜିଏଚ୍ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଘଟଣାସ୍ଥଳରେ ଚିତ୍ର ଏତେ ହୃଦୟ ବିଦାରକ ଥିଲା ଯେ କେହି ନିଜ ଆଖିରୁ ଲୁହ ସମ୍ଭାଳି ପାରିନଥିଲେ। କାନ୍ଦବୋବାଳିରେ ଫାଟିପଡ଼ିଥିଲା ଦୁର୍ଘଟଣାସ୍ଥଳ। ଏହି ଦୁଃଖଦ ଖବର ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ଘଟଣାସ୍ଥଳରେ ୫ ଜଣ ଏବଂ ଆର୍ଜିଏଚ୍ରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅଧିକାଂଶ ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ଝରକା କାଚ ଭାଙ୍ଗି ଏବଂ କଟର୍ ମେସିନ୍ରେ ବସ୍ର ଲୁହାବାଡ଼ କାଟି ଯାତ୍ରୀମାନଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ମୃତକମାନେ ହେଲେ ବସ୍ କଣ୍ଡକ୍ଟର ଲାଠିକଟାର ସବର ବଳ (୫୩), ସାନରକ୍ସିର ପୁଷ୍ପା ଗୋପ (୫୬), ରକ୍ସିର ମେରୀ ନାଗ (୫୦), ସତ୍ୟଭାମା ଠାକୁର (୫୫), ମନ୍ଚାବେଡ଼ାର କରମପାଲ ସିଂ (୪୫) ଓ କେ.ବଲାଙ୍ଗର ସୁରୁ ମୁଣ୍ଡା (୪୬)। ଗୁରୁତରମାନେ ହେଲେ ବସ୍ ଡ୍ରାଇଭର ରୋହିତରାମ ଚନ୍ଦ୍ରକାର (୫୪), କୁମାରୀ ଚମ୍ପାଇ (୩୮), ପ୍ରଫୁଲ୍ଲ ମୁଣ୍ଡା (୧୧), ପ୍ରଫୁଲ୍ଲଙ୍କ ମା’ ପାନି ମୁଣ୍ଡା (୪୦), ବାପା ନୁରା ମୁଣ୍ଡା (୪୫), ସାଜନ ଲାକ୍ରା (୧୯), ପାର୍ବତୀ ମୁଣ୍ଡା (୩୫), ଖରିଆବାହଲର ଜାନକୀ ମୁଣ୍ଡା, କାଲ୍ଟାର ସୋନୁ ମେହେର (୫୮) ଓ ରେଞ୍ଜଡ଼ା ଗ୍ରାମର ଡାକ୍ତର ଓରାମ (୧୭)। ଡ୍ରାଇଭରଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଆର୍ଜିଏଚ୍ର ବିଭିନ୍ନ ୱାର୍ଡରେ ଭର୍ତ୍ତି କରାଯାଇଛି। କାହା ମୁଣ୍ଡରେ ଗଭୀର ଆଘାତ ଲାଗିଛି ତ କାହାର ହାତ, ଗୋଡ଼, ଛାତି ଓ ମୁହଁରେ ଗୁରୁତର କ୍ଷତ ହୋଇଛି। ସାମାନ୍ୟ ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
କେ. ବଲାଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଚୂରମାର ହୋଇ ଯାଇଥିବା ବସ୍କୁ କ୍ରେନ୍ ଯୋଗେ ରାସ୍ତାରୁ ହଟାଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ଟାରେ ଘରୋଇ ଯାତ୍ରୀବାହୀ ବସ୍ ଲିଙ୍ଗରାଜ (ଓଡି୨୩ସି-୮୭୭୭) ଯାତ୍ରୀମାନଙ୍କୁ ନେଇ ରାଉରକେଲା ବସ୍ଷ୍ଟାଣ୍ଡରୁ ବାହାରିଥିଲା। ଦୁଇ ଘଣ୍ଟା ପରେ ଦିନ ପ୍ରାୟ ୧୧ରେ ୫୨୦ ନଂ ଜାତୀୟ ରାଜପଥରେ ବଡବିଲ୍ ଅଭିମୁଖେ ଯାଉଥିବାବେଳେ ବେ.ବଲାଙ୍ଗ ଥାନା ନିକଟରେ ରାସ୍ତା ଜାମ୍ ଥିଲା। ବସ୍ଟି ବିପରୀତ ରାସ୍ତାରେ ଯାଉଥିବାବେଳେ କେ. ବଲାଙ୍ଗ ଛକ ନିକଟରେ ଘାଟିରୁ ଓହ୍ଲାଉଥିବା ଲୁହାପଥର ବୋଝେଇ ଟ୍ରକ୍ (ସିଜି୨୨ଏଏଫ୍-୯୨୭୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍ଟି ବିପରୀତ ପାର୍ଶ୍ବରେ ଯାଉଥିବାରୁ ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କୋଇଡ଼ା ତହସିଲଦାର ନିର୍ମଳ ବିଶ୍ବାଳ, ବଣାଇ ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ, ଚାରିଟି ଥାନାର ଇନ୍ସପେକ୍ଟର, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ତେବେ ଟ୍ରକ୍ ନା ବସ୍, କାହାର ଭୁଲ୍ ରହିଛି; ସେ ସଂପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୬ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ନିକଟ ଛକରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କାରେ ପ୍ରାଣ ହରାଇଥିବା ୬ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ତିନି ଦୁର୍ଘଟଣାରେ ୫ ମୃତ
ନାରାୟଣପାଟଣା/ରାୟଗଡ଼ା/ବୈଶିଙ୍ଗା: ସଡ଼କ ଦୁର୍ଘଟଣା ନେଇଛି ୫ ଯୁବକଙ୍କ ମୁଣ୍ଡ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଅଭି ମାଣ୍ଡିଙ୍ଗି (୨୨) ଓ ଶରତ ତାଡ଼ିଙ୍ଗି (୨୨), ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ର ଭାଲେରୀ କୁଡ଼ିଆରେ ଅଲିକ୍ଷ ପାତିକା (୧୭) ଓ ଅଜୟ ପାଲକା (୧୬) ଏବଂ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଜାଡ଼ିହ ଗାଁର ଶିବୁ ସୋରେନ (୩୨)ଙ୍କର ମୃତ୍ୟୁ ଘଟିଛି। ବୁଧବାର ରାତିରେ ନାରାୟଣପାଟଣା ଥାନା ଗାଦବାଗୁଡ଼ା ଗାଁର ଶରତ ତାଡ଼ିଙ୍ଗି, ଅଭି ମାଣ୍ଡିଙ୍ଗି, ନରି ମାଣ୍ଡିଙ୍ଗି ଓ ଶିବାନା ସିରିକା ବାଇକ୍ ନମ୍ବର ଓଡି୧୦ବି-୯୩୦୪ରେ ନିକଟସ୍ଥ ଇନ୍ଦିରା କଲୋନିକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆଉ ଏକ ବାଇକ୍ (ଓଡି୧୦ଏକ୍ସ-୬୯୩୬)ରେ ଶତିଖାଲ ସାହିର ଶରଡ଼ିଆ ଗଣେଶ (୧୮) ଓ ପିଣ୍ଟୁ ଶରଡ଼ିଆ (୧୮) ଆସୁଥିଲେ। ଉଭୟ ବାଇକ୍ ନାରାୟଣପାଟଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ବାଇକ୍ରେ ଥିବା ୬ ଆରୋହୀ ଛିଟିକି ପଡ଼ିଥିଲେ। ଅଭି ମାଣ୍ଡିଙ୍ଗି ଓ ଶରତ ତାଡ଼ିଙ୍ଗିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଚାରି ଜଣ ନରି ମାଣ୍ଡିଙ୍ଗି, ଶିବାନା ଶିରିକା, ଶରଡ଼ିଆ ପିଣ୍ଟୁ, ଶରଡ଼ିଆ ଗଣେଶ ଗୁରୁତର ଆହତ ହୋଇଥିଲେ। ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପିଣ୍ଟୁ ଶରଡ଼ିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଉଭୟ ବାଇକ୍କୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ କହିଛନ୍ତି।
ସେହିପରି ଗୁଣପୁରରୁ ବାଲି ଅନ୍ଲୋଡ୍ କରି ଫେରିବା ବେଳେ ଗୁଣପୁର ଥାନା ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଟିପର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ରାମନାଗୁଡ଼ା ବ୍ଲକ୍ ଅର୍ଜୁନଗୁଡ଼ା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା। ଗୁଣପୁର ଅଗ୍ନିଶମ ବିଭାଗ ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଟିପର୍ଟି ଚୂରମାର ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ୧୮ ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଗୁରୁବାର ସକାଳେ ଏକ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅଜାଡ଼ିହ ଗାଁର ଶିବୁ ସୋରେନ୍ (୩୨)। ଆଜି ସକାଳେ ଶିବୁ ଓ ଗ୍ରାମର ଲିଟା ଟୁଡ଼ୁ ଜାତୀୟ ରାଜପଥ ପାର୍ଶ୍ୱ ଦେଇ ନିକଟସ୍ଥ ଚାଷଜମିକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା। ଲିଟା ରାସ୍ତାରେ ଛିଟିକି ପଡ଼ି ଖଣ୍ଡିଆଖାବରା ହୋଇଥିବା ବେଳେ ଶିବୁଙ୍କ ଉପରେ କାର୍ ମାଡ଼ି ଯାଇଥିଲା। ଲିଟାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବୈଶିଙ୍ଗା ଥାନା ଏଏସଆଇ ପ୍ରଦୀପ କୁମାର ଦେ ଶବ ଜବତ କରିବା ସହ ୪୮୫/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା (ଓଡି-୩୪ଏମ-୯୨୦୯) କାର୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୁଲିସ।