ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ଆଜି ଯେଉଁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକରୁ ସର୍ବାଧିକ ୪ଜଣ ଥିବା ବେଳେ ଖୋର୍ଦ୍ଧାର ଭୁବନେଶ୍ବର ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଅଛନ୍ତି। ଏହାଛଡ଼ା କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

Advertisment

କଟକର ଯେଉଁ ୪ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୫, ୫୬, ୬୮ ଓ ୭୬ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକ ଭୁବନେଶ୍ବରର । ସେମାନଙ୍କ ଭିତରେ ଜଣେ ୩୫ ଓ ଅନ୍ୟଜଣେ ୫୨ବର୍ଷ ବୟସ୍କ ପୁରୁଷ ଅଛନ୍ତି। ବଲାଙ୍ଗୀର ଜିଲ୍ଲାର ଯେଉଁ ଦୁଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ଭିତରୁ ଜଣେ ୪୦ ବର୍ଷୀୟା ମହିଳା ଓ ଜଣେ ୭୦ ବର୍ଷୀୟା ମହିଳା ଅଛନ୍ତି।। ନୟାଗଡ଼ର ଜଣେ ୫୪ ବର୍ଷିୟ ଓ ମୟୂରଭଞ୍ଜର ଜଣେ ୫୮ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ କନ୍ଧମାଳର ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କ  ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୧୧୮୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୬୭୩ ରହିଛି।