ଆଉ ୧୧ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ବର, ବଲାଙ୍ଗୀର, ମାଲକାନଗିରି ଓ ଗଞ୍ଜାମରୁ ୨ଜଣ ଲେଖାଏଁ ଥିବା ବେଳେ ପୁରୀ, ଭୁବନେଶ୍ବର ଓ ଭଦ୍ରକରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ବାଲେଶ୍ବରର ଯେଉଁ ୨ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୦ ବର୍ଷ ବୟସ୍କା ମହିଳା ଅଛନ୍ତି। ବଲାଙ୍ଗୀର ଜିଲ୍ଲାର ଯେଉଁ ଦୁଇ କରୋନା ସଂକ୍ରମିତ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୪୨ ବର୍ଷ ବୟସ୍କା ମହିଳା ଅଛନ୍ତି। । ଗଞ୍ଜାମର ଦୁଇ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୭୦ ଓ ୭୭ ବର୍ଷ। ଠିକ୍ ସେହିପରି ମାଲକାନଗିରିର ଦୁଇ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୪୦ ଓ ୫୪ ବର୍ଷ।

ଅପରପକ୍ଷରେ ପୁରୀ, ଭଦ୍ରକ ଓ ଭୁବନେଶ୍ବରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୫୧, ୬୮ ଓ ୯୦ ବର୍ଷ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୪୯,୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୧୫୮ ରହିଛି।

ସମ୍ବନ୍ଧିତ ଖବର