ମାଲକାନଗିରି: ନକ୍ସଲମୁକ୍ତ ଛତିଶଗଡ଼ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଏହି ଅପରେସନ୍ରେ ୧୧ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ଅପରେସନ୍ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପାଖାପାଖି ୧୪୦୦ ଯବାନ ଏହି ଅପରେସନ୍ରେ ସାମିଲ ହୋଇଛନ୍ତି।
ଆବୁଝମାଡ଼ ଜଙ୍ଗଲ ନକ୍ସଲ ସୁରକ୍ଷିତ ଗଡ଼। ବଡ଼ ହିଂସା ପାଇଁ ଏଠାରେ ହିଁ ନକ୍ସଲ ଅଧିକାଂଶ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏହି ଗଡ଼କୁ ଭାଙ୍ଗି ନକ୍ସଲଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀ କିଛି ମାସ ହେଲା ପ୍ରସ୍ତୁତି ଆରମ୍ଭ କରିଥିଲେ। ଗତମାସ ୩୦ରେ ଅପରେସନ୍ ଆରମ୍ଭ ହୋଇଥିଲା। ବିଏସ୍ଏଫ୍, ଡିଆର୍ଜି, ଆଇଟିବିପି ଓ ଏସ୍ଟିଏଫ୍ ଯବାନ ପରସ୍ପର ସହ ସମନ୍ବୟ ରକ୍ଷା କରି ଜଙ୍ଗଲକୁ ଚାରିପଟୁ ଘେରି ଯାଇଥିଲେ। ସୁରକ୍ଷାର ବଳୟ ପ୍ରସ୍ତୁତ କରି ନକ୍ସଲଙ୍କ ଠିକଣାରେ ଆଜି ଅପରାହ୍ନରେ ପହଞ୍ଚିଥିଲେ। ଫିଟିବା ପାଇଁ ସବୁ ରାସ୍ତା ବନ୍ଦ ହେବା ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିପାଇଁ ଯବାନ ପୂର୍ବରୁ ହିଁ ପ୍ରସ୍ତୁତ ରହିଥିବାରୁ ତୁରନ୍ତ ପାଲଟା ଆକ୍ରମଣ କରିଥିଲେ। ଜୋରଦାର ଗୁଳି ବିନିମୟରେ ୧୧ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି।
ବହୁ ସମୟ ଧରି ଜୋର୍ଦାର ଗୁଳି ବିନିମୟ ମଧ୍ୟରେ ନକ୍ସଲ ଘଞ୍ଚ ଜଙ୍ଗଲରେ ଖସିଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ମଝିରେ ମଝିରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳୁଥିଲା। ନକ୍ସଲଙ୍କ ପିଛା କରିବା ଜାରି ରଖିଛନ୍ତି ଯବାନ। ବଡ଼ ଅପରେସନ ହୋଇଥିଲେ ବି ଯବାନଙ୍କ କୌଣସି ପ୍ରକାର କ୍ଷତି ହୋଇନଥିବା ସୂଚନା ମିଳିଛି। ଅପରେସନ ଶେଷ କରି ଯବାନ ଫେରିବା ପରେ କ୍ଷୟକ୍ଷତିର ବାସ୍ତବ ତଥ୍ୟ ମିଳିବ। କିନ୍ତୁ ଏହି ଅପରେସନ ନକ୍ସଲଙ୍କ ଅଣ୍ଟା ଭାଙ୍ଗି ଦେଇଥିବା କୁହାଯାଉଛି। ସର୍ଚ୍ଚ ଅପରେସନ ଶେଷ ହେବାପରେ ନିହତ ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହେବ। ପ୍ରାଥମିକ ସୂଚନା ଅନୁସାରେ ୧୧ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି।