ବିଷାକ୍ତ ଫଳ ଖାଇ ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଭଦ୍ରକ ବ୍ଲକର ରାଜପୁର ତିହିଡ଼ି ପ୍ରାଥମିକ ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାକୁ ନେଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ଅସୁସ୍ଥମାନଙ୍କ ଛାତ୍ରଛାତ୍ରୀଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ଛାତ୍ରଛାତ୍ରୀମାନେ ଶ୍ରେଣୀକୁ ଆସିବା ପୂର୍ବରୁ ସ୍କୁଲ ହତା ବାଡ଼ରେ ହୋଇଥିବା ବିଷାକ୍ତ ଫଳ ଖାଇଥିଲେ। ସ୍କୁଲ ଛୁଟି ହେବା କିଛି ସମୟ ପୂର୍ବରୁ ଜଣେ ଛାତ୍ର ବାନ୍ତି କରିଥିଲା। ତାପରେ ଜଣେ ପରେ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ପଚରା ଉଚରା କରିବାରୁ ସେମାନେ ବାଡ଼ରେ ହୋଇଥିବା ଫଳ ତୋଳି ଖାଇଥିବା କହିଥିଲେ। ତେଣୁ ତୁରନ୍ତ ସେମାନଙ୍କ ପରିବାରକୁ ଖବର ଦେବା ସହିତ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଚିକିତ୍ସା କରିବା ପରେ ସୁସ୍ଥ ହେବାରୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର