୧୫ଟି ଚୋରି ପାଣିପାଇପ ସହ ଟ୍ରକ ଜବତ, ୧୧ ଗିରଫ

ଜବତ ପାଣିପାଇପର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର- ବ୍ରାହ୍ମଣିପାଳ ରାସ୍ତାର ମଙ୍ଗଳପୁର ଗ୍ରାମ ନିକଟରୁ ଗତକାଲି ରାତିରେ ପାଣି ପାଇପ ଚୋରି କରୁଥିବା ବେଳେ ପୁଲିସ ଓ ଏଲ ଆଣ୍ଡ ଟି କମ୍ପାନିର କର୍ମଚାରୀ ମାନେ ଚଢ଼ଉ କରି ୧୫ଟି ପାଣି ପାଇପ ସହ ଏକ ଟ୍ରକ (ଡବ୍ଲୁବି ୧୧ ବି ୦୯୪୭)ଜବତ କରିଛି । ଏଥିସହ ପାଣି ପାଇପ ଚୋରି କରୁଥିବା ୧୧ ଜଣ ଚୋରକୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି । ସେମାନେ ହେଲେ ଭୁବନେଶ୍ୱରରେ ଅଞ୍ଚଳରେ ରହୁଥିବା ରାଜୁ ପାତ୍ର, ଧବଳ ସ୍ୱାଇଁ, ତାବଟିଆ ବେହେରା, ପ୍ରିୟବ୍ରତ ନାୟକ, ସ୍ୱାଗତ କୁମାର ଦାସ, ନରେନ୍ଦ୍ର ଡାକୁଆ, କେଶବ ଚନ୍ଦ୍ର ତରେଇ, ବୁଲୁ ସାହୁ, କୃଷ୍ଣଚନ୍ଦ୍ର ବଡଜାତିଆ, କୈଳାଶ ଭୂୟାଁ ଓ ସୂର୍ଯ୍ୟ ପରିଡା ।

ଅଭିଯୁକ୍ତମାନେ ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରୁ ଆସିଛନ୍ତି। ଚୋରି ପାଇଁ ଏକ ଗ୍ୟାଙ୍ଗ କରି ଭୁବନେଶ୍ୱରରେ ରହୁଛନ୍ତି । ଖବରରୁ ପ୍ରକାଶ ଯେ ଗତକାଲି ରାତିରେ ହରିଚନ୍ଦନପୁରକୁ ଅପେରା ଦେଖିବା ପାଇଁ କିଛି ଯୁବକ ମଙ୍ଗଳପୁର ରାସ୍ତା ଦେଇ ଆସୁଥିଲେ । ସାଧାରଣତଃ ଏହି ବଡ ବଡ ପାଣି ପାଇପ ଗୁଡିକୁ ଜେସିବି ନଚେତ ଛୋଟ ଛୋଟ କ୍ରେନ ଦ୍ୱାରା ଉଠାଯାଇଥାଏ । କିନ୍ତୁ ମଙ୍ଗଳପୁରରେ ରାତିରେ ଏବଂ କ୍ରେନ ପରିବର୍ତ୍ତେ ଲୋକମାନେ କାନ୍ଧରେ ଉଠାଇ ଟ୍ରକରେ ଲୋଡ଼ କରୁଥିବାରୁ ଯୁବକ ମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ସୁସ୍ମିତା ଦେବତା, ଏସଆଇ ଅଯୋଧ୍ୟା ମାଟିଆ, ଏଏସଆଇ ରମେଶ ଚନ୍ଦ୍ର ଜେନାଙ୍କ ସମେତ ପୁଲିସ ଓ ଏଲ ଆଣ୍ଡଟି କମ୍ପାନିର କର୍ମଚାରୀ ମାନେ ଚଢ଼ଉ କରି ପାଣି ପାଇପ ସହ ଟ୍ରକ ଜବତ କରିବା ସହ ୧୧ ଜଣ ଚୋରକୁ ଧରିଥିଲେ । ସୂଚନାଯୋଗ୍ୟ, ହରିଚନ୍ଦନପୁର ବ୍ଲକର ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଏଲ ଆଣ୍ଡ ଟି କମ୍ପାନି ପ୍ରତି ଗ୍ରାମ ଓ ସାହିରେ ପାଣି ପାଇପ ବିଛାଇବା କାମ କରୁଛି । ପାଣି ପାଇପ ଚୋରି ସମ୍ପର୍କରେ ଏଲ ଆଣ୍ଡ ଟି କମ୍ପାନିର କର୍ମଚାରୀ ନୃସିଂହ ଚନ୍ଦ୍ର ନାହାକ ଥାନାରେ ଆଜି ଏତଲା ଦେଇଥିଲେ । ଥାନା ଅଧିକାରୀ ଶ୍ରୀମତୀ ଦେବତା ୧୫୭/୨୧ରେ ଏକ କେଶ କରି ଅଭିଯୁକ୍ତ ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଚୋର ମାନଙ୍କ ସହିତ ଆଉ କାହାର ସମ୍ପୃକ୍ତି ରହିଛି ତାହା ନୁଲିସ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର