କନ୍ଧମାଳରେ ୧୧ ହଜାର ଶ୍ରମିକ ନିଖୋଜ! ପଡ଼ିରହିଛି ୧.୬୫ କୋଟିର ସହାୟତା ରାଶି

୫ ମାସ ହେଲା ଖୋଜି ଖୋଜି ପ୍ରଶାସନ ନୟାନ୍ତ, ଲାଜରେ ଆସୁନାହାନ୍ତି ଜାଲ୍‌ ହିତାଧିକାରୀ

ଫୁଲବାଣୀ, (ବଟକୃଷ୍ଣ ବିହାରୀ): କରୋନା ମହାମାରୀ ସମୟରେ କାମଧନ୍ଦା‌ ବନ୍ଦ ହୋଇଗଲା। ଏଥିରେ ବେଶି କ୍ଷତିଗ୍ରସ୍ତ ହେଲେ ଦିନ ମଜୁରିଆ ଓ ଗରିବ। ଏମାନଙ୍କ ପରିବାରକୁ ସର୍ବନିମ୍ନ ସହାୟତା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କଲେ। ଯୋଜନା ମୁତାବକ ପଞ୍ଜୀକୃତ ପ୍ରତି ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ଏ ନେଇ ଗତ ଏପ୍ରିଲ ମାସରେ ସରକାରୀ ନିର୍ଦ୍ଦେଶନାମା ଜାରି ହେଲା। ଗ୍ରାମାଞ୍ଚଳ ପାଇଁ ବିଡିଓ ଓ ସହରାଞ୍ଚଳ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଅର୍ଥ ଯୋଗାଇ ଦିଆଗଲା। ତାପରେ ପଞ୍ଜୀକୃତ ତାଲିକା ଦେଖି ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟା ଯାଇଥିଲା। କନ୍ଧମାଳ ଜିଲ୍ଲାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଯୋଗ୍ୟ ୭୫ ହଜାର ୧୮୨ ହିତାଧିକାରୀଙ୍କ ମଧ୍ୟରୁ ୬୪ହଜାର ୧୫୩ ଜଣଙ୍କୁ ସହାୟତା ରାଶି ବଣ୍ଟନ ହେଲା। ହେଲେ ବାକି ୧୧ ହଜାର ୨୯ ଜଣ ହିତାଧିକାରୀ ସହାୟତା ରାଶି ନେବାକୁ ଆସିଲେ ନାହିଁ। ଏମାନଙ୍କୁ ଚିହ୍ନଟ କରି ସହାୟତା ରାଶି ଦେବାକୁ ପ୍ରଶାସନ ପାଞ୍ଚ ମାସ ହେଲା ଖୋଜି ଖୋଜି ନୟା‌ନ୍ତ ହୋଇ ସାରିଲାଣି। ସହାୟତା ପାଇବାକୁ ଥିବା ଏ ସବୁ ହିତାଧିକାରୀଙ୍କ ଦେଖା‌ ମିଳୁନି। ଯାହା ଫଳରେ ବଣ୍ଟା ନ ହୋଇ ୧ କୋଟି ୬୫ ଲକ୍ଷ ଟଙ୍କା କରୋନା ସହାୟତା ରାଶି ପଡ଼ି ରହିଛି।

ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ତାଲିକାରେ ସମୁଦାୟ ୯୬ ହଜାର ୫୪୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଅଛନ୍ତି। କରୋନା ସହାୟତା ରାଶି ଦେବା ସମୟରେ ମୃତ୍ୟୁବରଣ କରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୩ ବର୍ଷରୁ ଊର୍ଦ୍ଧ୍ବ କାର୍ଡ ନବୀକରଣ କରି ନଥିବା ବ୍ୟକ୍ତି, ଏମିତି ୨୧ ହଜାର ୩୫୮ ଜଣ ହିତାଧିକାରୀଙ୍କୁ ସରକାର ବାଦ୍‌ ଦେଇଥିଲେ। ଜିଲ୍ଲାର ୭୫ ହଜାର ୧୮୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କରୋନା ସହାୟତା ରାଶି ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ କନ୍ଧମାଳ ଜିଲ୍ଲକୁ ୧୧ କୋଟି ୨୫ ଲକ୍ଷ ଟଙ୍କା ଯୋଗା‌ଇ ଦିଆ ଯାଇଥିଲା। ଟଙ୍କା ଆସି ପହଞ୍ଚିବା ପରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକାରୀ ଓ କର୍ମଚାରୀ ବୁଲି ବୁଲି ହିତାଧିକାରୀଙ୍କ ହାତରେ ନଗଦ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲେ। ଅଧିକାଂଶ ହିତାଧିକାରୀଙ୍କ ନାଁ ତାଲିକାରେ ଅଛି। ହେ‌ଲେ ସେମାନେ ରାଜ୍ୟ ବାହାରେ ରହୁଛନ୍ତି।। ଆଉ କିଛି ଜାଲ୍‌ କାର୍ଡ଼ ହାତେଇଥିବା ହିତାଧିକାରୀ ଘରେ ଥିଲେ ବି ଲାଜରେ ସହାୟତା ଟଙ୍କା ନେବାକୁ ଆସି ନଥିବା କୁହା ଯାଇଥିଲା। ଏ ନେଇ ସେ ସମୟରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଜାଲ୍‌ କାର୍ଡ଼ଧାରୀ ଛାନିଆ ହୋଇ ପଡ଼ିଥିଲେ। ନେବାକୁ ମନ ବଳାଇଥିଲେ ବି ପରବର୍ତ୍ତୀ ସମୟରେ ସହାୟତା ରାଶି ନେବାକୁ ଉଚିତ ମନେ କରି ନଥିଲେ। ଆଜି ସୁଦ୍ଧା ଅବଶିଷ୍ଟ ୧୧ ହଜାର ୨୯ ଜଣ ହିତାଧିକାରୀ ସହାୟତା ରାଶି ପାଇ ନାହାନ୍ତି। ସେମାନଙ୍କୁ ୫ ମାସ ହେଲା ଖୋଜା ଚାଲିଥିଲେ ବି ଅଧିକାଂଶଙ୍କ ପତ୍ତା ମିଳୁନି। ସେମାନଙ୍କ ମଧ୍ୟରୁ ୨ରୁ ୩ହଜାର ହିତାଧିକାରୀ ବାହାର ରାଜ୍ୟରେ ଥିବାବେଳେ ୩ରୁ ୪ ହଜାର ଅଯୋଗ୍ୟ ହିତାଧିକାରୀ ଜାଲିଆତି କରି କାର୍ଡ଼ ହାତେଇଛନ୍ତି। ବାକି ହିତାଧିକାରୀଙ୍କୁ ବିଭିନ୍ନ କାରଣ ପାଇଁ ସହାୟତା ରାଶି ଦିଆଯାଇ ନାହିଁ। ସେମାନଙ୍କୁ ସହାୟତା ରାଶି ଦେବା ନିମନ୍ତେ ଉଦ୍ୟମ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ବରେ ଥିବା ଶୁଭଦର୍ଶିନୀ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି ସିଧାସଳଖ ବିଡିଓ ଓ ‌ନିର୍ବାହୀ ଅଧିକାରୀଙ୍କ ନିକଟକୁ ଆସିଲା ଓ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସହାୟତା ବଣ୍ଟା ହେଲା। ବଣ୍ଟା ହୋଇ ପାରି ନଥିବା ହିତାଧିକାରୀଙ୍କ ତାଲିକା ଏବଂ ଅର୍ଥରାଶି ଶ୍ରମ ବିଭାଗକୁ ଦେଲେ ତା’ପରେ ସେମାନଙ୍କ ଆକାଉଣ୍ଟରେ ଜମା କରି ଦିଆଯିବ। ଆଜି ସୁଦ୍ଧା ତାଲିକା କି ଅର୍ଥରାଶି ଆସି ନଥିବା ସେ କହିବା ସହ ୧୧ ହଜାର ୨୯ ଜଣ ନିର୍ମାଣ ଶ୍ରମିକ ସହାୟତା ରାଶି ପାଇ ନଥିବା କହିଛନ୍ତି। ସହାୟତା ରାଶି ନେବାକୁ ଆସୁ ନ ଥିବା ଅଧିକାଂଶ ହିତାଧିକାରୀ ଜାଲିଆତି କରି କାର୍ଡ଼ ହାତେଇ ନାମ ପଞ୍ଜୀକରଣ କରି ନେଇଛନ୍ତି। ସେମାନେ ସହାୟତା ରାଶି ନେବାକୁ ଆସିବା ଆଶା କମ୍।

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଶାସନ କୋଭିଡ୍‌ ପରିଚାଳନାରେ ବ୍ୟସ୍ତ ରହି ପ୍ରକୃତ ଯୋଗ୍ୟ ହିତାଧିକାରୀ ନିର୍ମାଣ ଶ୍ରମିକ କିଭଳି ସହାୟତା ରାଶି ପାଇବେ ସେ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି। ଏମିତିକି ନବୀକରଣ ପାଇଁ ବାଦ୍‌ ପଡ଼ିଥିବା ୫ରୁ ୭ ହଜାର ନିର୍ମାଣ ଶ୍ରମିକ ସହାୟତା ରାଶି ପାଇବା ନେଇ ବି କୌଣସି ଉଦ୍ୟମ ହୋଇନାହିଁ। ଏହାକୁ ‌ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବଣ୍ଟା ନ ହୋଇ ପଡ଼ି ରହିଥିବା ୧ କୋଟି ୬୫ ଲକ୍ଷ ସହାୟତା ରାଶି ଫେରସ୍ତ କରା ନ ଯାଇ ନବୀକରଣ କାରଣରୁ ତାଲିକାରୁ ବାଦ୍‌ ପଡ଼ିଥିବା ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପୁନଃତାଲିକାଭୁକ୍ତ କରି ସେହି ସହାୟତା ପ୍ରଦାନ କରାଯାଉ ବୋଲି କନ୍ଧମାଳର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର